ହୋଟେଲରେ ବାସନ ମାଜି ଭାଇଭଉଣୀଙ୍କୁ ପୋଷୁଛି ବଡ ଭଉଣୀ । ହାତୀ ଘର ଭାଙ୍ଗିଦେବା ପରେ ବେସାହାରା ସମସ୍ତେ…

202

କନକ ବ୍ୟୁରୋ: ଦିଦି ଲୋ ! ତୁ ଆମ ଭଉଣୀ କମ, ମାଆ ଅଧିକ । ମାଆ ସିନା ଅଧା ବାଟରେ ଛାଡି ଚାଲିଗଲା ହେଲେ ତୁ ଆମକୁ ଛାଡିଲୁନି । ଛାତିକୁ ପଥର କରି ତୋ ହାତରେ ହାଡଭଙ୍ଗା ପରିଶ୍ରମ କଲୁ । ଆମକୁ ବଞ୍ଚେଇ ରଖିବା ପାଇଁ ହୋଟେଲରେ ବାସନ ମାଜିଲୁ । ଆଉ ଆମ ମୁହଁରେ ଦାନାଦେଲୁ । ତୁ ସତରେ ମହାନ ଲୋ ଦିଦି, ତୁ ଆମ ଭଉଣୀ କମ, ମାଆ ଅଧିକ…

ଭଙ୍ଗାଘରେ ଯନ୍ତ୍ରଣାର ଜୀବନ ବିତାଉଥିବା ଏ କୁନିକୁନି ଭାଇଭଉଣୀକୁ ଭରସା ଦେଇଛି ବଡ ଭଉଣୀ ସରସ୍ୱତୀ । ଭାଗ୍ୟ ସମସ୍ତଙ୍କୁ ଭଲରେ ରଖେନି । କାହାକୁ ବି ଏମିତି ଦୟନୀୟ ସ୍ଥିତିରେ ରଖେ । ଆଉ ସବୁ ପରିସ୍ଥିତିକୁ ସାମ୍ନାକରି ନିଜ ସହ ଅନ୍ୟକୁ ପୋଷିପାରନ୍ତି ଏ ସରସ୍ୱତୀଙ୍କ ପରି କିଛି ଧର୍ଯ୍ୟବାନ ଯୁବତୀ ।

ହଁ ସୁନ୍ଦରଗଡ କୋଇଡା ବ୍ଲକ କନ୍ତରକୋଇଡା ଗାଁର ଏ ଭଙ୍ଗାଘରେ ରହୁଛନ୍ତି ଏ ୫ ଭାଇଭଉଣୀ । ବାପା ଯକ୍ଷ୍ମାରେ ଆରପାରିକୁ ଚାଲିଯିବା ପରେ ମାଆ ଛୋଟଛୋଟ ଛୁଆଙ୍କୁ ଛାଡି କୁଆଡେ ପଳାଇଗଲା । ବାସ ତାପରଠାରୁ ଏ ପିଲାଙ୍କ ଦାୟିତ୍ୱ କାନ୍ଧରେ ବୋହୁଛନ୍ତି ବଡ ଭଉଣୀ ସରସ୍ୱତୀ । ହୋଟେଲରେ ବାସନ ମାଜି ଏମାନଙ୍କୁ ପୋଷୁଛନ୍ତି ।

ହେଲେ ଭଙ୍ଗା କୁଡିଆକୁ ହାତୀ ଭାଙ୍ଗିଦେବା ପରେ ଦୁଃଖ ଉପରେ ଲଦିଯାଇଛି ଆହୁରି ଦୁଃଖ । ଏବେ ସମ୍ପୂର୍ଣ୍ଣ ବେସାହାର ସରସ୍ୱତୀଙ୍କ ପରିବାର । ମୁଣ୍ଡ ଗୁଞ୍ଜିବାକୁ ଘର ଟିଏ ନାହିଁ, ଝାଟିମାଟି ଘରେ ୪ ଭାଇ ଭଉଣୀକୁ ସହ କଷ୍ଟେମଷ୍ଟେ ରହୁଥିଲେ ସରସ୍ୱତୀ । ଗତ ଲଗାଣବର୍ଷାରେ ଘର ଭାଙ୍ଗିଯିବା ପରେ ପଡୋଶୀ ତାଙ୍କୁ ଏକ ମାଟି ଘରେ ସାହାରା ଦେଇଥିଲେ । କିନ୍ତୁ ଏବେ ସେଇ ମାଟିଘରକୁ ଦନ୍ତା ଭାଙ୍ଗିଦେବା ପରେ ସମ୍ପୂର୍ଣ୍ଣ ଅସହାୟ ହୋଇପଡିଛନ୍ତି ସରସ୍ୱତୀ ଓ ତାଙ୍କ ପୂରା ପରିବାର । ଘରେ ଥିବା ସମସ୍ତ ଆସବାବପତ୍ର ନଷ୍ଟ କରିଦେଇଛି ଦନ୍ତା । ଏବେ ମୁଣ୍ଡ ଗୁଞ୍ଜିବାକୁ ଘରଟିଏ ନାହିଁ । ସତରେ ସରକାରଙ୍କ ମାଳ ମାଳ ଯୋଜନା ଏମାନଙ୍କ ପାଇଁ କଣ ସ୍ୱପ୍ନ ? ନା ଏମାନଙ୍କ ଭାଗ୍ୟରେ ନାହିଁ ଭଲରେ ଚଳିବା, ସୁରକ୍ଷିତ ଘରେ ରହିବା ? ପ୍ରଶାସନ କଣ ପ୍ରକୃତ ହିକାଧିକାରୀଙ୍କୁ ଜାଣୁପାରୁନି ନା ଯୋଜନା ବାଟମାରଣା ହେଉଛି? ସତରେ ସରସ୍ୱତୀଙ୍କ ଦୁଃଖକୁ ସରକାର ଶୁଣିବା ଦରକାର ।