ପାରିବାରିକ ଗଣ୍ଡଗୋଳରୁ ମାନସିକ ସ୍ଥିତି ହରାଇ ବସିଲା ମାଆ : କନ୍ଧମାଳ ଆଲିମାହାରେ ପୁଅ, ଝିଅଙ୍କୁ କୂଅକୁ ଫିଙ୍ଗି କଲା ହତ୍ୟା

365

କନକ ବ୍ୟୁରୋ : ଜନ୍ମକଲା ଛୁଆଙ୍କୁ ହତ୍ୟାକଲା ମାଆ । ମିଳିଥିବା ସୂଚନା ଅନୁସାରେ, ପାରିବାରିକ କଳହରୁ ନିଜ ଛୁଆଙ୍କୁ କୂଅ ଭିତରକୁ ଫିଙ୍ଗିଦେଇଛି ମାଆ । କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ ଆଲିମାହାରେ ଘଟିଛି ଏଭଳି ଅଭାବନୀୟ ଘଟଣା । ସ୍ୱାମୀଙ୍କ ସହ ଝଗଡା ପରେ ଝିଅ ଓ ପୁଅଙ୍କୁ ଏକ କୂଅ ଭିତରକୁ ଠେଲି ଦେଇଛି ମାଆ । ଦୁଇ ଛୁଆଙ୍କୁ କୂଅରୁ ଉଦ୍ଧାର କରିବା ପରେ ପଡ଼ୋଶୀମାନେ ଉଭୟଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ, ହେଲେ ସେଠାରେ ଡାକ୍ତର ମୃତ ଘୋଷଣା କରିଛନ୍ତି । କୁନି ପୁଅଟିର ବୟସ ୫ବର୍ଷ ହୋଇଥିବା ବେଳେ ଝିଅଟିର ବୟସ ୯ବର୍ଷ ।

ଅତି ସୁନ୍ଦର, ଡଉଲ ଡାଉଲ ଦେଖାଯାଉଥିବା ଛୁଆଙ୍କୁ ଦେଖି ସ୍ଥାନୀୟ ଅଂଚଳରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି । ସୂଚନା ଅନୁସାରେ ସ୍ବାମୀ ରାଜେଶ ପାତ୍ର ଏବଂ ସ୍ତ୍ରୀ ଭାଗ୍ୟଲକ୍ଷ୍ମୀ ପାତ୍ର ରାଇକିଆ ଅଞ୍ଚଳ ଆଲିମାହା ସାହିରେ ବସବାସ କରୁଥିଲେ । ଦୀର୍ଘଦିନ ହେଲା ଉଭୟଙ୍କ ମଧ୍ୟରେ ପାରିବାରିକ କଳହ ଲାଗି ରହିଥିଲା । ତେବେ ଗତକାଲି କଳହ ଚରମ ସୀମାରେ ପହଞ୍ଚିଥିଲା । ଫଳରେ ସ୍ତ୍ରୀ ଭାଗ୍ୟଲକ୍ଷ୍ମୀ ରାଗିଯାଇ ପୁଅ ଏବଂ ଝିଅକୁ ଧରି ଘରୁ କୁଆଡେ ଚାଲିଯାଇଥିଲେ । ତେବେ ମାଆ ଭାଗ୍ୟଲକ୍ଷ୍ମୀ ପୁଅ ଏବଂ ଝିଅକୁ ଆଲିମାହା ନିକଟସ୍ଥ ଏକ କୂଅକୁ ଠେଲି ଦେଇଥିଲେ । ହେଲେ ଭୟରେ ନିଜେ ଆତ୍ମହତ୍ୟା କରିପାରିନଥିଲା । ତେବେ ମାଆ ନିଜେ ଛୁଆଙ୍କୁ କୂଅ ଭିତରକୁ ଠେଲିଦେବା ଭଳି ଘଟଣା ସ୍ଥାନୀୟ ଅଂଚଳରେ ଚର୍ଚ୍ଚାର ବିଷୟ ହୋଇଛି ।