କନକ ବ୍ୟୁରୋ : ସୁନ୍ଦରଗଡ଼ ଆଞ୍ଚଳିକ ପରିବହନ ଅଧିକାରୀ ବା ଆରଟିଓର ପରିଚୟ ଦେଖାଇ ବଟି ଆଦାୟ କରିବା ମାମଲାରେ ତିନି ଯୁବକ ଗିରଫ । ଓଡ଼ିଶା-ଝାଡ଼ଖଣ୍ଡ ସୀମାରେ ଟ୍ରକ ଡ୍ରାଇଭରଙ୍କ ଠାରୁ ଏମାନେ ବଟି ଆଦାୟ କରୁଥିବା ଅଭିଯୋଗ ରହିଛି । ଝାଡ଼ଖଣ୍ଡର ଠେଠେଇଟାଙ୍ଗର ପୁଲିସ ତିନି ଯୁବକଙ୍କୁ ଗିରଫ କରି ସିମଡେଗା ଜେଲକୁ ପଠାଇ ଦେଇଛି ।

Advertisment

ଗିରଫ ଯୁବକମାନେ ହେଲେ ସୁନ୍ଦରଗଡ଼ର ପ୍ରକାଶ ଗୁପ୍ତା, ଅନୁଗୁଳର ଟୁଟୁ ଦେହୁରି ଓ ପ୍ରବୀଣ ପ୍ରଧାନ । ଏମାନଙ୍କ ନିକଟରୁ ପୁଲିସ ଯାଞ୍ଚ କରିଥିବା ଗାଡିଗୁଡ଼ିକର କାଗଜପତ୍ର ଓ ନଗଦ ଅର୍ଥ ଜବତ କରିଛି । ଗ୍ୟାଙ୍ଗରେ ଅନ୍ୟ କେଉଁମାନେ ଅଛନ୍ତି, ପୁଲିସ ତା’ର ତଦନ୍ତ ଚଳାଇଛି । ତିନି ଯୁବକ ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତ ଜାତୀୟ ରାଜପଥର ଆମ୍ବାପାଣି ଜଙ୍ଗଲ ନିକଟରେ ଗତକାଲି ରାତିରେ ପହଞ୍ଚିଥିଲେ ।

ନିଜକୁ ସୁନ୍ଦରଗଡ଼ର ଆରଟିଓ ଓ ସ୍ଥାନୀୟ ପୁଲିସ ପରିଚୟ ଦେଇ ଓଡ଼ିଶାରୁ ଝାଡ଼ଖଣ୍ଡ ଓ ଝାଡ଼ଖଣ୍ଡରୁ ଓଡ଼ିଶା ଆସୁଥିବା ଟ୍ରକଗୁଡ଼ିକର କାଗଜପତ୍ର ଯାଞ୍ଚ କରିଥିଲେ । ଏହାପରେ କାଗଜପତ୍ରର ବିଭିନ୍ନ ତ୍ରୁଟି ଆଳ ଦେଖାଇ ଟ୍ରକ ଡ୍ରାଇଭରଙ୍କ ଠାରୁ ମୋଟା ଅଙ୍କର ବଟି ଆଦାୟ କରୁଥିଲେ । ପୁଲିସ ଟିମ୍ କେନ୍ଦୁଡିହିରେ ପହଂଚି ତିନି ଜଣଙ୍କୁ ଘଟଣାସ୍ଥଳରୁ ଗିରଫ କରିଛି ।