ରାଜଧାନୀରେ ବୁଲୁଛନ୍ତି ନକଲି ପୁଲିସ : ଟାର୍ଗେଟ୍‌ରେ ବରିଷ୍ଠ ନାଗରିକ;ସୁରକ୍ଷା ଆଳ ଦେଖାଇ ଲୁଟ୍‌

Advertisment
ରାଜଧାନୀରେ ବୁଲୁଛନ୍ତି ନକଲି ପୁଲିସ : ଟାର୍ଗେଟ୍‌ରେ ବରିଷ୍ଠ ନାଗରିକ;ସୁରକ୍ଷା ଆଳ ଦେଖାଇ ଲୁଟ୍‌

କନକ ବ୍ୟୁରୋ : ଦେହରେ ଅସଲି ପୋଷାକ, ହାତରେ ବାଡ଼ି, ଅଣ୍ଟାରେ ବନ୍ଧୁକ ସାଙ୍ଗରେ ପରିଚୟପତ୍ର। ରାଜଧାନୀ ରାସ୍ତାଘାଟରେ ଏମିତି ଅସଲି ପୁଲିସ ବେଶରେ ବୁଲୁଛନ୍ତି ନକଲି ପୁଲିସ। ଟାର୍ଗେଟରେ ରହିଛନ୍ତି ବରିଷ୍ଠ ନାଗରିକ। ବିଶ୍ବାସ ଜନ୍ମାଇ ଲୁଟପାଟ୍‌ କରୁଛନ୍ତି। ତେବେ ଏହି ଘଟଣା ନୂଆ ନୁହେଁ, ପୂର୍ବରୁ ଏଭଳି ରୢାକେଟ୍ କାମ କରୁଥିବା ବେଳେ ଗତ କିଛିଦିନ ହେଲା ସକ୍ରିୟ ହୋଇ ଉଠିଛନ୍ତି। ଥାନାକୁ ଏପରି ଅଭିଯୋଗ ଆସିବା ପରେ ଏହି ନକଲି ରୢାକେଟ୍ ସମ୍ପର୍କରେ ଜଣାପଡ଼ିଛି।

ଆଜି ଇନ୍‌ଫୋସିଟି ଅଞ୍ଚଳରେ ଏପରି ଏକ ଅଭିଯୋଗ ପହଞ୍ଚିଛି। ସନ୍ଧ୍ୟାରେ କାନନବିହାର ପେଟ୍ରୋଲ ପମ୍ପ ନିକଟରେ ପୁଲିସ ପରିଚୟ ଦେଇ ବରିଷ୍ଠ ନାଗରିକଙ୍କଠାରୁ ଲୁଟ୍ କରିଛନ୍ତି ଦୁଇ ଦୁର୍ବୃତ୍ତ। ଅଭିଯୋଗ ଅନୁସାରେ, ଦୁଇ ବରିଷ୍ଠ ନାଗରିକ ଦମ୍ପତି ସନ୍ଧ୍ୟାରେ ଚାଲିଚାଲି କାନନବିହାର ଛକ ମୁଖ୍ୟ ରାସ୍ତା ଆଡ଼କୁ ଯାଉଥିଲେ। ସେହି ସମୟରେ ଦୁଇ ଯୁବକ ବାଇକ୍‌ରେ ଆସି ନିଜକୁ ସ୍ପେସାଲ ସ୍କ୍ବାଡ୍ ପୁଲିସ୍ ବୋଲି ପରିଚୟ ଦେଇଥିଲେ। ସେମାନଙ୍କ ଭିତରୁ ଜଣେ ପୁଲିସ ପୋଷାକ ପିନ୍ଧିଥିବା ବେଳେ ଅନ୍ୟ ଜଣେ ସାଦା ପୋଷାକରେ ଥିଲେ। ବରିଷ୍ଠ ନାଗରିକ ଦମ୍ପତି ସୁନା ଗହଣା ପିନ୍ଧିଥିବା ଦେଖି ସେମାନଙ୍କୁ ଅଟକାଇଥିଲେ।

କିଛି ସମୟ ଧରି ଦମ୍ପତିଙ୍କ ସହ ଭଲରେ କଥାବାର୍ତ୍ତା ହୋଇଥିଲେ। ସେହି ରାସ୍ତାର ଗୋଟିଏ ନିର୍ଦ୍ଦିଷ୍ଟ ଲୁଟେରା ବୁଲୁଥିବାରୁ ସେମାନେ ବାଇକ୍‌ରେ ପାଟ୍ରୋଲିଂ କରୁଥିବା କହିଥିଲେ। ବିଶ୍ବାସ ଜନ୍ମାଇବା ପାଇଁ ନକଲି ପୁଲିସ ପରିଚୟପତ୍ର ଦେଖାଇଥିଲେ। ଯେଉଁ ଗହଣା ପିନ୍ଧିଛନ୍ତି, ତାହାକୁ ଖୋଲି ଦେଇ ଦେବା ଲାଗି କହିଥିଲେ। ସେମାନେ ସେଠାରେ ପାଟ୍ରୋଲିଂ କରୁଛନ୍ତି ଓ ଫେରିବା ସମୟରେ ଗହଣା ଫେରାଇ ଦେବେ ବୋଲି ଦମ୍ପତିଙ୍କୁ କହିଥିଲେ। ଦମ୍ପତି ଗହଣା ଖୋଲି ନକଲି ପୁଲିସଙ୍କ ହାତରେ ଦେବା ପରେ ସେମାନେ ଫେରାର୍‌ ହୋଇଯାଇଥିଲେ ।

ଦମ୍ପତି ଏ ନେଇ ଘରେ ଜଣାଇବା ପରେ ତାଙ୍କ ପୁଅ ବିଶ୍ବଜିତ ଆଚାର୍ଯ୍ୟ ଇନ୍‌ଫୋସିଟି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗ ପାଇବା ପରେ ପୁଲିସ୍‌ କାନନବିହାର ପେଟ୍ରୋଲ ପମ୍ପ ଓ ଆଖପାଖରେ ଲାଗିଥିବା ସିସିଟିଭି ଫୁଟେଜ୍‌ ଯାଞ୍ଚ ଚଳାଇଛି। ସ୍ଥାନୀୟ ଅଞ୍ଚଳରେ ଥିବା ଦୁଇଟି ଚିତ୍ରାଳୟରେ ମଧ୍ୟ ପୁଲିସ୍ ପୋଷାକ ଭଡ଼ାରେ ନେଇଥିବା ଲୋକଙ୍କୁ ବିଷୟରେ ପଚରାଉଚରା ଚଳାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe