କନକ ବ୍ୟୁରୋ: ଜଣେ ନକଲି ଆଇପିଏସ ଅଧିକାରୀ ଗିରଫ ହେବା ପରେ ଏବେ ଜଣେ ନକଲି ଥାନାବାବୁ ଧରାପଡିଛି । ରାଜଧାନୀ ଭୁବନେଶ୍ୱରରେ ଧରାପଡିଥିବା ଏହି ନକଲି ଥାନାବାବୁ ହେଲେ । କୋରାପୁଟ ଜିଲ୍ଲାର ମନୋଜ ମହାନ୍ତି ।
ଦୀର୍ଘ ଦିନ ହେଲା ଭୁବନେଶ୍ୱର ବଡଗଡ ଅଂଚଳରେ ରହୁଥିବା ମନୋଜ, ନିଜକୁ ଖଣ୍ଡଗିରି ଆଇଆଇସି ଭାବେ ପରିଚୟ ଦେଉଥିଲେ । ନିଜକୁ ଖଣ୍ଡଗିରି ଥାନାଧିକାରୀ କହି, ଜଣେ ନାବାଳିକାଙ୍କୁ ଭେଟିବାକୁ ଡାକିଥିଲେ, କିନ୍ତୁ ଏଥିରେ ନାବାଳିକା ଜଣକ ରାଜି ହୋଇ ନଥିଲେ । ନାବାଳିକା ଜଣକ ଦୁଷ୍କର୍ମ ପୀଡିତା ହୋଇଥିବା ବେଳେ ମନୋଜ ତାଙ୍କୁ ପ୍ରେମ ନିବେଦନ କରିଥିଲେ । ତେବେ ନାବାଳିକା ଭେଟିିବାକୁ ଯିବାକୁ ମନା କରିିବା ପରେ ନକଲି ଥାନାବାବୁ ତାଙ୍କୁ ଗାଳିଗୁଳଜ କରିଥିବା ଅଭିଯୋଗ ହୋଇଛି ।
ଏହି ଘଟଣା ପରେ ଖଣ୍ଡଗିରି ଥାନାରେ ପୀଡିତା ଅଭିଯୋଗ କରିଥିଲେ । ତଦନ୍ତ ବେଳେ ମନୋଜ ମହାନ୍ତି ଜଣେ ନକଲି ପୋଲିସ ବୋଲି ଜଣାପଡିଛି । ଖାଲି ସେତିକି ନୁହେଁ ସେ ନିଜକୁ ଜଣେ ସାମ୍ବାଦିକ ବୋଲି ମଧ୍ୟ ପରିଚୟ ଦେଉଥିବା ସାମନାକୁ ଆସିଛି । ମନୋଜ ଏବଂ ତାଙ୍କର ଜଣେ ସହଯୋଗୀଙ୍କୁ ଗିରଫ କରିଛି କମିଶନରେଟ ପୋଲିସ । ରାଜଧାନୀରେ ପ୍ରଥମେ ଜଣେ ନକଲି ଆଇପିଏସ ଅଧିକାରୀ ଏବଂ ତା ପର ଦିନ ଜଣେ ନକଲି ଥାନାବାବୁ ଗିରଫ ହେବା ଚିନ୍ତା ବଢାଇଦେଇଛି ।