ପର କରିଦେଲେ ପରିବାର, ଆଡେଇ ଦେଲେ ସରକାର…ଭୁଲ ଥିଲା ଏତିକି ଯେ ଏମାନେ କୁଷ୍ଠ ରୋଗରେ ଆକ୍ରାନ୍ତ…ତଥାପି କୁତ୍ସିତ ପରମ୍ପରାର ପାଚେରି ଡେଇଁ ସହାୟତା ପାଇଁ ଆଗେଇ ଆସିଲା ‘ସାହାଯ୍ୟ’

ବାସନ୍ଦ ଦେହରେ ମାନବିକତାର ମଲମ

559

କନକ ବ୍ୟୁରୋ: ପର କରିଦେଲା ପରିବାର । ଆଡେଇ ଦେଲେ ଆପଣାର ଲୋକେ । କେବଳ ଭୁଲ ଥିଲା ଏତିକି ଯେ ଏମାନେ କୁଷ୍ଠରେ ଆକ୍ରାନ୍ତ । ତେଣୁ ବଞ୍ଚିବାର ଅନ୍ୟ ଉପାୟ ନପାଇ ରୋଗାକ୍ରାନ୍ତ ଜୀର୍ଣ୍ଣଶୀର୍ଣ୍ଣ ଶରୀର ଏବଂ ଅଲୋଡା ବୟସର ଭାର ବୋହି ସେଦିନ ଘରୁ ବାହାରି ଆସିଥିଲେ ଏମାନେ । ଯେଉଁମାନେ ଦିନେ ଘରର ମୁରବୀ ଥିଲେ, ଆଜି ସେମାନେ ପାଲଟିଯାଇଛନ୍ତି ଦାଣ୍ଡର ଭିକାରୀ । ଚାକଚକ୍ୟ ଘର ଛାଡି ଭଙ୍ଗା ଦଦରା କୁଡିଆ କରି ମୁଣ୍ଡ ଗୁଞ୍ଜିଥିବା ବେଳେ ଅନ୍ୟର ହାତଟେକାରେ ଜୀବନ ଜିଉଁଛନ୍ତି । ସ୍ତ୍ରୀ, ପିଲାଛୁଆ ସମସ୍ତେ ଥାଇବି ବିତାଉଛନ୍ତି ଦୁର୍ବିସହ ଜୀବନ । ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ଓଡିଶା-ଛତିଶଗଡ ସୀମାନ୍ତ ଦେଓଡା ଗାଁରେ ।

କୁଷ୍ଠ ରୋଗ, କୌଣସି ଛୁଆଁ କିମ୍ବା ଡିଆଁ ରୋଗ ନୁହେଁ । ଯାହାକି ସମସ୍ତେ ବେଶ୍ ଭଲଭାବରେ ଜାଣିଥିବେ । ତଥାପି କୁସଂସ୍କାର ଏବଂ ଅନ୍ଧବିଶ୍ୱାସର ଅନ୍ଧଗଳିରୁ ମୁକୁଳିପାରିନି ମଣିଷ । ଶିକ୍ଷିତ ହୋଇଥିଲେ ବି ମଣିଷର ଚିନ୍ତାଧାରାରେ ସାମାନ୍ୟ ବି ପରିବର୍ତ୍ତନ ଆସିନି । ଫଳରେ ୨୦ବର୍ଷ ହେବ ଏମାନେ ଦୁଃଖ ଯନ୍ତ୍ରଣାରେ ପେସି ହୋଇ ଏକପ୍ରକାର ଦୁର୍ବିଷହ ଜୀବନ ବିତାଉଛନ୍ତି । ଆଉ ଭାଗ୍ୟକୁ ଆଦରି ଏକ ମନ୍ଦିର ପରିସରରେ ବର୍ତ୍ତମାନ ଏମାନେ ଆଶ୍ରୟ ନେଇଛନ୍ତି । ଦେଓଡା ଗାଁର ଏହି ଶିବ ମନ୍ଦିରରେ ରହିଛନ୍ତି ୬ଜଣ ମହିଳା । ଗୋଟିଏପଟେ କୁଷ୍ଠ, ଅନ୍ୟପଟେ ସାମାଜିକ ବାସନ୍ଦ । ତା ଉପରେ ଦାଉ ସାଧିଛନ୍ତି ସରକାର । ପାଖରେ ଆଧାରକାର୍ଡ ଓ ଭୋଟରକାର୍ଡ ରହିଥିଲେ ବି ସରକାରୀ ଯୋଜନା ଏମାନଙ୍କ ପାଇଁ ସାତ ସପନ ପାଲଟି ଯାଇଛି । ଦୁର୍ଭାଗ୍ୟର କଥା ହେଲା, ଆଜି ଯାଏଁ ଏମାନଙ୍କ ପାଖରେ କୌଣସି ଚିକିତ୍ସା ସୁବିଧା ମଧ୍ୟ ପହଂଚିପାରିନି ।

