କନକ ବ୍ୟୁରୋ : ପାକିସ୍ତାନର ଜଣେ ବ୍ୟବସାୟୀଙ୍କ ନାମରେ ଅଭିଯୋଗ ଆସିଛି କି ସେ ତାଙ୍କର ଏକ ହଜାର କର୍ମଚାରୀଙ୍କ ଦେହରେ ନକଲି କରୋନା ଟିକା ଲଗାଇଛନ୍ତି । ମହମ୍ମଦ ୟୁସୁଫ୍ ଅମଦାନୀ ନାମକ ଜଣେ ବ୍ୟବସାୟୀଙ୍କ ବାବଦରେ ଏନେଇ ରିଫର୍ମା ନାମକ ଖବର କାଗଜରେ ରିପୋର୍ଟ ପ୍ରକାଶ ପାଇଛି । ରିପୋର୍ଟ ମୁତାବକ ୟୁସୁଫ୍ ଙ୍କ ମେକ୍ସିକୋ ସହରର କ୍ୟାମ୍ପସରେ ନିଜର କପଡା ଫ୍ୟାକ୍ଟ୍ରି ରହିଛି । ଏହି ଫ୍ୟାକ୍ଟ୍ରିରେ କାର୍ଯ୍ୟ କରୁଥିବା ୧ ହଜାରରୁ ଅଧିକ କର୍ମଚାରୀଙ୍କୁ ୟୁସୁଫ୍ ନକଲି କରୋନା ଟିକା ଲଗାଇ ଦେଇଛନ୍ତି ।
କହିରଖୁ ହାଣ୍ଡୁରସ୍ ଅଞ୍ଚଳରେ ୟୁସୁଫ୍ ଜଣେ ସବୁଠାରୁ ଧନୀ ବ୍ୟକ୍ତି ଭାବେ ପରିଚିତ । ତାଙ୍କ ଉପରେ ଅଭିଯୋଗ ଆସିଛି କି ତାଙ୍କ ଫ୍ୟାକ୍ଟ୍ରିର କର୍ମଚାରୀ ଓ କିଛି ବାହାର ଲୋକଙ୍କୁ ସେ ଏହି ନକଲି ଟିକା ଦେଇଛନ୍ତି । ଏହି ନକଲି ଟିକା କାରବାରରେ କମ୍ପାନୀର ଜଣେ ବରିଷ୍ଠ କର୍ମଚାରୀ ଓ କିଛି ରାଜନେତା ସାମିଲ ଥିବା କଥା କୁହାଯାଉଛି ।
ରିଫର୍ମାର ରିପୋର୍ଟ ମୁତାବକ ମାର୍ଚ୍ଚ ୧୦ ତାରିଖରେ ଓସନ୍ ଭ୍ୟୁ ହୋଟେଲରେ ୟୁସଫ୍ ନିଜର ଲୋକଙ୍କୁ ଏହି ଟିକା ଲଗାଇଥିଲେ । ଏହାପରେ ମାର୍ଚ୍ଚ ୧୫ ତାରିଖ ଦିନ ନିଜ କପଡା ଫ୍ୟାକ୍ଟିର କର୍ମଚାରୀଙ୍କୁ ଏହି ନକଲି ଟିକା ଦେଇଥିଲେ । ଏହାସହ କିଛି ଟ୍ୟାକ୍ସି ଡ୍ରାଇଭରଙ୍କୁ ବି ଏହି ଟିକା ଦେଇଥିବା କଥା ରିଫର୍ମା ରିପୋର୍ଟରେ ପ୍ରକାଶ ପାଇଛି ।
ଏହି ରିପୋର୍ଟ ପ୍ରକାଶ ପାଇବା ପରେ ମେକ୍ସିକୋ ପ୍ରଶାସନ ପକ୍ଷରୁ ବଳକା ଟିକାକୁ ଜବତ୍ କରାଯିବା ସହ ୟୁସୁଫଙ୍କ କପଡା ଫ୍ୟାକ୍ଟ୍ରିରେ ତାଲା ପକାଇ ଦିଆଯାଇଛି । ଏହାସହ ସମସ୍ତ କର୍ମଚାରୀଙ୍କୁ ଏପ୍ରିଲ ୪ ତାରିଖ ପର୍ଯ୍ୟନ୍ତ ଘରକୁ ପଠାଇ ଦିଆଯାଇଛି ।
ସେପଟେ ପ୍ରଶାସନର ତନାଘନା ପରେ ଅଭିଯୁକ୍ତ ୟୁସୁଫ୍ ଫେରାର୍ ହୋଇଯାଇଛି । କହିରଖୁ କି ୨୪ ମିଲିୟନ ସ୍ପୁଟନିକ (ଭି) ଭ୍ୟାକସିନ୍ ପାଇଁ ଜାନୁଆରୀ ମାସରେ ମେକ୍ସିକୋ ଋଷ ସହିତ ଚୁକ୍ତି କରିଥିଲା । ହେଲେ ବର୍ତ୍ତମାନ ପର୍ଯ୍ୟନ୍ତ ଋଷ ମେକ୍ସିକୋକୁ ୪ ଲକ୍ଷ ଟିକା ଯୋଗାଇ ଦେଇଛି । ଯେଉଁ ଟିକାକୁ ମେକ୍ସିକୋ ପକ୍ଷରୁ ଆଗଧାଡିର ସ୍ୱାସ୍ଥ୍ୟକର୍ମୀ ଓ ବୟୋଜ୍ୟୋଷ୍ଟ ଲୋକମାନଙ୍କୁ ଦେଇଛି ।