କରୋନା ଉଜାଡିଦେଲା ସୁନାର ସଂସାର । ଦୁଇ ଭେଣ୍ଡିଆ ପୁ୍ଅଙ୍କ ଗଲା ଜୀବନ, ବେସାହାରା ହୋଇଗଲା ପରିବାର । ଭୁବନରେ ମୃତଦେହକୁ କାନ୍ଧଦେଲେ ତହସିଲଦାର ଓ ଆରଆଇ, ଜୀବନ ହାରିଲେ ଆଉ ଜଣେ ସାମ୍ବାଦିକ ।

546

କନକ ବ୍ୟୁରୋ : କରୋନା ଉଜାଡିଦେଲା ସୁନାର ସଂସାର । ରାଜ୍ୟର ବିଭିନ୍ନ ସ୍ଥାନରୁ ଆସିଛି କରୋନାର ଏଭଳି କରୁଣ ଦୃଶ୍ୟ । ଗଜପତି ଜିଲ୍ଲା ମୋହନାରେ ଦୁଇ ରୋଜଗାରିଆ ପୁଅର ମୃତ୍ୟୁ ପରେ ଉଜୁଡିଯାଇଛି ସୁନାର ସଂସାର । ଦୁଃଖରେ ଭାଙ୍ଗି ପଡିଛନ୍ତି ପରିବାର । ଭୁବନରେ କରୋନାରେ ମୃତ୍ୟୁ ପରେ ମୃତଦେହକୁ କାନ୍ଧ ଦେଇଛନ୍ତି ଗାଁ ଲୋକଙ୍କ ସହ ତହସିଲଦାର ଓ ଆରଆଇ । ପୋଲସରାରେ କରୋନା ନେଇଛି ଆଉ ଜଣେ ସାମ୍ବାଦିକଙ୍କ ଜୀବନ ।

ପରିବାର ହରାଇଲା ୨ ପୁଅ । ଉଜୁଡିଗଲା ସୁନାର ସଂସାର । ଦୁଇ ରୋଜଗାରିଆ ପୁଅଙ୍କ ମୃତ୍ୟୁ ପରେ ଉଜୁଡିଗଲା ସୁନାର ସଂସାର । ଦୁଇ ସପ୍ତାହ ମଧ୍ୟରେ ଗୋଟିଏ ପରିବାରର ଦୁଇ ରୋଜଗାରିଆ ପୁଅକୁ ହରାଇ ଭାଙ୍ଗିପଡିଛି ପରିବାର । ମୋହନାରେ ଘଟିଛି ଏଭଳି ଦୁଃଖଦାୟକ ଘଟଣା । ମୋହନା ଜଗବନ୍ଧୁ ନାୟକଙ୍କ ବଡପୁଅ ସଞ୍ଜିବ ନାୟକଙ୍କ କରୋନାରେ ପ୍ରଥମେ ମୃତ୍ୟୁ ହୋଇଥିଲା । ତାଙ୍କ ଦେଖାଶୁଣା କରୁଥିବା ସାନଭାଇ ସୁନିଲଙ୍କ ମଧ୍ୟ କରୋନାରେ ମୃତ୍ୟୁ ଘଟିଛି । ଉଭୟ ଶିକ୍ଷକ ଭାବେ କାମ କରୁଥିଲେ । ଘରର ଦୁଇ ଦୁଇ ଜଣଙ୍କୁ ହରାଇବା ପରେ ପରିବାର ଉପରେ ସତେ ଯେମିତି ଦୁଃଖର ପାହାଡ ପଡିଯାଇଛି ।

କରୋନା ନେଇଗଲା ଜୀବନ । ମୃତଦେହ ଉଠାଇଲେ ତହସିଲଦାର ଓ ଆରଆଇ । ସେହିଭଳି କରୋନାର ଆଉ ଏକ କରୁଣ କାହାଣୀ ଆସିଛି ଢେଙ୍କାନାଳ ଭୁବନ ରେଣନ୍ଦା ପାଟଣା ଗାଁରୁ । ଗାଁର ନିରଞ୍ଜନ ବେହେରାଙ୍କ କରୋନାରେ ମୃତ୍ୟୁ ହୋଇଥିଲା । ପରିବାରର ଅନ୍ୟ ସଦସ୍ୟ କରୋନା ଆକ୍ରାନ୍ତ ଥିବାରୁ ମୃତଦେହ ଉଠାଇବାକୁ କେହି ନଥିଲେ । ଶେଷରେ ଗାଁ ଲୋକଙ୍କ ସହ କାନ୍ଧ ଦେଇଥିଲେ ତହସିଲଦାର, ସ୍ଥାନୀୟ ଆଇଆଇ ଓ କିଛି ନେତା ।

କରୋନାରେ ଗଡିଲା ମୁଣ୍ଡ । ଚାଲିଗଲା ସାମ୍ବାଦିକଙ୍କ ଜୀବନ । ସେହିଭଳି ଗଞ୍ଜାମ ଜିଲ୍ଲା ପୋଲସରାରେ ଜଣେ କାର୍ଯ୍ୟରତ ସାମ୍ବାଦିକ କିଶୋର ଚନ୍ଦ୍ର ଦାସଙ୍କ କରୋନାରେ ପରଲୋକ ହୋଇଛି । ଗତ କିଛି ଦିନ ହେବ କରୋନାରେ ଆକ୍ରାନ୍ତ ହୋଇ ସେ ଚିକିତ୍ସାଧୀନ ଥିଲେ । ଅକ୍ସିଜେନର ମାତ୍ରା ସ୍ଥିର ରହୁନଥିବାରୁ ସଙ୍କଟାପନ୍ନ ହୋଇଥିଲେ । ପରେ ତାଙ୍କର ମୃତ୍ୟୁ ହୋଇଛି ।