ଓଡ଼ିଶାରେ ସ୍ପେଶାଲ-୨୬ ଫିଲ୍ମ ଭଳି ଲୁଟ୍ କଲେ ଦୁର୍ବୃତ! ଭିଜିଲାନ୍ସ ରେଡ଼ର ନକଲି ନାଟକ କରି ଲୁଟିନେଲେ ୧୩ ଭରିରୁ ଅଧିକ ସୁନା ଗହଣା, ଟେର ପାଉନି ପୋଲିସ

47

କନକ ବ୍ୟୁରୋ : ସୁନା ଲୁଟ୍ ପାଇଁ ଅଭିନବ ଉପାୟ । ପୂରା ଫିଲ୍ମ ଷ୍ଟାଇଲରେ ଲୁଟ ହେଲା ସୁନା । ଆରପିଏଫ ଅଧିକାରୀ ବୋଲି ପରିଚୟ ଦେଇ ଜଣେ ରେଲବାଇ କର୍ମଚାରୀଙ୍କ ଘରେ କଳାକନା ବୁଲାଇ ଦେଇଛି ଲୁଟେରା । ଭିିଜିଲାନ୍ସ ରେଡର ଭୟ ଦେଖାଇ ପରିବାର ଲୋକଙ୍କଠାରୁ ୧୩ ଭରିରୁ ଅଧିକ ସୁନା ଗହଣା ଓ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଲୁଟ୍ କରି ଚମ୍ପଟ ମାରିଛି । ପୂରା ଫିଲ୍ମ ଷ୍ଟାଇଲରେ ହୋଇଛି ଏହି ଲୁଟ୍ । ତେବେ ଲୁଟ ପରେ ଲୁଟେରାକୁ ଗିରଫ କରିବା ପାଇଁ ତନାଘନା ଆରମ୍ଭ କରିଛି କମିସନରେଟ୍ ପୋଲିସ ।

ସ୍ପେଶାଲ୍ ୨୬ ଫିଲ୍ମରେ ଆପଣ ଦେଖିଥିବେ କିଭଳି ଅଭିନବ ଉପାୟରେ ସୁନା ଗହଣା ଲୁଟ୍ କରିଥିଲେ ନାୟକ । ନକଲି ସିବିଆଇ ଅଧିକାରୀ ସାଜି କଳାକନା ବୁଲାଇ ଦେଇଥିଲେ । ରାଜଧାନୀ ଭୁବନେଶ୍ୱରରେ ଜଣେ ରେଲୱେ କର୍ମଚାରୀଙ୍କ ଘରେ ପାଖାପାଖି ଏହିପରି ଢଙ୍ଗରେ ଲୁଟ୍ କରିଛନ୍ତି ନକଲି ଆରପିଏଫ୍ ଅଧିକାରୀ ।

ଶୁକ୍ରବାର, ଦିନ ପ୍ରାୟ ୧୧ଟା । ମଂଚେଶ୍ୱର ରେଲୱ କଲୋନୀରେ ପହଞ୍ଚିଲେ ଜଣେ ଦୁର୍ବୃତ୍ତ । ଏକ ବାଇକରେ ଜଣେ ଦୁର୍ବୃତ ଆରପିଏଫ୍ ଅଧିକାରୀ ବୋଲି ପରିଚୟ ଦେଇ ଶ୍ରୀନିବାସ ରାଓଙ୍କ ଘରେ ପହଁଚିଗଲେ । ସେତେବେଳେ ଶ୍ରୀନିବାସ ବାବୁ ଥାଆନ୍ତି ଅଫିସରେ । ଭିଜିଲାନ୍ସ ଶ୍ରୀନିବାସଙ୍କୁ ଗିରଫ କରିଛି, ଖୁବଶୀଘ୍ର ଘର ଉପରେ ଭିଜିଲାନ୍ସ ଚଢାଉ ହେବ ବୋଲି କହିଥିଲା ଲୁଟେରା । ଏହା ଶୁଣି ଭୟଭୀତ ହୋଇଯାଇଥିଲେ ପତ୍ନୀ ଓ ପୁଅଝିଅ ।

ପ୍ରାୟ ୧୫ ମିନିଟ୍ ଧରି ଲୁଟେରା ଜଣକ ଭିଜିଲାନ୍ସ ରେଡ ଆଳରେ ଲୁଟର ଏପରି ପ୍ଲଟ ତିଆରି କରିଥିଲେ ଯେ ନାଚାର ହୋଇଯାଇଥିଲେ ପରିବାର ଲୋକ । ଭୟଭୀତ ହୋଇ ସୁନା ଅଳଙ୍କାର ସହିତ ବହୁ ଗୁରୁତ୍ୱପୁର୍ଣ୍ଣ କାଗଜପତ୍ର ଦୁର୍ବୁତଙ୍କ ହାତରେ ଟେକି ଦେଇଥିଲେ । ଏପରିକି ଶ୍ରୀନିବାସଙ୍କ ଦୁଇ ପୁଅ-ଝିଅକୁ ନେଇ କିଛି ଦୂରରେ ଛାଡିଦେଇ ଚମ୍ପଟ ମାରିଥିଲା ନକଲି ଆରପିଏଫ୍ ଅଧିକାରୀ ସାଜି ଆସିଥିବା ଲୁଟେରା ।

ତେବେ ଦୁଇଘଣ୍ଟା ପରେ ବାସ୍ତବ କଥା ଜାଣିବା ପରେ ହୋସ ଉଡିଯାଇଥିଲା ପରିବାର ଲୋକଙ୍କର । ହେଲେ ସେତେବେଳକୁ ସୁନା ଗହଣା ନେଇ ଫେରାର ହୋଇଯାଇଥିଲା ଲୁଟେରା । ବେଶ୍ କିଛି ସମୟ ଧରି ଦୁର୍ବୃତ ଜଣକ ଲୁଟ୍ କରୁଥିବା ବେଳେ ପାଖ ଘର ଲୋକ ବି ଏହାର ଟେର ପାଇନଥିଲେ । ଏବେ ଏହି ଲୁଟେରାକୁ ଧରିବା ପାଇଁ ତନାଘନା ଆରମ୍ଭ କରିଛି କମିସନରେଟ୍ ପୋଲିସ ।