ମହିଳାଙ୍କ ଶବ ନେବା ପାଇଁ ବାପ ଓ ପୁଅ ମଧ୍ୟରେ ବିବାଦ : ସ୍ତ୍ରୀର ଶବକୁ ମେଡିକାଲକୁ ଦାନ କଲେ ବାପା,ଏପଟେ ଶବ ନେବା ପାଇଁ ଥାନା ଗଲେ ପୁଅ

ଜନ୍ମଦାତ୍ରୀ ମା’ର ଶବକୁ ନେଇ ଉପୁଜିଛି ବିବାଦ

172

କନକ ବ୍ୟୁରୋ : ଜନ୍ମଦାତ୍ରୀ ମା’ର ଶବକୁ ନେଇ ଉପୁଜିଛି ବିବାଦ। ପୁଅ ଏବଂ ପରିବାର ଲୋକଙ୍କୁ ନ ପଚାରି ବାପା ନିଜ ପତ୍ନୀଙ୍କ ଶବକୁ ଏକ ଘରୋଇ ମେଡିକାଲକୁ ଦାନ କରିଛନ୍ତି। ଏପଟେ ମା’ର ଶବକୁ ଫେରି ପାଇବା ଲାଗି ପୁଅମାନେ ଥାନାର ଦ୍ବାରସ୍ଥ ହେବା ସହିତ ନିଜ ବାପାଙ୍କ ନାମରେ ଏତଲା ଦେଇଛନ୍ତି। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ପୁରୀ ବାସେଳି ସାହି ଥାନା ଅନ୍ତର୍ଗତ ମିଶ୍ର ସାହିରେ। ତେବେ ପୁଅମାନଙ୍କର ଏତଲାକୁ ପୁଲିସ ଗ୍ରହଣ ନ କରିବାରୁ ଜଟିଳ ସ୍ଥିତି ଉପୁଜିଛି। ମା’ର ଶବକୁ ନେବା ପାଇଁ ପୁଅ ଓ ପରିବାର ଲୋକ ଆଜି ଦିନତମାମ ପୁରୀରୁ ଭୁବନେଶ୍ବର, ଏ ଥାନାରୁ ସେ ଥାନା ଦୌଡିଥିବା ଦେଖିବାକୁ ମିଳିଛି। ମା’ର ଶବ ଘରକୁ ନ ଆଣିବା ଯାଏ ଫେରିବେ ନାହିଁ ବୋଲି ପୁଅମାନେ ଅଡ଼ି ବସିଥିବାରୁ ଘଟଣାଟି ବିବାଦୀୟ ହୋଇପଡ଼ିଛି।

 

ସୂଚନା ମୁତାବକ, ଗଞ୍ଜାମ ଶେରଗଡ଼ ଅଞ୍ଚଳର କାଳୀଚରଣ ମିଶ୍ର ଓ ତାଙ୍କ ପତ୍ନୀ ସୁବାସିନୀ ମିଶ୍ର ଆଜିକୁ ୧୦ ବର୍ଷ ହେଲା ପୁରୀ ବାସେଳି ସାହି ଥାନା ମିଶ୍ର ସାହିରେ ରହୁଥିଲେ। ଗତ ୪ ତାରିଖରେ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସୁବାସିନୀଙ୍କର ମୃତ୍ୟୁ ହୋଇଥିଲା। ତେବେ ଏ ସଂପର୍କରେ ସୁବାସିନୀଙ୍କ ସ୍ବାମୀ ତାଙ୍କ ପୁଅ କିମ୍ବା ପରିବାର ଲୋକଙ୍କୁ କିଛି ନ ଜଣାଇ ପତ୍ନୀଙ୍କ ଶବକୁ ଭୁବନେଶ୍ବରର ଏକ ଘେରାଇ ମେଡିକାଲକୁ ଦାନ କରିଦେଇଥିେଲ। ଅନ୍ୟପକ୍ଷରେ ପୁଅମାନେ ମା’ଙ୍କ ମୃତ୍ୟୁ ଖବର ପାଇ ବାପାଙ୍କୁ ପଚାରିବାରୁ ଶ୍ରୀ ମିଶ୍ର ଶବକୁ ସ୍ବର୍ଗଦ୍ବାରରେ ଦାହ କରିଦେଇଥିବା କହିଥିଲେ। ତେବେ ଶ୍ରୀ ମିଶ୍ର ମା’ଙ୍କ ଶବକୁ ଏକ ଘରୋଇ ମେଡିକାଲକୁ ଦାନ କରିଥିବା ନେଇ ପରିବାର ଲୋକ ଜାଣିବାକୁ ପାଇଥିଲେ। ଏ ନେଇ ତିନି ପୁଅ ସଂଜୟ କୁମାର ମିଶ୍ର, ସୁବ୍ରତ କୁମାର ମିଶ୍ର, ସୁଧୀର ମିଶ୍ର ଆଜି ପୁରୀ ବାସେଳି ସାହି ଥାନାରେ ଅଭିଯୋଗ କରିଛନ୍ତି।

