ସୁଧାଂଶୁଙ୍କ ବିରୋଧରେ ଲମ୍ବୁଛି ଅଭିଯୋଗର ଫର୍ଦ୍ଦ । କେନ୍ଦ୍ରମନ୍ତ୍ରୀ ଏବଂ ବିଧାୟକଙ୍କ ନାଁରେ କରୁଥିଲେ ଜାଲିଆତି ।

410

କନକ ବ୍ୟୁରୋ : ଦୌଡରାଣୀ ଦୂତି ଚାନ୍ଦଙ୍କ ବିରୋଧରେ ଅଶାଳୀନ ଭାଷାରେ ରିପୋର୍ଟ କରି ଗିରଫ ହୋଇଥିବା ସୁଧାଂଶୁ ରାଉତଙ୍କ ବିରୋଧରେ ଏକ ଏଭଳି ଅଭିଯୋଗ ଆସିଛି, ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନାଁରେ ଜାଲିଆତି କରି ଏହି ବ୍ୟକ୍ତି ଜାଲ ନିଯୁକ୍ତି ମଧ୍ୟ ଦେଇଥିବା ଅଭିଯୋଗ ଆସିଛି । କେବଳ ଧର୍ମେନ୍ଦ୍ର ପ୍ରଧାନ ନୁହେଁ ବିଜେଡିର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ନାଁରେ ମଧ୍ୟ ଜାଲିଆତି କରି ଏହି ବ୍ୟକ୍ତି ଟଙ୍କା ଠକିଥିବା ନେଇ ଅଭିଯୋଗ ଆସିଛି ।

ସାମ୍ବାଦିକର ପରିଚୟରେ ଠକାମୀର ସାମ୍ରାଜ୍ୟ । ବିଧାୟକ, ମନ୍ତ୍ରୀଙ୍କ ଜାଲ୍ ଦସ୍ତଖତରେ ଚାଲିଥିଲା ଠକେଇ । ଏ ଠକେଇର ସାମ୍ରାଜ୍ୟକୁ ଚଲାଇଥିଲେ ଦୂତୀଙ୍କ ବାବଦରେ ଅଶାଳୀନ ରିପୋର୍ଟ ପ୍ରକାଶ କରି ଗିରଫ ହୋଇ ଜେଲରେ ଥିବା ସୁଧାଂଶୁ ରାଉତ । ୱେବପୋର୍ଟାଲର ଆଢୁଆଳରେ, ବିଧାୟକ ମନ୍ତ୍ରୀଙ୍କ ସହ ଫଟୋକୁ ଆୟୁଧ କରି ଲୋକଙ୍କୁ ଠକି ଚାଲିଥିଲେ ଏହି ଧୁର୍ତ ବ୍ୟକ୍ତି ।
କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଜାଲ ଦସ୍ତଖତରେ ଦେଇଥିଲେ ନିଯୁକ୍ତି । ଆଶାୟୀଙ୍କ ଠାରୁ ନେଇଥିଲେ ୧ ଲକ୍ଷ ଟଙ୍କା

ଯାଜପୁରରୁ ଆସିଥିବା ଏହି ଅଭିଯୋଗ ଯେତିକି ଚିନ୍ତାଜନକ ସେତିକି ସାଂଘାତିକ ମଧ୍ୟ । ପ୍ରଥମେ ନଜର ପକାନ୍ତୁ କେନ୍ଦ୍ରମନ୍ତ୍ରୀଙ୍କ ଦସ୍ତଖତ ସହ ଆଇଓସିଏଲ ନାଁରେ ବାହାରଥିିବା ଏହି ନିଯୁକ୍ତି ବିଜ୍ଞାପନ ଉପରେ । କେଉଁ ବର୍ଗରୁ କେତେ ଜଣଙ୍କୁ ନିଯୁକ୍ତି ମିଳିବ, ତାର ପୁରା ତଥ୍ୟ ସହ ଏହାକୁ ବେଶ ଚତୁରତାର ସହ ବାହାର କରିଥିଲେ ସୁଧାଂଶୁ । ହେଲେ ଏହା ଥିଲା ଜାଲ୍ ।

ନଜର ପକାନ୍ତୁ ଏ ଲେଟର୍ ପ୍ୟାଡ୍ ଉପରେ । ଜାଲ୍ ଦସ୍ତଖତ ରହିଛି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କର, ଆଉ ଏଥିରେ ୮ ଜଣଙ୍କୁ ନିଯୁକ୍ତି ଦେବାକୁ ସୁପାରିଶ କରାଯାଇଛି ।

