ବାପା…ଆଜି ସନ୍ଧ୍ୟାରେ ଫୋନ୍ କରିବି… । ଏବେ ଡ୍ୟୁଟିକୁ ଯାଉଛି…ବ୍ୟସ୍ତ ଅଛି । ଜନ୍ମଦିନରେ ବୀର ଯବାନ ପୁଅର ଫୋନକୁ ଅପେକ୍ଷା କରିଥିଲେ ବାପା, କିନ୍ତୁ ସୀମା ସେପାରିରୁ ଆସିଲା ପୁଅର ଶହୀଦ ହେବାର ଖବର ।

1,117

କନକ ବ୍ୟୁରୋ : ବାପା ଆଜି ସନ୍ଧ୍ୟାରେ ଫୋନ୍ କରିବି । ଏବେ ଡ୍ୟୁଟିକୁ ଯାଉଛି, ବ୍ୟସ୍ତ ଅଛି । ବାପାଙ୍କୁ ଏଭଳି ପ୍ରତିଶୃତି ଦେଇ ଫୋନ୍ କାଟି ଦେଇଥିଲେ ପୁଅ । କିନ୍ତୁ ପୁଅର ଏହି ଦୁଇ ପଦ କଥା ସେ ଯେ ଶେଷ ଥର ପାଇଁ ଶୁଣୁଛନ୍ତି ତାହା କେବେ କଳ୍ପନା କରିନଥିଲେ ବାପା । ପୁଅର ଜନ୍ମଦିନ ହୋଇଥିବାରୁ ପରିବାରରେ ହସଖୁସିର ମାହୋଲ ଥିଲା । ଆଉ ଏହାରି ଭିତରେ ସୀମା ସେପାରିରୁ ଏମିତି ଏକ ଖବର ଆସିଲା ଯାହା ପୂରା ପରିବାରକୁ ସ୍ତବ୍ଧ କରିଦେଇଥିଲା । କାରଣ ଜନ୍ମଦିନରେ ଦେଶପାଇଁ ଶହୀଦ ହୋଇଯାଇଥିଲେ ଭାରତୀୟ ସେନାର ବୀର ଯବାନ ଲେଫ୍ଟନାଣ୍ଟ କର୍ଣ୍ଣେଲ ରଜନୀଶ ପରମାର ।

ଶୁକ୍ରବାର ଭୁଟାନରେ ଭାରତୀୟ ସେନାର ଚିତା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଥିବା ବେଳେ ଦୁଇଜଣ ପାଇଲଟ ଶହୀଦ ହୋଇଥିଲେ । ଜଣେ ଭାରତୀୟ ପାଇଲଟ ଥିବା ବେଳେ ଅନ୍ୟ ଜଣେ ଥିଲେ ଭୁଟାନର ପାଇଲଟ । ଆଉ ସେହି ଶହୀଦ ଭାରତୀୟ ପାଇଲଟ ଜଣକ ଥିଲେ ଲେଫ୍ଟନାଣ୍ଟ କର୍ଣ୍ଣେଲ ରଜନୀଶ ପରମାର ।

ସନ୍ଧ୍ୟା ପୂର୍ବରୁ ଫୋନ୍ ଆସିଲା ସତ, କିନ୍ତୁ ସୀମା ସେପାରିରୁ ଯେଉଁ ଖବର ଆସିଲା ତାହା ଶୁଣି ଥମ୍ କରି ବସିପଡିଥିଲେ ବାପା । ନିର୍ବାକ ହୋଇଯାଇଥିଲା ପୂରା ପରିବାର । କାରଣ ପୁଅ ଦେଇଥିବା ପ୍ରତିଶୃତିରେ ପୂର୍ଣ୍ଣଚ୍ଛେଦ ପଡି ଯାଇଥିଲା ଆଉ ଅଫେରା ଦୁନିଆର ଅତିଥି ସାଜିସାରିଥିଲେ ପୁଅ ରଜନୀଶ ।