ମହାମାରୀ ସହ ଲଢେଇ କରି ବଳିଦାନ ଦେଲେ ସେମାନେ, ମୃତ୍ୟୁର ଆଁରୁ ଅଳ୍ପକେ ବଞ୍ଚିଗଲୁ ଆମେ… କିଏ ବାପା ହରାଇଲା, କିଏ ସ୍ୱାମୀ ହରାଇଲା । ଜାତି ଭୁଲିବନି ଯୋଦ୍ଧାଙ୍କ ତ୍ୟାଗ…

230

କନକ ବ୍ୟୁରୋ: ଆଜି ସେ ଭାରି ମନେପଡୁଛନ୍ତି । ମୋ ହାତରେ ତାଙ୍କ ପ୍ରଶଂସାର ପତ୍ର ଅଛି ହେଲେ ସେ ନାହାନ୍ତି । ତାଙ୍କ ପାଇଁ ମତେ ସମ୍ମାନ ମିଳୁଛି କିନ୍ତୁ ସେ ମୋ ସାଥିରେ ନାହାନ୍ତି । ଏକା କରି ଆରପାରିକି ଚାଲିଯାଇଛନ୍ତି । କରୋନା ସହ ଲଢେଇ କରି କରି ଜୀବନ ଯୁଦ୍ଧରେ ହାରିଯାଇଛନ୍ତି । ଆଉ କରୋନା ଯୋଦ୍ଧାଭାବେ ତାଙ୍କୁ ସମ୍ମାନିତ କରାଯାଇଛି । ଏ ମୁହୂର୍ତ୍ତ ଯେତିକି ଗୌରବମୟ ସେତିକି କଷ୍ଟକର ବି । ୯ ମାସ ହେବ ତାଙ୍କ ବିନା ଏକା ଏକା ଜିଇଁ ଆଜି ଯେତେବେଳେ ତାଙ୍କ ପାଇଁ ଏ ସମ୍ନାନ ମିଳୁଛି ଆଖିର ଲୁହ ବନ୍ଧବାଡ ମାନୁନି । ଆଉ ସ୍ୱାମୀଙ୍କ କଥା ମନେପକାଇ ଆଖି ଛଳଛଳ କରି ପକାଉଛନ୍ତି ସହିଦ କନଷ୍ଟେବଲ ଆଶିଷ ମହାକୁଲଙ୍କ ପତ୍ନୀ ମାନସୀ…

ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନାଙ୍କ ପିଏସଓ ଥିଲେ କନଷ୍ଟେବଲ ଆଶିଷ । ଗତବର୍ଷ କରୋନା ସହ ଲଢେଇ କରି ହାରିଯାଇଥିଲେ । ଗତ ଅଗଷ୍ଟ ୨୯, ୨୦୨୦ରେ ପ୍ରାଣହରାଇଥିଲେ ଆଶିଷ । ୧୯୯୫ରୁ କାର୍ଯ୍ୟରେ ଯୋଗ ଦେଇଥିବା ଆଶିଷ ଜୀବନରେ କେବେ କାମରେ ହେଳା କରି ନାହାନି । କର୍ତ୍ତବ୍ୟନିଷ୍ଟ ଆଶିଷ କାଯ୍ୟରତ ଥିବାବେଳେ ହିଁ କରୋନାରେ ଆକ୍ରାନ୍ତ ହୋଇ ସହିଦ ହୋଇଛନ୍ତି । ଆଉ ମୃତ୍ୟୁର ଶେଷ ୨ଦିନ ସ୍ୱାମୀଙ୍କ ସହ କଥା ହୋଇନପାରିବା ମାନସୀଙ୍କ ଜୀବନର ବଡ ଅବଶୋଷ । ସ୍ୱାମୀ ଥିବେ ବାକି ତକ ଜୀବନ ଭଲରେ ବିତିଥାନ୍ତେ ଏଇ ଅବଶୋଷ ନେଇ ଆଖିରେ ଲୁହ ଝରାଇଛନ୍ତି ଆଶିଷଙ୍କ ପତ୍ନୀ ।

କୋଭିଡ ଯୋଦ୍ଧାଙ୍କ ପରିବାର ହିସାବରେ ଏହି ପୁରସ୍କାର ପାଇବା ପରେ କୋଭିଡ ଯୋଦ୍ଧା ନୟାଗଡର ଏଏସଆଇ ରବୀନ୍ଦ୍ର କୁମାର କବିଙ୍କ ପତ୍ନୀ ରେବତୀ କବିଙ୍କ ଆଖି ଛଳ ଛଳ ହୋଇଯାଇଥିଲା । ସ୍ୱାମୀଙ୍କ ଆକସ୍ମିକ ମୃତ୍ୟୁ ପରେ ପରିବାରର ମେରୁଦଣ୍ଡ ଭାଙ୍ଗିଯାଇଥିଲା । ଆଉ ଏବେ ଏ ସମ୍ମାନ କରୋନା ବେଳର ସେ କରୁଣ ସ୍ମୃତିକୁ ପୁଣି ଥରେ ମନେପକାଇ ଦେଇଛି ।

