କେମିତି ଦିଗହରା ହୁଏ ତଦନ୍ତ, ଆଉ କେମିତି ବିନା ଦୋଷରେ ଦଣ୍ଡ ପାଏ ନିର୍ଦ୍ଦୋଷ? ମିଳିଲା ନ୍ୟାୟ, ହଟିଲା ୮ ବର୍ଷ ପରେ ଦୁଷ୍କର୍ମର କଳାଦାଗ ।

639

କନକ ବ୍ୟୁରୋ : ୮ ବର୍ଷ ପରେ ମିଳିଲା ନ୍ୟାୟ । ନିର୍ଦ୍ଦୋଷରେ ଖଲାସ ହୋଇଛନ୍ତି ଦୁଷ୍କର୍ମ ଅଭିଯୁକ୍ତ । ନ୍ୟାୟ ତ ମିଳିନି ବରଂ ଗୋଟିଏ ବଡ କଳାଦାଗ ନିଜ ମୁଣ୍ଡ ଉପରୁ ହଟାଇଛନ୍ତି ସୋନପୁର ଜିଲ୍ଲା ତରଭା ବ୍ଲକ ଶିବତଲାର ପୂର୍ବତନ ସରପଂଚ ଉପେନ୍ଦ୍ର ନିଆଳିଙ୍କ ପରିବାର । କୋର୍ଟ ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷରେ ଖଲାସ କରିବା ପରେ ଭୁବନେଶ୍ୱର ମହିଳା ଥାନାର ତଦନ୍ତ ଉପରେ ପ୍ରଶ୍ନ ଉଠିଛି । ତରବରିଆ ତଦନ୍ତ କରି ପୋଲିସ କିଭଳି ଜଣେ ବ୍ୟକ୍ତିଙ୍କ ବିରୋଧରେ ଅପହରଣ, ଦୁଷ୍କର୍ମ ଓ ପକ୍ସୋ ଭଳି ସଙ୍ଗୀନ ଦଫା ଲଗାଏ ତାର ପ୍ରମାଣ ଦେଖିବାକୁ ମିଳିଛି ।

ଏହି ପରିବାର ସହିତ ଯାହା ଘଟିଛି ତାହା ଆଉ କାହା ସହ ନଘଟୁ । ରାଜନୈତିକ ଆକ୍ରୋଶ ଯେ କେତେ ଭୟଙ୍କର ହୋଇପାରେ ତାହା ଏହି ପରିବାରଙ୍କଠାରୁ ଅଧିକ କେହି ଭୋଗିନଥିବେ । ଭୁବନେଶ୍ୱରର ମହିଳା ଥାନା ପୁଲିସ ଏମାନଙ୍କୁ ଏମିତି ଏକ ମାମଲାରେ ଗୁନ୍ଥି ଦେଲା ଯେଉଁଥିପାଇଁ ପୂରା ପରିବାର ନିଜ ଅଂଚଳରେ ମୁଣ୍ଡ ଟେକି ବାଟ ଚାଲିପାରିଲେନି । ଦୁଷ୍କର୍ମ ଭଳି ସଙ୍ଗୀନ ମାମଲାରେ ପୋଲିସ ରେକର୍ଡରେ ଅଭିଯୁକ୍ତ ହୋଇଯାଇଥିବା ଏହି ପରିବାରର ରୋଜଗାରିଆ ପୁଅ ଜେଲଦଣ୍ଡ ଭୋଗିବା ପରେ ଶେଷରେ ପୁରା ପରିବାର ହାଇକୋର୍ଟରୁ ଜାମିନ୍ ଆଣି ମୁକୁଳିଥିଲେ । ଆଉ ୮ ବର୍ଷ କାଳ କୋର୍ଟ କଚେରୀର ଚକର କାଟି କାଟି ନୟାନ୍ତ ସର୍ବସ୍ୱାନ୍ତ ହୋଇପଡିଥିଲେ ସୋନପୁର ଜିଲ୍ଲା ତରଭା ବ୍ଲକର ଶିବତଲାର ପୂର୍ବତନ ସରପଂଚ ଉପେନ୍ଦ୍ର ନିଆଳିଙ୍କ ପରିବାର । ଆଉ ଦୀର୍ଘ ୮ ବର୍ଷ ପରେ ମାନ୍ୟବର ବିଚାରପତି ଫାଷ୍ଟ ଟ୍ରାକ ସ୍ପେଶାଲ ସେସନ ପକ୍ସୋ କୋର୍ଟ ଭୁବନେଶ୍ୱର ତାଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି ।

୧୪-ମେ-୨୦୧୪ । ସୋନପୁର ଜିଲ୍ଲା ତରଭା ବ୍ଲକ ଶିବତଲା ପଂଚାୟତର ସରପଂଚ ଉପେନ୍ଦ୍ର ନିଆଳିଙ୍କ ପୁଅ ପ୍ରଦ୍ୟୁଶ ନିଆଳିଙ୍କ ନାଁରେ ଭୁବନେଶ୍ୱର ମହିଳା ଥାନାରେ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ ଆଣିଲେ ପୀଡିତାଙ୍କ ପରିବାର । କିଛି ବୁଝିବା ଆଗରୁ ପୁରା ପରିବାର ନାଁରେ ଲାଗିଗଲା ଅପହରଣ, ଦୁଷ୍କର୍ମ ଓ ପକ୍ସୋ ଭଳି ସଙ୍ଗୀନ ଦଫା । ହେଲେ ପୀଡିତା ନିଜର ୧୬୪ ବୟାନରେ ହାକିମଙ୍କ ଆଗରେ ଗୋଟି ଗୋଟି କରି ସବୁ ସତ କହିଦେଇଥିଲେ । ପ୍ରଦୋଶ ଦୁଷ୍କର୍ମକାରୀ ନୁହନ୍ତି, ନିଜ ଇଚ୍ଛାରେ ସେ ତାଙ୍କ ସହ ଯାଇଥିଲେ । ଏପରିକି ତାଙ୍କୁ ସେ ବିବାହ କରିବାକୁ ଚାହୁଁଛନ୍ତି ଏବଂ ତାଙ୍କର ଏଥିରେ କୌଣସି ପ୍ରକାର ଭୁଲ ନାହଁ ବୋଲି ନିଜର ବୟାନ ରଖିଥିଲେ । ଆଉ ପୀଡିତାଙ୍କର ଏଭଳି ବୟାନ ଯୋଗୁଁ ନ୍ୟାୟ ପାଇଛନ୍ତି ପରିବାର ।

ଅଭିଯୋଗ ପତ୍ର ପାଇ ଭୁବନେଶ୍ୱର ମହିଳା ଥାନାର ତରବରିଆ ଭାବେ ତଦନ୍ତ ଯୋଗୁଁ ସରପଂଚଙ୍କ ପରିବାର ଦୋଷ ନକରି ମଧ୍ୟ ଦୀର୍ଘ ୮ ବର୍ଷ କାଳ ସାହି, ପଡିଶାର ଟାହି ଟାପରା ଶୁଣିଲେ । କିନ୍ତୁ ଆମ ନ୍ୟାୟିକ ବ୍ୟବସ୍ଥାର ରାୟ ଯୋଗୁଁ ପୁରା ପରିବାରକୁ ନ୍ୟାୟ ମିଳିପାରିଲା ।