ଦୁର୍ଭାଗ୍ୟ ପାଲଟିଲା ସୌଭାଗ୍ୟ ଯୋଜନା । ବିଜୁଳି ସଂଯୋଗ ନଦେଇ ହଜାର ହଜାର ଟଙ୍କାର ବିଲ୍ ପଠାଉଛି ସାଉଥ କୋ ବିଭାଗ, ଚିନ୍ତାରେ ଗରିବ ହିତାଧିକାରୀ ।

555

କନକ ବ୍ୟୁରୋ : ଗରିବଙ୍କ ପାଇଁ ଦୁର୍ଭାଗ୍ୟ ପାଲଟିଲା ସୌଭାଗ୍ୟ ଯୋଜନା । ସରକାରୀ ଯୋଜନାରେ ବିଜୁଳି ସଂଯୋଗ ନଦେଇ ହଜାର ହଜାର ଟଙ୍କାର ବିଲ୍ ପଠାଇ ଦେଉଛି ସାଉଥ କୋ ବିଭାଗ । କନ୍ଧମାଳରୁ ଆସିଛି ଏଭଳି ଅଭିଯୋଗ ।

ଦୁର୍ଭାଗ୍ୟ ପାଲଟିଲା ସୌଭାଗ୍ୟ ଯୋଜନା । ବିନା ବିଦ୍ୟୁତରେ ଆସିଲା ବିଜୁଳି ବିଲ୍ । ଗରିବ ହିତାଧିକାରୀଙ୍କ ଘରେ ବିଜୁଳି ଜାଳିବାକୁ କେନ୍ଦ୍ର ସରକାରଙ୍କ ସୌଭାଗ୍ୟ ଯୋଜନା । ହେଲେ ଏହି ଯୋଜନା ହିତାଧିକାରୀଙ୍କ ପାଇଁ ଦୁର୍ଭାଗ୍ୟ ପାଲଟିଯାଇଛି । ବିଜୁଳି ନଜାଳି ଆସୁଛି ବିଜୁଳି ବିଲ୍ ।

କନ୍ଧମାଳ ଜିଲ୍ଲାର ଫୁଲବାଣୀ ପୌରପରିଷଦର ୧୧ ନମ୍ବର ୱାର୍ଡରେ ମାଗଣା ବିଜୁଳି ପାଇଁ ସାଉଥ୍-କୋ ପକ୍ଷରୁ ହିତାଧିକାରୀ ଚୟନ କରାଯାଇଛି । ହିତାଧିକାରୀଙ୍କ ଘରେ ତାର ଲଗାଇବା ସହ ମିଟର ବସିଛି । ହେଲେ ୬ ମାସ ହେଲା ବିଜୁଳି ସଂଯୋଗ ଦିଆଯାଇନାହିଁ । ତେଣୁ ହିତାଧିକାରୀ ଆଗରୁ ଯେମିତି ଅନ୍ଧାରରେ ଥିଲେ ଏବେ ବି ସେମିତି ଅଛନ୍ତି । ହେଲେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ବିଜୁଳି ଜାଳି ନଥିବା ହିତାଧିକାରୀଙ୍କ ପାଖକୁ ଆସୁଛି ବିଜୁଳି ବିଲ୍ ।

ବିନା ବିଜୁଳିରେ ହଜାର ହଜାର ଟଙ୍କାର ବିଲ୍ ଆସିବା ପରେ ଏବେ ଚିନ୍ତାରେ ପଡିଯାଇଛନ୍ତି ହିତାଧିକାରୀ । ହିତାଧିକାରୀଙ୍କୁ ୨ରୁ ୨୦ ହଜାର ଲେଖାଏଁ ବିଲ୍ ଆସିଛି । ଏମିତି ବିଲ୍ ଆସିବା ପରେ ଗ୍ରାମବାସୀ ‘ସାଉଥ-କୋ’ର ଜେଇ ଓ ଏସଡିଓଙ୍କୁ ଜଣାଇଲେ, ସେମାନେ ଓଲଟା ନାଲି ଆଖି ଦେଖାଉଛନ୍ତି । ଅଧିକ କହିଲେ ଥାନାରେ ପୁରାଇ ଦେବା ପାଇଁ ବିଭାଗୀୟ ଅଧିକାରୀ ଧମକ ଦେଉଥିବା ଅଭିଯୋଗ ହୋଇଛି । ସେପଟେ ଏଭଳି ଅଭିଯୋଗ ସଂପର୍କରେ ଗଣମାଧ୍ୟମ ଆଗରେ ମୁହଁ ଖୋଲିବାକୁ ନାରାଜ ସାଉଥ-କୋ ନିର୍ବାହୀ ଯନ୍ତ୍ରୀ ।

ବାକି ପଡିଥିବା ବିଜୁଳି ବିଲ୍ ଆଦାୟ କରିବା ପାଇଁ ଧରପଗଡ କରୁଛି ବିଜୁଳି ବିଭାଗ । ବିଲ ପୈଠ କରିନଥିବା ଗ୍ରାହକଙ୍କ ତାର କାଟି ଦେଉଛି ବିଭାଗ । ହେଲେ ବିନା ବିଜୁଳିରେ ବିଲ ଆସିବା ଘଟଣାରେ ମୁହଁ ଖୋଲିବାକୁ ନାରାଜ ବିଦ୍ୟୁତ ବିଭାଗ ।