ଚାକିରୀ ପାଇଁ ଲକ୍ଷେ ଟଙ୍କା ମାଗିଥିଲେ ସୁଧାଂଶୁ ରାଉତ । ଆଉ ଜାଲ କାଗଜପତ୍ର କରି ନିଯୁକ୍ତି ପତ୍ର ବି ଦେଇଥିଲେ । ୧୫ ଦିନ ପରେ ଜଏନ୍ କରିବାକୁ ପଡିବ ବୋଲି ଜଣାଇ ଦେଇଥିଲେ । ହେଲେ ଏସବୁ ପଛରେ ଥିଲା ଠକେଇର ଚିନ୍ତାଧାରା । ସବୁ କିଛି ଥିଲା ଜାଲ୍ । ମାମଲା ଥାନାକୁ ନେଲାବେଳେ ଆପୋଷ ବୁଝାମଣାରେ ସମାଧାନ କରିବାକୁ କହିଥିଲେ ସୁଧାଂଶୁ । ଲକ୍ଷେ ଟଙ୍କାରୁ ମାତ୍ର ୧୦ ହଜାର ଫେରାଇଛନ୍ତି ସୁଧାଂଶୁ ।

ଠକିବା ପାଇଁ କେବଳ ଆୟୁଧ ନଥିଲେ କେନ୍ଦ୍ରମନ୍ତ୍ରୀ । ବିଧାୟକଙ୍କ ନାଁରେ ଉଠାଇ ଆଣିଥିଲେ ୱାର୍କଅର୍ଡର୍ । ଜାଲ୍ କାଗଜପତ୍ର ଜରିଆରେ ତିଆରି ହୋଇଥିଲା ବ୍ଲୁ-ପ୍ରିଂଟ । ଯାଜପୁର ବିଧାୟକ ତଥା ବିଜେଡି ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କ ନାଁକୁ ବି ବ୍ୟବହାର କରି ଜଣଙ୍କୁ ୨ ଲକ୍ଷ ଟଙ୍କାର ଚୁନା ମାରିଥିବା ଅଭିଯୋଗ ହୋଇଛି ।

ଯାଜପୁର ମ୍ୟୁନିସିପାଲିଟିର ଏକଜିକ୍ୟୁଟିଭ ଅଫିସରଙ୍କ ଦସ୍ତଖତ ଥିବା ଏହି କାଗଜରେ ଲେଖାଯାଇଛି, ସୁଧାଂଶୁଙ୍କୁ ୨୩ ଲକ୍ଷ ୨୬ ହଜାର ଟଙ୍କାର ଏକ କାମ ମିଳିଛି । ୧୩ ଅଗଷ୍ଟ ୨୦୧୯ରେ ଇସ୍ୟୁ କରାଯାଇଥିବା ଲେଟରରେ କୁହାଯାଇଛି, ୨ ମାସ ଭିତରେ କାମ ସରିବ । ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କ ଜାଲ ଦସ୍ତଖତରେ ଏହି କାମ ହାତେଇବାକୁ ବ୍ଲୁପ୍ରିଂଟ ପ୍ରସ୍ତୁତ କରାଯାଇଥିବା କୁହାଯାଉଛି । ଆଉ ଇଏ ହେଉଛି ତାର ତଥ୍ୟ । ଜାଲ୍ କାଗପତ୍ରକୁ ଦେଖାଇ ଜଣେ ବ୍ୟକ୍ତିଙ୍କ ଠାରୁ ୨ ଲକ୍ଷ ଟଙ୍କା ନେଇଥିଲେ ସୁଧାଂଶୁ । ଆଉ ପରେ ଜଣାପଡିଲା, ବ୍ୟକ୍ତି ଜଣଙ୍କ ଠକାମିର ଶିକାର ହୋଇଛନ୍ତି ।

ଦୂତୀଙ୍କ ବାବଦରେ ଅଶାଳୀନ ରିପୋର୍ଟ ପ୍ରକାଶ କରି ଗିରଫ ହୋଇଛନ୍ତି ସୁଧାଂଶୁ ରାଉତ । ଏହାରି ଭିତରେ ତାଙ୍କର ଦିନିକିଆ ରିମାଣ୍ଡ ବି ଶେଷ ହୋଇଛି । ହେଲେ ତାଙ୍କ ନାଁରେ ଆସୁଥିବା ନୂଆ ନୂଆ ଅଭିଯୋଗ ଆଗାମୀ ଦିନରେ ସୁଧାଂଶୁଙ୍କ ଅଡୁଆ ବଢାଇପାରେ ।