କନକ ବ୍ୟୁରୋ: ଗ୍ରାମାଂଚଳର କରୋନା ସଂକ୍ରମଣକୁ ନେଇ ସବୁଆଡେ ଆତଙ୍କ । ଆତଙ୍କ ଭିତରେ କିନ୍ତୁ ଗାଁ ଗଣ୍ଡାର ଚିତ୍ର ଭିନ୍ନ । କରୋନାରେ ଆକ୍ରାନ୍ତ ହେବା ପରେ ବି ଗୋଟିଏ ଘରେ ପରିବାର ଅନ୍ୟ ସଦସ୍ୟଙ୍କ ସହ ରହୁଛନ୍ତି ଆକ୍ରାନ୍ତ । ସାଧାରଣ ଜୀବନ ଶୈଳୀକୁ ଆଗରେ ରଖି ମହାମାରିକୁ ନେଇ ଭୟଭିତ ହେଉନି ବଣ୍ଡା ପାହାଡ । ମାଲକାନଗିରି ଜିଲା ବଣ୍ଡା ଘାଟିରେ ଭିତିପ୍ରସ୍ତର ଅଭାବରୁ କେମିତି ଅଲଗା କଠୋରୀରେ ରହିବେ ବଣ୍ଡା ଜନଜାତିର ମଣିଷ ତାହାକୁ ନେଇ ଉଠିଛି ପ୍ରଶ୍ନ । ଏପଟେ କୁଡୁମୁଲୁଗୁମ୍ମା ଅଂଚଳର ଡିଡାଇ ଆଦିବାସୀଙ୍କୁ ମଧ୍ୟ ଛୁଇଁଛି କରୋନା । ଡିଡାଇ ସମ୍ପ୍ରଦାୟର ୬ ଜଣଙ୍କୁ ପଜେଟେଭ ହୋଇଥିବା ସ୍ପଷ୍ଟ କରିଛି ପ୍ରଶାସନ ।
ଘଂଚ ଜଙ୍ଗଲ ଭିତରେ ପାହାଡ ଉପରେ ବଣ୍ଡାଘାଟିରେ କରୋନା ଯେତିକି ଆଶ୍ଚର୍ଯ୍ୟ ସୃଷ୍ଟି କରିଛି ସେତିକି ଚିନ୍ତା ମଧ୍ୟ ବଢାଇ ଦେଇଛି ।ଚିନ୍ତା ବଢିବାର କାରଣ ହେଉଛି, ଏଠାରେ କରୋନାର ନିୟମ ମାନିବା ସେତେ ସହଜ କଥା ନୁହେଁ । ପଜିଟିଭ ଆସିଥିବା ବ୍ୟକ୍ତିଙ୍କୁ ସଂଗରୋଧରେ ରଖିବା, ଏମାନେ ସତେ ଯେମିତି ଗ୍ରହଣ କରି ପାରୁନାହାନ୍ତି । ଘାଟିର ଅଣ୍ଡ୍ରାହଲ ପଂଚୟତର ବଡବେଲ ଗାଁରେ ୧୨ଜଣ ଆଦିବାସୀ ସଂକ୍ରମିତ ହୋଇଛନ୍ତି । କରୋନାରେ ଆକ୍ରାନ୍ତ ହୋଇ ବି ଗୋଟିଏ ଘରେ ରହୁଛନ୍ତି ପୁରା ପରିବାର । ପୂର୍ବରୁ ଯେଉଁ ଜୀବନ ଶୈଳୀରେ ବଂଚୁଥିଲେ ଏବେ ବି ଠିକ ସେମିତି ଚଳୁଛନ୍ତି ।
ଭୂତାଣୁ ସଂକ୍ରମିତ ବ୍ୟକ୍ତି କିମ୍ବା ମହିଳା ସଂଗରୋଧରେ ନରହିଲେ ବଣ୍ଡାଘଟି ସଂକ୍ରମଣ ବଢିବାର ଆଶଙ୍କା ରହିଛି । ବଣ୍ଡା ପାହାଡର ୧୨ ଜଣ ଲୋକେ ସାପ୍ତାହିକ ହାଟକୁ ଯାଇଥିଲେ । ସେଠାରୁ ଆନ୍ଧ୍ର ବ୍ୟବସାୟୀଙ୍କ ସଂସ୍ପର୍ଶରେ ଆସି ସଂକ୍ରମଣ ହୋଇଥିଲେ । ଏବେ ୪ ଜଣ ସୁସ୍ଥ ହୋଇଥିବା ବେଳେ ୮ଟି ସକ୍ରିୟ ମାମଲା ରହିଛି । ସେହିପରି ପ୍ରଥମ ଥର ଲାଗି ‘ଦିଦାଇ’ ଆଦିବାସୀଙ୍କୁ କରୋନା ଛୁଇଁଛି । କୁଡୁମୁଲୁଗୁମ୍ମା ଅଂଚଳରେ ଦିଦାଇ ସମ୍ପ୍ରଦାୟର ୬ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି ।