କନକ ବ୍ୟୁରୋ : ଇଛା ଅଛି ପାଠ ପଢ଼ିବାକୁ । ହେଲେ ପରିସ୍ଥିତି ବାଧ୍ୟ କରିଛି କାମ କରିବାକୁ । ଘରେ ବୃଦ୍ଧ ବାପା,ଜେଜେ ମା’ । ଯଦି କାମ ନକରନ୍ତି ତେବେ ଘରେ ଚୁଲି ଜଳିବନି । ଗଜପତି ଜିଲ୍ଲା ମୋହନା ବ୍ଲକ ବାଡେଗୁଡ଼ା ଗାଁର ଆଦିବାସି ପୁଅ ଭିକ୍ଟର ମିଲ୍ଲିକ । ବୟସ ମାତ୍ର ୧୭, ହେଲେ କାନ୍ଧରେ ପରିବାରର ବୋଝ । କାରଣ ବାପା ବିଶାନ୍ତି ମଲ୍ଲିକ ଗଛରୁ ପଡ଼ି ଗୋଡ଼ ଭାଙ୍ଗି ଯିବାରୁ କୌଣସି କାମ କରିପାରୁନାହାଁନ୍ତି । ଘରେ ଅସହାୟ ଅବସ୍ଥାରେ ପଡ଼ି ରହିଛନ୍ତି । ଜେଜେମା ନଇଁ ନଇଁ ବାପା ବିଶାନ୍ତିଙ୍କ ସେବା କରୁଛନ୍ତି । ଦୁଃଖ କଷ୍ଟରେ ଗାଈ ଚଳାଇ ଭିକ୍ଟର ଦଶମ ପର୍ଯ୍ୟନ୍ତ ପାଠ ପଢ଼ିଛନ୍ତି । ଆଗକୁ ପଢ଼ିବାକୁ ଇଛା ଥିଲେ ବି ଅଭାବ ଅନଟନ ତାଙ୍କ ପାଠପଢ଼ାରେ ଡୋରୀ ଲଗାଇଦେଇଛି ।

Advertisment

ଗୋଟିଏ ପଟେ ନିଜ ଘର ଭାଙ୍ଗି ଯାଇଛି । ଘରକୁ ଭଲ କରି ତିଆରୀ କରିବାକୁ ପାଖରେ ଅର୍ଥ ନାହିଁ । ଏଭଳି ପରିସ୍ଥିତିରେ ଗ୍ରାମବାସୀମାନେ ଚଳିବାକୁ ଏକ ଘର ଦେଇଛନ୍ତି । ସେଇଠି ତାଙ୍କ ପରିବାର ରହୁଛନ୍ତି । ଅର୍ଥ ଅଭାବରୁ ନାନା ଅସୁବିଧା ଦେଇ ଗତି କରୁଛନ୍ତି ଭିକ୍ଟରଙ୍କ ପରିବାର । ଅନ୍ୟପଟେ ଜିଲ୍ଲା ମଙ୍ଗଳ ଅଧିକାରୀ ଏନେଇ କହିଛନ୍ତି ବର୍ଷ ଶେଷ ହେଲାଣୀ ଯେତେବେଳେ ଆଡମିଶନ ହେବ ସେତେବେଳେ ସମସ୍ତ ସୁବିଧା ଯୋଗାଇ ଦିଆଯିବ ।

ସରକାର ତାଙ୍କୁ ପକ୍କା ଘର ସହ ଭିକ୍ଟରଙ୍କୁ ପାଠ ପଢ଼ା ଖର୍ଚ୍ଚ ଦେଲେ ପରିବାରକୁ ବଡ଼ ସହାୟତା ହେବ ବୋଲି ଗାଁ ଲୋକ କହିଛନ୍ତି ।