କନକ ବ୍ୟୁରୋ : କରୋନା ମହାମାରୀ ସମୟରେ ବି ଜୀବନ ସହ ଚାଲିଛି ସାଂଘାତିକ ଖେଳ । କରୋନା ସଂକ୍ରମଣରେ ପ୍ରତିଦିନ ସାରାଦେଶରେ ହଜାର ହଜାର ଲୋକଙ୍କ ମୃତ୍ୟୁ ହେଉଥିବାବେଳେ, ଜୀବନ ରକ୍ଷାକାରୀ ଔଷଧ କରାଯାଉଛି ଜାଲି । ଅଧିକ ଲାଭର ଲୋଭରେ ସକ୍ରିୟ ହୋଇପଡିଛନ୍ତି ମେଡିସିନ ମାଫିଆ ।

ଏଭଳି ଏକ ସାଂଘାତିକ ଷଡଯନ୍ତ୍ରର ପର୍ଦ୍ଦାଫାସ କରିଛି ଦିଲ୍ଲୀ ପୋଲିସର କ୍ରାଇମବ୍ରାଂଚ୍ । ଉତ୍ତରାଖଣ୍ଡର କୋଟଦ୍ୱାରରେ ଏକ ଔଷଧ ଫ୍ୟାକ୍ଟ୍ରିରେ ନକଲି ରେମଡ଼େସିଭିର ଔଷଧ ତିଆରି କରାଯାଉଥିବା ବେଳେ ଏହା ଉପରେ ଚଢାଉ କରିଛି ଦିଲ୍ଲୀ କ୍ରାଇମବ୍ରାଂଚ ପୋଲିସ । ୭ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ୧୯୬ଟି ରେମଡ଼େସିଭିର ଇଂଜେକ୍ସନ ଜବତ ହୋଇଛି । ସେହିପରି ଇଂଜେକ୍ସନ ଭର୍ତି କରିବାକୁ ୩ ହଜାର ଖାଲି ଭାଇଲ ବା ଶିଶି ମଧ୍ୟ ଜବତ ହୋଇଛି ।

ଦିଲ୍ଲୀ ପୋଲିସ କମିଶନରଙ୍କ ନେତୃତ୍ୱରେ ଗଠିତ ସ୍ପେଶାଲ ସ୍କ୍ୱାର୍ଡ ଏହି ଚଢାଉ କରିଥିଲା । ପୋଲିସର କହିବା ହେଲା ଗୋଟିଏ ରେମଡିସିଭିର ଇଂଜେକ୍ସନକୁ ଏମାନେ ୨୫ ହଜାର ଟଙ୍କାରେ ବିକ୍ରି କରୁଥିଲେ । ନକଲି ଇଂଜେକ୍ସନ ବିକ୍ରି ସରିଥିବାରୁ ଏହା କେଉଁମାନଙ୍କୁ ବିକ୍ରି ହୋଇଛି ଓ ଏଥିରେ ଆଉ କେଉଁମାନେ ସଂପୃକ୍ତ ସେନେଇ ପୋଲିସ ଖୋଳତାଡ ଚଳାଇଛି ।