ତେବେ ମନେପକାନ୍ତୁ ଗୋଟିଏ ବର୍ଷ ତଳର କଥା । ଯେତେବେଳେ ମହାମାରୀ ମାଡିମାଡି ଆସୁଥିଲା । କରୋନାର କରାଳ ରୂପ ପାଇଁ ସବୁଠି ହାହାକାର, କୋକୁଆ ଭୟ ଖେଳିଯାଇଥିଲା ଠିକ ସେତିକି ବେଳେ ଅଜଣା ଭୂତାଣୁର ଭୟରେ ଘରେ ରହିଥିଲେ ଲୋକେ । ଲକଜାଉନ, ସଟଜାଉନ ପାଇଁ ସବୁଠି ଲାଗିଲା କଟକଣା । ସହର ହେଲା ଶୂନଶାନ, ରାସ୍ତା ହେଲା ଖାଁଖାଁ । ଦିନ ଦ୍ୱିପହରେ ବି ରାତିର ଭଳି ନିରବତା ଖେଳିଗଲା । ଆଉ ଏଭଳି ଏକ ଘଡିସନ୍ଧି ମୁହୂର୍ତ୍ତରେ ମହାମାରୀ ମୁହଁରେ ମାସ୍କ ପିନେ୍ଧଇବାକୁ ମହାଯୋଦ୍ଧା ସାଜିଥିଲେ ଏ ପୋଲିସ ଭାଇମାନେ । ଯେତେବେଳେ ସାରା ଓଡିଶା, ସାରା ଦେଶ ଘରେ ବନ୍ଦ ଥିଲା ସେତେବେଳେ ନିଜ ଜୀବନକୁ ବାଜିରେ ଲଗାଇଥିଲେ ଏମାନେ ।

ପରିବାର ଭୁଲିଥିଲେ, ଘର ଭୁଲିଥିଲେ । ମାଆ, ବାପା, ସ୍ତ୍ରୀ, ପିଲାଛୁଆଙ୍କ କଥାକୁ ପଛରେ ଛାଡି ବିଶ୍ୱକୁ ବଞ୍ଚାଇବାକୁ ଆଗେଇ ଆସିଥିଲେ । କେତେବେଳେ ଖାଉଥିଲେ ତ କେତେବେଳେ ନାହିଁ । ଯେଉଁଠି ପାରୁଥିଲେ ସେଇଠି ଶୋଉଥିଲେ । ମହାମାରୀ ଲଢେଇରେ ହସ୍ପିଟାଲରେ ସିନା ଡାକ୍ତର ଯୁଦ୍ଧ କରୁଥିଲେ କିନ୍ତୁ ମେଡିକାଲ ବାହାରେ ମହାମାରୀ ସହ ଏ ଖାକି ବାଲା ଲଢୁଥିଲେ । ଗୋଟେ ଅଦୃଶ୍ୟ ରାକ୍ଷସ ସହ ଲଢୁ ଲଢୁ ଅନେକ ସହିଦ ବି ହୋଇଛନ୍ତି । ଆଉ କୋଭିଡ ବିରୁଦ୍ଧରେ ଲଢେଇ କରି ମୃତ୍ୟୁ ବରଣ କରିଥିବା ସେହି ୧୫ କୋଭିଡ ଯୋଦ୍ଧାଙ୍କ ପରିବାର ସମ୍ବର୍ଦ୍ଧିତ କରାଯାଇଛି । ଜୀବନ ବଦଳରେ ଜୀବନ ରକ୍ଷା କରିଥିବା ଯୋଦ୍ଧାଙ୍କୁ ଏ ଜାତି, ଏ ମାଟି ମନେରଖିବ । ସମ୍ବର୍ଦ୍ଧନା ପାଇବା ପରେ ଯୋଦ୍ଧାଙ୍କ ପରିବାରବର୍ଗ ବେଶ ଗର୍ବ ଅନୁଭବ କରିଥିଲେ ବି ଏ ସମ୍ମାନ ବିଗତ ଦିନର କରୋନା ଲଢେଇର ଗୋଟେ ଗୋଟେ କରଣ କାହାଣୀଙ୍କୁ ଛାତି ଭିତରୁ ବିଦାରି ଆଣିଛି ।