ସ୍କୁଲ ସତ, ଶିକ୍ଷକ ମିଛ: ପଦାରେ ପଡିଲା ଜାଲି ଶିକ୍ଷକଙ୍କ ଜାଲିଆତି । ମିଛ ସାର୍ଟିଫିକେଟ୍ ଦେଇ ଚାକିରି କରିଥିବା ମାଷ୍ଟରଙ୍କ ନାଁରେ ମାମଲା

984

କନକ ବ୍ୟୁରୋ: ସତ ସ୍କୁଲରେ ମିଛ ମାଷ୍ଟର । ଫେକ ସାର୍ଟିଫିକେଟ ଦେଇ ସରକାରୀ ଚାକିରି କରିଛନ୍ତି ସାରେ । ଶିକ୍ଷାଗତ ଯୋଗ୍ୟତା ନଥାଇ ବି ସରକାରୀ ସ୍କୁଲର ଶିକ୍ଷକ ସାଜିଛନ୍ତି । ଏଭଳି ସାଙ୍ଘାତିକ ଅଭିଯୋଗ ଆସିଛି ଗଜପତି ଜିଲ୍ଲାର କାର୍ଯ୍ୟରତ କିଛି ଶିକ୍ଷକଙ୍କ ବିରୋଧରେ । ନକଲି ବିଇଡି ସାର୍ଟିଫିକେଟ୍ ଦେଇ ଶିକ୍ଷକ ସାଜିଥିବା ଠକ ଶିକ୍ଷକଙ୍କ ବିରୋଧରେ ରୁଜୁ ହୋଇଛି ମାମଲା ।

ତେବେ ମାମଲା ପରେ ସାରଙ୍କୁ ଫସେଇ ଦେଇଛି ଜାଲ୍ ସାର୍ଟିଫିକେଟ୍ । ନକଲି ବିଇଡି ସାର୍ଟିଫିକେଟ୍ ଦେଇ ଫସିଛନ୍ତି ତିନି ଶିକ୍ଷକ । ଅଭିଯୋଗ ଅନୁସାରେ ଜିଲ୍ଲାର ବିଭିନ୍ନ ସ୍କୁଲରେ ଏମତି ଜାଲି ବିଇଡି ସାର୍ଟିଫିକେଟ୍ ଦେଇ ୨୦୧୬ରୁ ଚାକିରି କରିଛନ୍ତି କିଛି ଶିକ୍ଷକ । ତେବେ ଅଭିଯୋଗ ପରେ ଶିକ୍ଷା ବିଭାଗ ଆରମ୍ଭ କରିଥିଲା ଖୋଳତାଡ । ଆଉ ଖୋଳତାଡରୁ ଜଣାପଡିଥିଲା କି ଶିକ୍ଷକମାନେ ଦାଖଲ କରିଥିବା ଗୌହାଟି ୟୁନିଭର୍ସିଟିର ବିଇଡି ସାର୍ଟିଫିକେଟ୍ ସଂପୂର୍ଣ୍ଣ ନକଲି । ଏହି ନାଁରେ କୌଣସି ଅନୁଷ୍ଠାନ ନାହିଁ ।

ନାଁ ନଥିବା ବିଶ୍ୱବିଦ୍ୟାଳୟର ପ୍ରମାଣ ପତ୍ର ଦେଇ ଚାକିରି କରିଥିବା ୩ ଶିକ୍ଷକଙ୍କ ନାଁରେ ମାମଲା ହୋଇଛି । ମୋହନା ବ୍ଳକ ଅର୍ନ୍ତଗତ ପ୍ରକଳ୍ପ ଉଚ୍ଚପ୍ରଥମିକ ବିଦ୍ୟାଳୟର ଶିକ୍ଷକ ନରେଶ ମହାରଣା, କୁଙ୍କୁଣି ସ୍କୁଲର ଶିକ୍ଷୟିତ୍ରୀ ଶର୍ମିଷ୍ଠା ପାତ୍ର ଏବଂ ଯୋଡିପଥର ସ୍କୁଲର ଶିକ୍ଷୟିତ୍ରୀ ସୁଭଶ୍ରୀ ଶତପଥୀଙ୍କ ବିରୋଧରେ ଥାନାରେ ମାମଲା ରୁଜୁ କରିଛି ଜିଲ୍ଲା ଶିକ୍ଷା ବିଭାଗ ।

୩ ଶିକ୍ଷକଙ୍କ ବିରୋଧରେ ଠକେଇ, ନକଲି ପ୍ରମାଣ ପତ୍ର ଦେଇ ଚାକିରି କରିବା ଅଭିଯୋଗରେ ପାରଳାଖେମୁଣ୍ଡି ଥାନାରେ ଶିକ୍ଷାଧିକାରୀ ଏତଲା ଦେଇଛନ୍ତି । ପୁଲିସ ଏହାକୁ ଆଧାର କରି ଶିକ୍ଷକଙ୍କ ବିରୋଧରେ ଆଇପିସି ଧାରା ୪୨୦, ୪୬୮, ୪୬୭ ଓ ୩୪ ଅନୁସାରେ ଦଫା ଲଗାଇଛି । ଜିଲ୍ଲାରେ ଏହିପରି ବହୁ ଶିକ୍ଷକ କାର୍ଯ୍ୟରତ ଥିବା ଅଭିଯୋଗ କରିଛନ୍ତି ଅଂଚଳବାସୀ ।

ତେବେ ଏଠି ପ୍ରଶ୍ନ ଉଠୁଛି, ଶିକ୍ଷକ ଯଦି ଚାକିରି ପାଇଁ ଜାଲିଆତି କରିବେ, ତେବେ ସେମାନେ ଛାତ୍ରଛାତ୍ରୀଙ୍କୁ କି ଶିକ୍ଷା ଦେବେ? ଏହି ତିନି ଶିକ୍ଷକଙ୍କ ସାର୍ଟିଫିକେଟ୍ ନକଲି, ନାଁ ଏହା ପଛରେ ଏକ ର‌୍ୟାକେଟ୍ କାମ କରୁଛି? ଏଭଳି ଜାଲିଆତି କରିଥିବା ଶିକ୍ଷକଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାର ଆବଶ୍ୟକତା ରହିଛି ?