ପୋଲିସ ବେଶରେ ବୁଲୁଛନ୍ତି, କରୋନା କଟକଣାର ଫାଇଦା ଉଠାଉଛନ୍ତି । ମାସ୍କ ପିନ୍ଧିନଥିବା ଲୋକଙ୍କୁ ମାଡିବସି ଛକ ଛକରେ ଫାଇନ କାଟୁଛନ୍ତି ଫେକ୍ ପୋଲିସ । ଲୁଟ୍ ପାଇଁ ଲେଡି ଲୁଟେରାର ସିଙ୍ଘମ୍ ଷ୍ଟାଇଲ୍

2,376

କନକ ବ୍ୟୁରୋ: ସାବଧାନ ! ମହାମାରୀ ବେଳେ ମାତିଛନ୍ତି ମିଛ ପୋଲିସ । ଛକ ଛକରେ ବସୁଛନ୍ତି, ଫାଇନ କାଟି ଫେରାର ହେଉଛନ୍ତି । ମାସ୍କ ପିନ୍ଧିନଥିଲେ ମୋଟା ଜରିମାନା ଲଗାଇ ନକଲି ବର୍ଦ୍ଦିର ଫାଇଦା ଉଠାଉଛନ୍ତି । ଆଉ ପୋଲିସ ପୋଷାକ ଜାଲ ବିଛାଇ ବଡ ବଡ ଶିକାର କରୁଛନ୍ତି । ତେବେ ପୋଲିସ ଏଏସଆଇ ସାଜି ଚାଲାଣ କାଟି ଚକମା ଦେଉଥିବା ଲେଡି ଲୁଟେରା ପୋଲିସ ହାତରେ ଧରାପଡିବା ପରେ ଉତୁରି ଯାଇଛି ଚୋରି ନିଶା ।

ତେବେ କରୋନା ପାଇଁ କଟକଣା ଲାଗିଥିବା ବେଳେ ମାସ୍କ ନପିନ୍ଧିଲେ ଫାଇନ କାଟୁଛି ପୋଲିସ । ଆଉ ଏହି କଟକଣାର ଫାଇଦା ନେବାକୁ ରାଜଧାନୀ ଦିଲ୍ଲୀରେ ମାତିଛନ୍ତି ନକଲି ପୋଲିସ । ରାସ୍ତାରେ ଯାଉଥିବା ଲୋକଙ୍କ ମାସ୍କ ଚେକିଂ କରିବା ସହ ଯିଏ ପିନ୍ଧିନଥାଏ ତାଙ୍କ ଠାରୁ ସଙ୍ଗେ ସଙ୍ଗେ ଚାଲାଣ ବହି ଖୋଲି ଫାଇନ୍ କାଟନ୍ତି ନକଲି ଏଏସଆଇ ତମନ୍ନା ଜାହାନ । ପୋଲିସ ବର୍ଦ୍ଦିର ବଡ ଫାଇଦା ଉଠାଇବାକୁ ସେ ବିନାମାସ୍କଧାରୀଙ୍କ ପାଖରୁ ୫୦୦ ଟଙ୍କାର ଜରିମାନା କାଟି ଫେରାର ହୋଇଯାଆନ୍ତି ।

ପୋଲିସ ପୋଷାକ ପିନ୍ଧିଥିବା ଲେଡି ଲୁଟେରା ତମନ୍ନାଙ୍କୁ ଅସଲି ପୋଲିସ ବି ଦେଖିଲେ ଚିହ୍ନି ପାରିବେନି । କାରଣ ଲୋକଙ୍କ ସାମ୍ନାରେ ସାହସର କଥା ହେବା ସହ ନିଜ ପୋଷାକରେ ନେମ ପ୍ଲେଟ ରଖିଛନ୍ତି । ଯେମିତି କି କେହି ସନ୍ଦେହ କରିବେନି । ହେଲେ ଚୋର ଘର ସବୁବେଳେ ଆଲୁଅ ନଥାଏ । ବୁଧୁବାର ଦିନ ଚାଲାଣ ବହି ସହ ନକଲି ବର୍ଦ୍ଦି ପିନ୍ଧି ତମନ୍ନା ଶିକାର ପାଇଁ ବାହାରିଯାଇଥିଲେ ବି ସେଦିନ କିନ୍ତୁ ଲୋକଙ୍କୁ ଫସେଇବା ବଦଳରେ ନିଜେ ଫଶିଯାଇଥିଲେ ।

ଜଣେ ଲୋକଙ୍କୁ ଅଟକାଇ ମାସ୍କ ପାଇଁ ଫାଇନ କାଟୁଥିବା ବେଳେ ବ୍ୟକ୍ତି ଜଣଙ୍କ ଓଲଟି ତମନ୍ନାଙ୍କୁ ପ୍ରଶ୍ନ କରିଥିