ଶ୍ରମିକଙ୍କ ଶୀଘ୍ର ଉଦ୍ଧାର ଖବର ପାଇବା ପରେ ଟନେଲ୍ ବାହାରେ ପରିଜନ: ଉଦ୍ଧାର ପରେ ଶ୍ରମିକଙ୍କ ସହ ଆମ୍ବୁଲାନ୍ସରେ ହସ୍ପିଟାଲ ଯିବେ ପରିଜନ

116

କନକ ବ୍ୟୁରୋ: ଖୁବ୍ ଶୀଘ୍ର ଟନେଲରୁ ବାହାରିବେ ଶ୍ରମିକ । ଟନେଲ୍ରେ ଫସିଥିବା ୪୧ ଶ୍ରମିକଙ୍କ ପାଖରେ ପହଂଚିଲା ଏନଡିଆରଏଫ୍ ଟିମ୍ର ପାଇପ । ଏନଡିଆରଏଫ୍ ଟିମ୍ ପାଇପ୍ ଯୋଗେ ଶ୍ରମିକଙ୍କୁ ବାହାର କରିବେ । ରେସ୍କ୍ୟୁ ଟିମ୍ ଶ୍ରମିକଙ୍କ ପରିଜନଙ୍କୁ ସେମାନଙ୍କ ପୋଷାକ ଓ ବ୍ୟାଗ୍ ପ୍ରସ୍ତୁତ ରଖିବାକୁ କହିଛନ୍ତି । ବାହାରକୁ ଆସିବା ପରେ ସମସ୍ତ ଶ୍ରମିକଙ୍କୁ ହସ୍ପିଟାଲ ନିଆଯିବ । ସେପଟେ ଉଦ୍ଧାର ପ୍ରକ୍ରିୟାକୁ ନେଇ ବଡ଼ ସୂଚନା ଦେଇଛନ୍ତି ଉତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି । ଟ୍ୱିଟ୍ କରି ସେ ଲେଖିଛନ୍ତି, ବାବା ବୌଖ ନାଗ ଜୀଙ୍କ ଆଶୀର୍ବାଦ, କୋଟି କୋଟି ଦେଶବାସୀଙ୍କ ପ୍ରାର୍ଥନା ଏବଂ ଉଦ୍ଧାରକାରୀ ଦଳର ଅକ୍ଳାନ୍ତ ପରିଶ୍ରମ ଯୋଗୁ ଶ୍ରମିକଙ୍କୁ ବାହାର କରିବା ପାଇଁ ଟନେଲରେ ପାଇପ୍ ଖଂଜିବା କାମ ଶେଷ ହୋଇଛି । ତେଣୁ ଶୀଘ୍ର ସମସ୍ତ ଶ୍ରମିକଙ୍କୁ ବାହାର ଅଣାଯିବ ବୋଲି ଉତରାଖଣ୍ଡ ମୁଖ୍ୟମନ୍ତ୍ରୀ କହିଛନ୍ତି । ସେପଟେ ଉଦ୍ଧାରକାରୀ ଦଳ ଶ୍ରମିକଙ୍କ ପାଖାପାଖି ପହଂଚିବା ଖବର ଆସିବା ପରେ ଟନେଲ ବାହାର ଅଂଚଳ ଅଧିକ ଚଳଚଂଚଳ ହୋଇଛି । ସମସ୍ତଙ୍କୁ ପ୍ରସ୍ତୁତ ରହିବାକୁ କୁହାଯାଇଛି । ଡାକ୍ତରୀ ଟିମ୍ ସଜାଗ ରହିଛନ୍ତି । ଟନେଲ ବାହାରେ ପୁଣି ଥରେ ପହଂଚିଛି ଆମ୍ବୁଲାନ୍ସ । ଆମ୍ବୁଲାନ୍ସ ଗୁଡ଼ିକୁ ଟନେଲ ଭିତରକୁ ନିଆଯାଇଛି । ଏନଡିଆରଏଫ, ଏସଡିଆରଏଫ ଓ ସେନା ଯବାନ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଥିବା ବେଳେ ସମସ୍ତେ ସଜାଗ ରହିଛନ୍ତି । ପରିବାର ଲୋକ ମଧ୍ୟ ଶ୍ରମିକଙ୍କ ଅପେକ୍ଷାରେ ବାହାରେ ଜଗିଛନ୍ତି । ସ୍ୱତନ୍ତ୍ ଦ ‘ରେଟ୍ ହୋଲ ମାଇନର୍ସ’ଙ୍କୁ ନିୟୋଜିତ କରାଯାଇଛି । ଗତ ୧୨ ତାରିଖଠାରୁ ୧୭ଦିନ ହେଲା ସୁଡ଼ଙ୍ଗ ଭିତରେ ଫସିଛନ୍ତି ୪୧ଜଣ ଶ୍ରମିକ । ତାଙ୍କୁ ଉଦ୍ଧାର କରିବା ପାଇଁ ଜୋରଦାର ଉଦ୍ଧାର କାର୍ଯ୍ୟ ଚାଲିଛି ।