ମିଳିଲାନି ସରକାରୀ ସୁବିଧା : ଲୁନାରେ ଶବ ବୋହିଲେ ପରିବାର

76

କନକ ବ୍ୟୁରୋ : ଲୁନାରେ ବୁହା ଯାଉଛି ଶବ । ଏଭଳି ଏକ ସମ୍ବେଦନଶୀଳ ଦୃଶ୍ୟ ଆସିଛି ପୁରୀ ଚନ୍ଦନପୁର ଅଞ୍ଚଳରୁ । ଅର୍ଥାଭାବରୁ ନିଜ ଲୁନାରେ ନିଜ ବୁଢି ମାଆଙ୍କ ଶବକୁ ଲୁନାରେ ବୋହିକି ନେଲେ ୨ ନାତି । ରାଜ୍ୟରେ ରୋଗୀଙ୍କୁ ମେଡିକାଲ ନେବା ପାଇଁ ସରକାର ବିଭିନ୍ନ ବ୍ୟବସ୍ଥା କରିଛନ୍ତି । ସେହିପରି ଯଦି ଜଣଙ୍କ ଦେହାନ୍ତ ହେଉଛି ତେବେ ଶବ ବ୍ୟବଚ୍ଛେଦ ଦାୟିତ୍ୱ ନିୟମ ମୁତାବକ ପୋଲିସ୍ ନେବା କଥା ।

କିନ୍ତୁ କିପରି ପୋଲିସ୍ ସବୁକିଛି କର୍ଣପାତ କରିଦିଏ ତାର ଜ୍ୱଳନ୍ତ ଉଦାହରଣ ଆସିଛି ପୁରୀ ଚନ୍ଦନପୁରରୁ । ଶେଷରେ ମୃତ ଶବକୁ ଲୁନାରେ ବୋହିଲେ ମୃତ ମହିଳାଙ୍କ ୨ ନାତି । ଟଙ୍କା ଅଭାବରୁ ବିକଳ ହୋଇ ପୋଲିସକୁ ସହଯୋଗ ମାଗିଥିଲେ ମଧ୍ୟ ମିଳିନଥିବାର ଅଭିଯୋଗ ଆସିଛି । ତେବେ ଲୁନାରେ ଶବ ବୋହିବା ଘଟଣା ଏବେ ବେଶ୍ ଆଲୋଡନ ସୃଷ୍ଟି କରିଛି । ମଙ୍ଗଳବାର ଭୋର ୪ ଟାରେ ନଦୀକୁ ଶୌଚ ହେବାକୁ ରମା ପୁଅ ମାଧବଙ୍କ ସହ ଯାଇଥିଲେ । କିନ୍ତୁ ଶୌଚ ବେଳେ ସେ ନଦୀରେ ବୁଡି ଯାଇଥିଲେ । ପରେ ଅଗ୍ନିଶମ ବିଭାଗକୁ ଖବର ଦିଆଯାଇଥିଲା ।

ଆଉ ନିସ୍ତେଜ ଅବସ୍ଥାରେ ଉଦ୍ଧାର ହୋଇଥିଲେ ରମା । ତେବେ ତାଙ୍କୁ ଡାକ୍ତରଖାନା ନେବା ପାଇଁ ୧୦୮ ଆମ୍ବୁଲାନସକୁ ଖବର ଦିଆଯାଇଥିଲା । କିନ୍ତୁ ଆମ୍ବୁଲାନସ ନିସ୍ତେଜ ଅବସ୍ଥାରେ ଥିବା ଶୁଣି ତାଙ୍କୁ ଡାକ୍ତରଖାନା ନେବା ପାଇଁ ମନାକରିଦେଇଥିଲେ କର୍ମଚାରୀ । ଏମିତିକି ଘଟଣାସ୍ଥଳକୁ ମଧ୍ୟ ଯାଇନଥିଲେ । ସେହିପର ପୋଲିସ୍ ମଧ୍ୟ ଚନ୍ଦନପୁର ଡାକ୍ତରଖାନାରୁ ପୁରୀ ମୁଖ୍ୟ ଡାକ୍ତରଖାନାକୁ ଶବ ବ୍ୟବେଚ୍ଛେଦ ପାଇଁ ନେବାକୁ କହି ଦାୟିତ୍ୱ ସାରିଦେଇଥିଲା । ତେବେ ଏଭଳି ଘଟଣାକୁ ସାଧାରଣରେ ତୀବ୍ର ନିନ୍ଦା କରାଯାଇଛି ।