ଗାଁଲୋକଙ୍କ ଜଳକଷ୍ଟ ଦୂର କରିବା ପାଇଁ ପଣ କଲେ ପରିବାର । ମାତ୍ର ୨୨ ଦିନ ଭିତରେ ତିଆରି କଲେ କୂଅ । ଏବେ ପାଣି ପାଇଁ ହଇରାଣ ହେବେନି ଗାଁଲୋକେ ।

126

କନକ ବ୍ୟୁରୋ : ଆଉ ଜଣେ ଦଶରଥ ମାଂଝି । ଗାଁ ପାଇଁ ଖୋଳିଲେ କୂଅ । ଦଶଥର ମାଂଝିଙ୍କ କାହାଣୀ ଆପଣ ନିଶ୍ଚୟ ଶୁଣିଥିବେ । କେମିତି ଏକା ଏକା ବିଶାଳ ପାହାଡର ଛାତି ଚିରି ଗାଁ ପାଇଁ ସେ ରାସ୍ତା ତିଆରି କରିଥିଲେ । ଆଉ ସେଇଥିପାଇଁ ତ ତାଙ୍କୁ ମାଉଂଟେନ ମ୍ୟାନ୍ ଭାବେ ସାରା ଦେଶ ଜାଣିଛି । ତେବେ ଆଜି ଆମେ ଆପଣଙ୍କୁ ସେମିତି ଜଣେ ବ୍ୟକ୍ତିଙ୍କୁ ଦେଖାଇବୁ, ଯିଏ ଦଶରଥ ମାଂଝିଙ୍କ କାହାଣୀ ଆଜି ମନେ ପକାଇଦେଇଛନ୍ତି । କିନ୍ତୁ ପାହାଡ ନୁହେଁ ଗାଁ ପାଇଁ କୂଅଟିଏ ଖୋଳି ସମସ୍ତଙ୍କ ମନ କିଣିନେଇଛନ୍ତି ।

ମହାରାଷ୍ଟ୍ରର ୱାସିମ ଜିଲ୍ଲାର ଜାମଖେଡ୍ ଗାଁ ନିବାସୀ ରାମଦାସ ଫୋଫଲେ । ମାଟ୍ରିକ୍ ପରୀକ୍ଷାରେ ସିନା ସେ ଫେଲ୍ ହୋଇଥିଲେ, କିନ୍ତୁ ତାଙ୍କ କାରନାମା ଶୁଣିଲେ, ଆପଣ ମଧ୍ୟ ତାଙ୍କୁ ସାଲ୍ୟୁଟ୍ କରିବେ । ଗତ କିଛି ବର୍ଷ ଧରି ପାଣି ପାଇଁ ଏହି ଗାଁର ଲୋକମାନେ ବହୁତ କଷ୍ଟ ସହିଛନ୍ତି । ତେବେ ଗାଁ ଲୋକଙ୍କ କଷ୍ଟ ସାମାନ୍ୟ ଦୂର କରିବା ପାଇଁ ପଣ କରିଥିଲେ ରାମଦାସ । ନିଜ ପତ୍ନୀ ଆଉ ଦୁଇ ପୁଅଙ୍କ ସହ ମିଶି ମାତ୍ର ୨୨ ଦିନରେ ସେ ଏକ କୂଅଟିଏ ଖୋଳିଦେଇଛନ୍ତି ।

ଗୁଜୁରାଟ ସୁରଟର ଏକ କପଡା କମ୍ପାନୀରେ ଡ୍ରାଇଭର ଭାବେ କାମ କରୁଥିଲେ ରାମଦାସ । କରୋନା ସଂକ୍ରମଣ ବୃଦ୍ଧି କାରଣରୁ ଗତ ମାର୍ଚ୍ଚ ମାସରେ ସେ ତାଙ୍କ ଗାଁକୁ ଫେରିଆସିଥିଲେ । ଗାଁକୁ ଫେରିବା ପରେ ପିଇବା ପାଣି ଏବଂ ସାଧାରଣ ବ୍ୟବହାର ପାଇଁ ପାଣିର ସମସ୍ୟା ତାଙ୍କୁ ଖୁବ ବ୍ୟଥିତ କରିଥିଲା । ଏସମ୍ପର୍କରେ ନିଜ ପତ୍ନୀଙ୍କ ସହ କଥା ହେବା ପରେ ଏକ କୂଅଟିଏ ଖୋଳିବା ପାଇଁ ସେ ନିଷ୍ପତି ନେଇଥିଲେ । ଆଉ ମେ ୧ ତାରିଖରେ ନିଜ ଜନ୍ମଦିନ ଦିନ ସେ କୂଅ ଖୋଳିବା ଆରମ୍ଭ କରିଥିଲା । ୨୨ଦିନର କଠିନ ପରିଶ୍ରମ ପରେ ଶେଷରେ ୨୦ ଫୁଟର ଏକ କୂଅ ଖୋଳିଦେଲେ ରାମଦାସ ।

ଗରିବ ହେଲେ କଣ ହେଲା, ଦଇବ ସିନା ଟଙ୍କା ଦେଇନି କିନ୍ତୁ ସେ ମନୋବଳ ହାରିନାହାନ୍ତି । ଆଉ ସେଇଥିପାଇଁ ତ ନିଜେ ବେରୋଜଗାର ଥିଲେ ମଧ୍ୟ ଗାଁ ପାଣି କୂଅଟିଏ ଖୋଳିଦେଇଛନ୍ତି । ଦୁଇଓଳି ଭଲସେ ଖାଇବାକୁ ପାଉନଥିବା ଏହି ପରିବାରଟି ଆଜି ଦୁନିଆ ପାଇଁ ପ୍ରେରଣା ପାଲଟିଛନ୍ତି । ଆଉ ପୂରା ଗାଁ ଆଜି ରାମଦାସଙ୍କୁ ସାଲ୍ୟୁଟ୍ କରୁଛି ।