ବାସନ୍ଦ ଯନ୍ତ୍ରଣାରେ ପରିବାର । ଦୀର୍ଘ ବର୍ଷ ଧରି ସହୁଛନ୍ତି ଗାଁ ଲୋକଙ୍କ ଗଞ୍ଜଣା

145

କନକ ବ୍ୟୁରୋ: ଆମ ପାଇଁ ମନ୍ଦିର ମନା, ମଲା ପରେ ମଶାଣି ବି ମନା । ନିଆଁ ପାଣି ସବୁ ମନା । ଘର ବାହାରକୁ ଗୋଡ କାଢିଲେ ଲୋକଙ୍କ ଟାହିଟାପରା, ବୋଲଣା । ଏ ବୟସରେ ଆଉ ଏ ଦୁଃଖ ସହି ହେଉନି କହିଲେ ଗାଁ ମୁଖିଆଙ୍କ ନାଲିଆଖି । କହିବେ ବା କାହାକୁ । ଘରର ୪ କାନ୍ଥ ଭିତରେ ବିତୁଛି ଜୀବନ । ମୃତ୍ୟୁ ଠାରୁ ବି ଆହୁରି ଯନ୍ତ୍ରଣାଦାୟକ ଏ ଜୀବନ ।  ଏ ହେଉଛି କଟକ ଜିଲ୍ଲା ବାଙ୍କୀ ବ୍ଲକ ମଧୁଆପଲୀ ପାଟଣା ଗାଁର ବାସିନ୍ଦା ବସନ୍ତ ବେହେରା ଓ ତାଙ୍କ ସ୍ତ୍ରୀଙ୍କର ମନର କୋହ ।

ପାଟଣା ଗାଁର ବସନ୍ତ ବେହେରା, ଯେଉଁ କଥାକୁ ପୂଣ୍ୟ ଭାବିଥିଲେ ତାହା ତାଙ୍କ ପାଇଁ ପାପ ହୋଇଗଲା । ଗାଁ ଲୋକଙ୍କ ଆଖିରେ ଦୋଷୀ ହୋଇଗଲେ । ଏବେ ସେ ଘର ଭିତରେ ବଞ୍ଚୁଛନ୍ତି ବନ୍ଦୀର ଜୀବନ । କଥା ହେଉଛି ୨୦୧୩ ମସିହାରେ ଝାମୁ ଯାତ୍ରାକୁ ନେଇ ତାଙ୍କ ଗାଁ ଓ ପାଖ ଗାଁ ଭିତରେ ବିବାଦ ସୃଷ୍ଟି ହେଲା । ହେଲେ ବସନ୍ତ ପାଖ ଗାଁରେ ହେଉଥିବା ଝାମୁ ଯାତ୍ରାକୁ ଯାଇ ଦଣ୍ଡ ଉପାସ ରଖିଲେ । ଏହି ସାମାନ୍ୟ କଥାକୁ ନଇ ନିଜ ଗାଁରେ ତାଙ୍କୁ ବାସନ୍ଦ କରିଦେଲେ । ବର୍ଷେ କି ଦୁଇ ବର୍ଷ ନୁହେଁ ଦୀର୍ଘ ୧୦ ବର୍ଷ ଧରି ନିଜ ଗାଁରେ ବାସନ୍ଦ ହୋଇ ରହିଛନ୍ତି ବସନ୍ତ ବେହରା । ତାଙ୍କ ପରିବାରକୁ ନିଆଁ ପାଣି ,ମନ୍ଦିର ,ମଶାଣି ସବୁ ମନା । ତାଙ୍କର କୌଣସି କାମରେ ବ୍ରାହ୍ମଣ ବି ପୂଜା କରିବାକୁ ଆସିବା ମନା ।

ତାଙ୍କ ସହ ଦଣ୍ଡ ଭୋଗୁଛନ୍ତି ତାଙ୍କ ପିଲାମାନେ । ପିଲାମାନଙ୍କ ବିଭାଘର ଯେମିତି ତାଙ୍କ ପାଇଁ ସ୍ୱପ୍ନ ହୋଇଯାଇଛି । ଗାଁ ଲୋକଙ୍କ ଡରରେ ତାଙ୍କ ପରିବାର ସହ କେହି ବନ୍ଧୁ ବାନ୍ଧିବାକୁ ଇଚ୍ଛା କରୁନାହାଁନ୍ତି । ଯେପରି ପ୍ରତିଟି ଦିନ ମରିମରି ବଞ୍ଚିବାକୁ ପଡୁଛି ବସନ୍ତ ବେହେରା ଓ ତାଙ୍କ ପରିବାରକୁ । ନ୍ୟାୟ ପାଇଁ ଜିଲ୍ଲାପାଳଙ୍କଠାରୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀଙ୍କ ଯାଏଁ ସମସ୍ତଙ୍କୁ ନିଜର ଦୁଃଖ ଜଣାଇ ସାରିଲେଣି । ହେଲେ କେହି କିଛି ଶୁଣିବାକୁ ନାରାଜ ।

ଦୁନିଆଁ ଯେତେ ଆଗେଇଲେ ବି କିଛି ସ୍ୱାର୍ଥାନ୍ଧ, ଅନ୍ଧବିଶ୍ୱାସୀ ମଣିଷ ଏ ସମାଜକୁ କଳୁଷିତ କରିବାକୁ ସବୁବେଳେ ଚାହିଁ ରହିଛନ୍ତି । ତେବେ ଆମର ଦୃଢ ବିଶ୍ୱାସ ବିସନ୍ତ ବେହେରାଙ୍କ ଏପରି ସମସ୍ୟା ଜାଣିବା ପରେ ପ୍ରଶାସନ ଏନେଇ ଯଥାର୍ଥ ପଦେକ୍ଷପ ନେବେ ଓ ତାଙ୍କ ପରିବାରକୁ ନ୍ୟାୟ ଦେବେ ।