ଲାଲବାହୀନିର ଦବଦବା ! ପୁଲିସ ଇନଫର୍ମର ସନ୍ଦେହରେ ପ୍ରଜାକୋର୍ଟରେ ଦଣ୍ଡ

17

କନକ ବ୍ୟୁରୋ: ଲାଲକରିଡରରେ ଲାଲବାହିନୀର ଦବଦବା । ପୁଲିସ ଇନଫର୍ମର ସନ୍ଦେହରେ ମହିଳାଙ୍କୁ ପ୍ରଜାକୋର୍ଟରେ ଦଣ୍ଡ । ମାଓବାଦୀଙ୍କ ଧମକ ପରେ ଗାଁ ଛାଡିଛନ୍ତି ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବିଚ୍ଛିନ୍ନାଂଚଳ ଯନ୍ତ୍ରୀ ଗାଁର ଗୋଟିଏ ପରିବାର । ଗାଁରୁ ସିନା ପାଙ୍ଗୀଙ୍କ ପରିବାରକୁ ତଡି ଦେଇଛନ୍ତି ମାଓବାଦୀ । ପୁଲିସ ଇନଫର୍ମର ସନ୍ଦେହରେ ସିନା ପାଙ୍ଗୀଙ୍କୁ ଗାଁରୁ ବିଦା କରିବା ନେଇ ଲାଲବାହିନୀର ପ୍ରଜାକୋର୍ଟରେ ନିଷ୍ପତ୍ତି ହୋଇଥିଲା । ତେବେ ଏବେ ସିନାଙ୍କୁ ଗାଁରୁ ବିଦା କରାଯାଇଥିବା ବେଳେ ପୂର୍ବରୁ ଏହି ସମାନ ସନ୍ଦେହରେ ସ୍ୱାମୀ ଓ ପୁଅଙ୍କୁ ମଧ୍ୟ ଗାଁରୁ ତଡି ଦେଇଛନ୍ତି ମାଓବାଦୀ ।

ସୂଚନା ମୁତାବକ, ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକର ବିଚ୍ଛିନ୍ନାଞ୍ଚଳର ଯନ୍ତ୍ରୀ ଗ୍ରାମର ସନା ପାଙ୍ଗୀଙ୍କ ପରିବାରକୁ ମାଓବାଦୀଙ୍କ ପ୍ରଜାକୋର୍ଟରେ ଗାଁ ଛାଡ଼ିବାକୁ ନିର୍ଦ୍ଦେଶ ଦିଆଯାଇଛି । ଫଳରେ ଶ୍ରୀ ପାଙ୍ଗୀ ଆଜି ପରିବାର ସହିତ ଗାଁ ଛାଡ଼ି ଆସି ଚିତ୍ରକୋଣ୍ଡାରେ ପହଞ୍ଚିଛନ୍ତି ।

ଗତକାଲି ଯନ୍ତ୍ରୀ ଗ୍ରାମରେ ମାଓବାଦୀମାନେ ଏକ ପ୍ରଜାକୋର୍ଟ କରିଥିଲେ । ଏଥିରେ ଗ୍ରାମର ସନା ପାଙ୍ଗୀଙ୍କ ପରିବାରକୁ ପୁଲିସ ଇନଫରମର ସନ୍ଦେହରେ ଗାଁ ଛାଡ଼ିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ଗାଁ ନ ଛାଡ଼ିଲେ ମୃତ୍ୟୁ ଦଣ୍ଡ ଦିଆଯିବ ବୋଲି ଧମକ ଦିଆଯାଇଥିଲା । ସନା ମାଝିଙ୍କ ପୁଅ ଗାଁ ଛାଡ଼ି ଆନ୍ଧ୍ରପଦେଶରେ ରହୁଥିବାରୁ ସେଠାରେ ସେ ମାଓବାଦୀଙ୍କ ଗତିବିଧି ସମ୍ପର୍କରେ ପୁଲିସକୁ ସୂଚନା ଦେଉଛି ବୋଲି ପ୍ରଜାକୋର୍ଟରେ ଅଭିଯୋଗ କରାଯାଇଥିଲା । ଏଠାରେ ଆମେ କହି ରଖୁଛୁ କି, ମାଓବାଦୀଙ୍କ ପ୍ରଜାକୋର୍ଟ ଧମକ ଯୋଗୁଁ ଯନ୍ତ୍ରୀ ଗ୍ରାମର ୬ଟି ପରିବାର ଇତିମଧ୍ୟରେ ଗାଁ ଛାଡ଼ି ସାରିଲେଣି।