ଘଟଣା ସଂପର୍କରେ ଭୁବନେଶ୍ବର ଖଣ୍ଡଗିରି ଥାନାରେ ଅଭିଯୋଗ କରିବା ଲାଗି ବାସେଳି ସାହି ଥାନା ପକ୍ଷରୁ କୁହାଯିବା ପରେ ପରିବାର ଲୋକ ସେଠାକୁ ଯାଇଥିଲେ। ହେଲେ ଖଣ୍ଡଗିରି ଥାନା କର୍ତ୍ତୃପକ୍ଷ ପୁରୀରେ ଘଟଣା ଘଟିଛି କହି ଫେରାଇ ଦେବାରୁ ପରିବାର ଲୋକେ ଏପଟ-ସେପଟ ହୋଇ ନୟାନ୍ତ ହୋଇଛନ୍ତି। ଏଣେ ମା’ଙ୍କ ଶବ ପାଇପାରୁନଥିବାରୁ ସଂସ୍କାର ତଥା ଅନ୍ୟ କର୍ମ ମଧ୍ୟ ହୋଇ ପାରୁନଥିବା ପୁଅ ସୁଧୀର ମିଶ୍ର କହିଛନ୍ତି। ପୁଅ ହିସାବରେ ସେମାନେ ମା’ଙ୍କୁ ମୁଖାଗ୍ନି ଦେବାକୁ ଚାହୁଁଛନ୍ତି। ମାତ୍ର ତାଙ୍କ ବାପା ଏ ଅଧିକାର ସେମାନଙ୍କଠୁ ଛଡାଇ ନେଇଛନ୍ତି। ପୁଅମାନଙ୍କ ଅଭିଯୋଗ ହେଲା, ବାପା ଖାଲି ତାଙ୍କ ପତ୍ନୀଙ୍କୁ ମାନସିକ ନିର୍ଯ୍ୟାତନା ଦେଉନଥିଲେ, ଅନ୍ୟ ଜଣେ ମହିଳାଙ୍କ କଥାରେ ପଡ଼ି ତାଙ୍କୁ ଅବହେଳା ମଧ୍ୟ କରୁଥିଲେ। ତେଣୁ ଲୁଚାଛପାରେ ସେ ତାଙ୍କ ପତ୍ନୀଙ୍କ ଶବକୁ ଦାନ କରି ଦେଇଥିବା ପୁଅମାନେ କହିଛନ୍ତି।

 

ହେଲେ ଏ ଅଭିଯୋଗକୁ ମିଛ, ନିରାଧାର ବୋଲି କହିଛନ୍ତି କାଳୀଚରଣ ମିଶ୍ର। ଦେଖାଶୁଣା ତ ଦୂର କଥା, ସେ ଓ ତାଙ୍କ ପତ୍ନୀ ଏକାଠି ରହୁଥିବା ବେଳେ ପୁଅମାନେ କେବେ ବି ଆସନ୍ତି ନାହିଁ। ତେଣୁ ସେ ତାଙ୍କ ପତ୍ନୀଙ୍କ ଶବକୁ ଦାନ କରି ଦେଇଛନ୍ତି। ଏଥିପାଇଁ ସେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ, ଜିଲ୍ଲାପାଳ ଓ ସ୍ଥାନୀୟ ବାସେଳି ସାହି ଥାନାେର ଜଣାଇଛନ୍ତି। ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ଆବଶ୍ୟକ କାଗଜପତ୍ର ଦେଇଛନ୍ତି। ମାତ୍ର ମୁଖ୍ୟ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ଏ ସଂପର୍କରେ ପଚରାଯିବାରୁ ମେଡିକାଲରେ କୌଣସି କାଗଜପତ୍ର ହୋଇନଥିବା ସେ କହିଛନ୍ତି। ଶ୍ରୀ ମିଶ୍ର କେବଳ ମୃତ ଶରୀର ନେଇଛନ୍ତି। ସେ ଶବ ସଂସ୍କାର କଲେ କି କାହାକୁ ଦାନ କଲେ ସେ ସଂପର୍କରେ ହସ୍ପିଟାଲ କର୍ତ୍ତୃପକ୍ଷ ଜାଣିନାହାନ୍ତି ବୋଲି ମୁଖ୍ୟ ଚିକିତ୍ସା ଅଧିକାରୀ କହିଛନ୍ତି।