କୁଷ୍ଠରେ ହାତଗୋଡର ଆଙ୍ଗୁଠିଗୁଡିକ ଛିଣ୍ଡି ଯିବା ପରେ ଦେହସାରା ମାଛି ଭଣ ଭଣ ହେଉଛନ୍ତି । ଏମାନଙ୍କୁ ଦେଖିଲେ ଯେ କେହିବି ନାକ ଟେକିବେ ହେଲେ ସମସ୍ତେ ସମାନ ନୁହଁନ୍ତି । ଏଭଳି ଅସହାୟଙ୍କୁ ସାହା ହେବା ପାଇଁ ଆଗେଇ ଆସିଛି ସ୍ୱେଚ୍ଛାସେବୀ ଅନୁଷ୍ଠାନ ‘ସାହାଯ୍ୟ’ ଦି ହେଲପିଂ ହ୍ୟାଣ୍ଡ ଗ୍ରୁପ । ସାମାଜିକ ବାସନ୍ଦ ଭଳି କୁତ୍ସିତ ପରଂପରାର ପାଚେରି ଡେଇଁ ଅସହାୟଙ୍କ ସେବାରେ ନିଜକୁ ସାମିଲ କରିଥିଲେ ସାହାଯ୍ୟ ଗ୍ରୁପର ସଦସ୍ୟମାନେ । ବିନା କୌଣସି ସଙ୍କୋଚରେ ସେମାନେ ଠିିଆ ହୋଇଥିଲେ ଏହି ଅସହାୟଙ୍କ ପାଖରେ । ମାଛି ଭଣ ଭଣ ହେଉଥିବା ଘାକୁ ନିଜ ହାତରେ ସଫା କରି ସେଥିରେ ମଲମ ଲଗାଇବା ସହ ଖାଇବାକୁ ଦେଇଥିଲେ । ଶୀତରୁ ବର୍ତ୍ତିବା ପାଇଁ କମ୍ବଳ ସହ ପୋଷାକ ମଧ୍ୟ ବାଂଟିଥିଲେ ।

ତେବେ କେଇ ଘଣ୍ଟା ହେଉ ପଛେ, ଏମାନଙ୍କ ଶୁଖିଲା ଓଠରେ ହସ ଫୁଟାଇଥିଲେ ଏହି କର୍ମକର୍ତ୍ତାମାନେ । ପର-ଆପଣାର ଭେଦଭାବ ଭୁଲି ମାନବିକତାର ପରିଚୟ ଦେଇଥିଲେ ଏମାନେ ଆଉ ସାହାଯ୍ୟର ହାତ ବଢାଇଥିବା ଏହି ସାହାଯ୍ୟ ଗ୍ରୁପ ବିଦାୟ ନେବା ବେଳେ ଖଣ୍ଡିଆ ହାତରେ ଏମାନେ ଉଜାଡି ଦେଇଥିଲେ ଅଜଶ୍ର ଆର୍ଶୀବାଦ ।