ଅରିନ୍ଦମଙ୍କ ମୃତ୍ୟୁ ପରେ ସୋସିଆଲ୍ ମିଡିଆରେ ବୁଲୁଛି ମିଛ ଖବର । ପଢନ୍ତୁ, କଣ କହିଲେ ଅରିନ୍ଦମଙ୍କ ଭଉଣୀ…

1,302

କନକ ବ୍ୟୁରୋ: ଯୁବ ସାମ୍ବାଦିକ ଅରିନ୍ଦମ ଦାସ ମୃତ୍ୟୁ ଘଟଣାରେ ଆଜି ଅରିନ୍ଦମଙ୍କ ପରିବାର ଲୋକେ ଏକ ଟୁଇଟ କରି, ସୋସିଆଲ ମିଡିଆରେ ଚାଲିଥିବା ଅପପ୍ରଚାରକୁ ବନ୍ଦ କରିବାକୁ ଅନୁରୋଧ କରିଛନ୍ତି । ଫେସବୁକରେ ଜଣେ ଲୋକ ତାଙ୍କ ପରିବାରକୁ ଟଙ୍କା ଦରକାର କହି ଟଙ୍କା ସଂଗ୍ରହ ପାଇଁ ଭିଡିଓ ଜାରି କରିଥିଲେ । ଏହାଛଡା ଅରିନ୍ଦମଙ୍କୁ ନେଇ ଆଉ କିଛି ଭାବ ପ୍ରବଣତାପୂର୍ଣ୍ଣ ଭିଡିଓ ବି ଜାରି ହୋଇଥିଲା । ଏସବୁ ଘଟଣା ପରେ ଆଜି ଅରିନ୍ଦମଙ୍କ ଭଉଣୀ ଝରଣା ଦାସ ଟୁଇଟ୍ କରି ଏସବୁ ବନ୍ଦ କରିବାକୁ ଅନୁରୋଧ କରିଛନ୍ତି ।

ଅରିନ୍ଦମଙ୍କ ମୃତ୍ୟୁର ଏକ ସପ୍ତାହ ପରେ ତାଙ୍କ ପରିବାର ଟୁଇଟ୍ କରି ସୋସିଆଲ ମିଡିଆରେ ଏହି ଅପପ୍ରଚାର ରୋକିବାକୁ କହିଛନ୍ତି । ଟୁଇଟରେ ଅରିନ୍ଦମଙ୍କ ଭଉଣୀ ଝରଣା କହିଛନ୍ତି, ବର୍ତ୍ତମାନ ପରିସ୍ଥିତିରେ ସୋସିଆଲ ମିଡିଆରେ ଅପପ୍ରଚାର ବନ୍ଦ କରିବା ପାଇଁ ସେ ପଦକ୍ଷେପ ନେଇଛନ୍ତି । ଏଭଳି ଦୁଃଖଦ ସ୍ଥିତିରେ ଉପହାସ କରାନଯାଉ । ଭଗବାନଙ୍କ କୃପାରୁ ସେମାନେ ଏହି ପରିସ୍ଥିତିର ମୁକାବିଲା କରିବାକୁ ସକ୍ଷମ । ଅରିନ୍ଦମଙ୍କ ପତ୍ନୀ ଓ ପୁଅର ଭବିଷ୍ୟତ ସୁରକ୍ଷିତ କରିବାକୁ ଭାଇ ଭଉଣୀ ଓ ପରିବାରର ଅନ୍ୟ ସଦସ୍ୟ ରହିଛନ୍ତି । ପରିବାର ଭାବେ ଅରିନ୍ଦମଙ୍କ ଯାହାବି ଆର୍ଥିକ ବୋଝ ରହିଛି ତାହାକୁ ସେମାନେ ମିଳିତ ଭାବେ ତୁଲାଇବେ ବୋଲି ସ୍ପଷ୍ଟ କରିଛନ୍ତି ଝରଣା ଦାସ ।

ତେବେ ସୋସିଆଲ ମିଡିଆରେ ଜଣେ ବ୍ୟକ୍ତି, ଅରିନ୍ଦମଙ୍କ ପରିବାର ଉପରେ ୬୦ ଲକ୍ଷର ଋଣ ଅଛି କହି ଟଙ୍କା ସଂଗ୍ରହ କରିବାକୁ ଭିଡିଓ ଜାରି କରିଥିଲେ । ଏଥିସହ ଭାବପ୍ରବଣତାପୂର୍ଣ୍ଣ କିଛି ଭିଡିଓ ବି ଜାରି କରିଥିଲେ । ହେଲେ ଏସବୁ କଥାକୁ ଗ୍ରହଣ କରିପାରି ନାହାନ୍ତି ପରିବାର ଲୋକେ । ଝରଣା ତାଙ୍କ ଟୁଇଟରେ ଲେଖିଛନ୍ତି, ଯେଉଁ ବ୍ୟକ୍ତିମାନେ ଅରିନ୍ଦମଙ୍କ ମୃତ୍ୟୁକୁ ନେଇ ନିଜ ଲୋକପ୍ରିୟତା ବଢାଇବାକୁ ଚାହୁଁଛନ୍ତି, ସେମାନେ ଦୟାକରି ଏସବୁ ବନ୍ଦ କରନ୍ତୁ ଏବଂ ମାନବିକ ଦୃଷ୍ଟିକୋଣରୁ ତାଙ୍କ ପରିବାର ଉପରେ ଆଉ ମାନସିକ ଚାପ ପକାନ୍ତୁ ନାହିଁ ।