ଭାଇରସଠୁ ଅଧିକ ଭୟଙ୍କର ସାଜୁଛି ଭୋକ । କାମ ମିଳୁନି, ପେଟ ପୂରୁନି… ପରିବାରର ପେଟ ଭରିବାକୁ କିଡନୀ ବିକିବାକୁ ବାହାରିଛନ୍ତି ରିକ୍ସାବାଲା ।

479

କନକ ବ୍ୟୁରୋ : ଲକଡାଉନ୍ ଲେଖୁଛି ଲୁହର କାହାଣୀ । ଭାଇରସଠୁ ଅଧିକ ଭୟଙ୍କର ଭୋକ । ଏପଟେ କୂଅ, ଆଉ ସେପଟେ ଖାଇ । ଗୋଟିଏ ପଟେ ମହାମାରୀ ସହ ଲଢୁଛି ମଣିଷ, ଆଉ ଅନ୍ୟପଟେ ନା କାମ ମିଳୁଛି ନା ପେଟ ପୁରୁଛି । ବାହାରର ଭାଇରସ ଠାରୁ ଅଧିକ ଭୟଙ୍କର ହେଉଛି ଭିତରର ଭୋକ । ଦୁଃଖର ଦଦରା କାନ୍ଥର ଘର ଭିତରେ ଯନ୍ତ୍ରଣାରେ ଜର୍ଜରିତ ହେଉଛି ଜୀବନ । ଆଉ ଜୀବନ ଦାଣ୍ଡରେ ଅଟକିଯାଇଛି, ଜୀବିକାର ରଥ । କରୋନା ଗରିବ ପରିବାରଙ୍କୁ ଏମିତି କଷ୍ଟ ଦେଉଛି ଯେ, ଏବେ ଓଳିଏ ପେଟପୂରା ଖାଇବା ସେମାନଙ୍କ ପାଇଁ ସାତସପନ ସାଜିଛି । ଆଉ ସେଇଥିପାଇଁ ତ ନିଜ କୀଡନି ବିକିବାକୁ ବାହାରିଛନ୍ତି ଏହି ଅସହାୟ ଗରିବ ପରିବାର ।

୫୫ ବର୍ଷୀୟ ମହମ୍ମଦ ନୌଶାଦ ଏବଂ ଫାତିମା ଖାତୁନ୍ ନିଜର ୫ ପିଲାଙ୍କ ସହ ଦିଲ୍ଲୀର ସରାୟକାଲେ ଖାଁରେ ଏକ ଛୋଟିଆ ଭଡା ଘରେ ରୁହନ୍ତି । ଏକ ହୋଟେଲରେ ରୁଟି ତିଆରି କରି ନିଜ ପରିବାର ଚଳାଉଥିଲେ ନୌଶାଦ । କିନ୍ତୁ ଗତବର୍ଷ ଲକଡାଉନ୍ ହେବା ପରେ ତାଙ୍କୁ ହୋଟେଲ୍ ମାଲିକ କାମରୁ ବାହାରକରିଦେଇଥିଲା । ଏହା ପରେ ଭଡାରେ ଏକ ରିକ୍ସା ଆଣି ରାସ୍ତାରେ ରିକ୍ସା ଟାଣି ପରିବାର ପ୍ରତିପୋଷଣ କରୁଥିଲେ । କିନ୍ତୁ ଦଇବ ଦାଉ ସାଧିଲା ପରି କରୋନାର ଦ୍ୱିତୀୟ ଲହର ପାଇଁ ପୁଣି ଲକଡାଉନ୍ ଲାଗିଲା, ଆଉ ରୋଜଗାର ସବୁ ବାଟ, ହରାଇବସିଲେ ନୌଶାଦ ।

ରିକ୍ସା ଚଳାଇ ଏମିତି କେତେ ଟଙ୍କା ଯେ ସଂଚିଥାନ୍ତେ…. । ଯାହାବି ରଖିଥିଲେ, ସେ ସବୁ ସରିଗଲାଣି । ସାତ ପ୍ରାଣୀ କୁଟୁମ୍ବ ଖାଇବାକୁ ହେଲେ ଟଙ୍କା ତ ଦରକାର । ନା କାମ ଅଛି, ନା ଟଙ୍କା ମିଳୁଛି । ଖାଇବାକୁ ନପାଇ ଭୋକ ଉପାସରେ ଦିନ କଟୁଛି । ଆଉ ଏପଟେ ଘର ମାଲିକ ପ୍ରତିଦିନ ଆସି ଧମକ ଦେଉଛି, ଭଡା ନଦେଲେ ଘରୁ ବାହାରିଯାଅ । କଣ କରିବେ, କେମିତି ଚଳିବେ, କିଛି ବୁଝିନପାରି ଶେଷରେ ନିଜ କିଡନୀ ବିକିବାକୁ ବାହାରିଛନ୍ତି ନୌଶାଦ । କହିଛନ୍ତି, ମହାମାରୀ ସହ ଲଢେଇ କରି ଆମେ ସିନା ବଂଚିଯାଇଛୁ, କିନ୍ତୁ ଏବେ ଏମିତି ଲାଗୁଛି ଆମେ ଭୋକରେ ମରିଯିବୁ ।

ଏପଟେ କୂଅ, ସେପଟେ ଖାଇ । ଉଣାଅଧିକେ ଦେଶର ସ୍ଥିତି ଏଇୟା କହିଲେ ହୁଏତ କିଛି ଭୁଲ୍ ହେବ ନାହିଁ । କରୋନା ଆମକୁ ଏଭଳି ଏକ ଦୋଦୁଲ୍ୟମାନ ସ୍ଥିତିରେ ଆଣି ଛିଡା କରିଦେଇଛି ଯେ, ଯେଉଁଠି ଜୀବନ ବଂଚାଇବାକୁ ଉଦ୍ୟମ କଲେ ଜୀବିକା ବୁଡିଯାଉଛି, ଆଉ ଜୀବିକା ବଂଚାଇବାକୁ ଗଲେ ଜୀବନ ବାଜିରେ ଲାଗିଯାଉଛି । ଲକଡାଉନ୍ ଏମିତି ଲେଖିଚାଲିଛି ଲୁହର କୋଟିଏ କାହାଣୀ ।