କନକ ବ୍ୟୁରୋ : ଦୁଃଖ ଦେଇଗଲା ବାତ୍ୟା ୟାସ୍ । ବାତ୍ୟାରେ ଘର ଭାଙ୍ଗିଯିବା ପରେ ଆର୍ଥିକ ଦୁରାବସ୍ଥା ଯୋଗୁଁ ଘର ଖଣ୍ଡିଏ ତିଆରି କରିପାରୁନାହାନ୍ତି ଉଦଳା କପ୍ତିପଦା ବ୍ଲକ ରାଇକାଳିଆ ଗାଁର ସୋମନାଥ ବିଶ୍ୱାଳ । ମୁଣ୍ଡ ଗୁଂଜିବାକୁ ଘରଟିଏ ନଥିବାରୁ ଛେଳି ଗୁହାଳରେ ଜୀବନ ବିତାଉଛନ୍ତି ପୁରା ପରିବାର । ଘର ଖଣ୍ଡିଏ ପାଇଁ ବାରମ୍ବାର ପ୍ରଶାସନର ଦ୍ୱାରସ୍ଥ ହୋଇଥିଲେ ବି ଶୁଣୁନି ପ୍ରଶାସନ ।

Advertisment

ୟାସ୍ ବାତ୍ୟାରେ ମୁଣ୍ଡ ଉପରୁ ଚାଳ ଛପର ଉଡିଯିବା ପରେ ବଞ୍ଚିବା ପାଇଁ ରାହା ଖୋଜୁଛନ୍ତି ଉଦଳା କପ୍ତିପଦା ବ୍ଲକ ରାଇକାଳିଆ ଗାଁର ସୋମନାଥଙ୍କ ପରିବାର । ଏଇ ନୂଆଣିଆ ଚାଳ ଛପର ଘରେ ସୋମନାଥଙ୍କ ୫ପ୍ରାଣୀ କୁଟୁମ୍ବ ଜୀବନ ବିତାଉଛନ୍ତି । ଘରଟି ଏପରି ହୋଇଛି ଦିନରେ ସୂର୍ଯ୍ୟ ଏବଂ ରାତିରେ ଜହ୍ନ ତାରା ସ୍ପଷ୍ଟ ଦେଖିହେବ । କାରଣ ଏହା ଘର ତ ନୁହେଁ ଏକ ଛେଳି ଗୁହାଳ । ପାଖରେ ଚାଳ ଛପର ଟିଏ ତିଆରି କରିବାକୁ ସମ୍ବଳ ନଥିବାରୁ ପୁରା ପରିବାର ଏବେ ଛେଳି ଗୁହାଳରେ ଜୀବନ ବିତାଉଛନ୍ତି ।

ୟାସ୍ ବାତ୍ୟା ଯିବା ପର ଠାରୁ ଦୁର୍ଦ୍ଦିନରେ ଦିନ କାଟୁଛନ୍ତି ପୁରା ପରିବାର । ସୋମନାଥ ଦିନ ମଜୁରିଆ ଭାବେ କାମ କରୁଥିବା ବେଳେ ୟାସ୍ ବାତ୍ୟା ଯେମିତି ତାଙ୍କ ଜୀବନରେ କାଳ ହୋଇ ଆସିଥିଲା । କାରଣ ୟାସ୍ ବାତ୍ୟାରେ ମୁଣ୍ଡ ଉପରୁ ଚାଳ ଛପର ଉଡିଗଲା, ଘର ଭାଙ୍ଗି ମାଟିରେ ମିଶିଗଲା । ବାରମ୍ବାର ଘର ଖଣ୍ଡିଏ ପାଇଁ ଜନ ପ୍ରତିନିଧିଙ୍କ ଠାରୁ ଆରମ୍ଭ କରି ବ୍ଲକ ପ୍ରଶାସନ ପର୍ଯ୍ୟନ୍ତ ସମସ୍ତଙ୍କ ଦ୍ୱାରସ୍ଥ ହୋଇଥିଲେ ସୁଦ୍ଧା କୌଣସି ସୁଫଳ ପାଇପାରିନାହାନ୍ତି ସୋମନାଥ । ତେଣୁ ଭାଗ୍ୟକୁ ଆଦରି ପୁରା ପରିବାର ଏହି ଛେଳି ଗୁହାଳରେ ଜୀବନ ବିତାଉଛନ୍ତି । ସେପଟେ ଘରର ଏପରି ପରିସ୍ଥିତି ଦେଖି ପୁଅ ଉତମ ବାହାରକୁ ଦାଦନ ଖଟିବାକୁ ଯାଇଛନ୍ତି । ସରକାରୀ ଯୋଜନାରେ ଘର ଯୋଗାଇଦେବା ନିମନ୍ତେ ସରକାର ଯୋଜନା ପରେ ଯୋଜନା କରୁଛନ୍ତି । ଏପରି ସ୍ଥିତିରେ ବାତ୍ୟାରେ କ୍ଷତିଗ୍ରସ୍ତ ପରିବାରକୁ ଘର ଖଣ୍ଡିଏ ନମିଳିବା ନିଶ୍ଚିତ ପରିତାପର ବିଷୟ ।