ଶ୍ରୀମନ୍ଦିର ସେବାୟତ ପରିବାରରେ ଝିଅ ସଙ୍କଟ ! ସମସ୍ୟାର ସମାଧାନ ପାଇଁ ଗରାବଡୁ ନିଯୋଗ ପକ୍ଷରୁ ଅଭିନବ ପ୍ରୟାସ ।

28
କନକ ବ୍ୟୁରୋ : ଶ୍ରୀମନ୍ଦିର ସେବାୟତ ପରିବାରରେ ପୁଅ ଅନୁପାତରେ ଝିଅ ସଂଖ୍ୟା ଏବେ ହ୍ରାସ ପାଇଛି । ଫଳରେ ପୁଅମାନଙ୍କ ବିବାହକୁ ନେଇ ସମସ୍ୟାରେ ପଡୁଛନ୍ତି ପରିବାର ଲୋକେ । ଏହି ଅନୁପାତକୁ କିଭଳି ସମାନ କରାଯିବ ତାହାକୁ ନେଇ ଏବେ ସେବାୟତଙ୍କ ମଧ୍ୟରେ ଚିନ୍ତା ବଢିଛି । ଏନେଇ ଗରାବଡୁ ନିଯୋଗ ପକ୍ଷରୁ ଏକ ଅଭିନବ ପ୍ରୟାସ ଆରମ୍ଭ କରାଯାଇଛି ।
ଗରାବଡୁ ସମ୍ପ୍ରଦାୟର ଝିଅ ଜନ୍ମ ହେଲେ ତାର ପ୍ରଥମ ଜନ୍ମ ଦିନରେ ସମ୍ପୃକ୍ତ ପରିବାରକୁ ୧୦ ହଜାର ଟଙ୍କା ପ୍ରୋତ୍ସାହନ ରାଶି ଦେବା ଲାଗି ନିଷ୍ପତ୍ତି ନିଆଯାଇଛି । ତେବେ ସେବାୟତ ପରିବାରର ପୁଅ ଓ ଝିଅ ମାନେ ସେହି କୁଳରେ ହିଁ ବିବାହ କରିଥାନ୍ତି ।
୨୦୦୫ ଗଣନା ଅନୁଯାୟୀ ସେବାୟତ ପରିବାରର ସଂଖ୍ୟା ୧୩୨୧ ରହିଥିବା ବେଳେ ୨୦୧୩ରେ ୧୪୬୨କୁ ବୃଦ୍ଧି ପାଇଥିଲା । ୨୦୧୧ ଜନଗଣନା ଅନୁଯାୟୀ ଓଡିଶାରେ ୧ ହଜାର ପୁରୁଷରେ ମହିଳା ସଂଖ୍ୟା ୯୭୯ ରହିଥିବା ବେଳେ ୨୦୧୩ ସର୍ଭେ ରିପୋର୍ଟ ଅନୁଯାୟୀ, ସେବାୟତ କୁଳରେ ୧ ହଜାର ପୁରୁଷରେ ୮୭୩ ଜଣ ମହିଳା ଥିବା ଜଣାପଡିଛି । ୨୦୦୫ ଏବଂ ୨୦୧୩ ରିପୋର୍ଟକୁ ତୁଳନା କଲେ ରାଜଗୁରୁ, ପୁଷ୍ପାଳକ, ଖୁଣ୍ଟିଆ, ପ୍ରତିହାରୀ, ଦଇତାପତି, ରୋଷକୋଠ ଭୋଗ ପାଣିଆ, ପାଣିଆ ଆପଟ୍ଟ, ଦତ୍ତ ମହାପାତ୍ର ଆଦି ସେବାୟତ କୁଳରେ ଝିଅ ସଂଖ୍ୟା ହ୍ରାସ ପାଇଛି ।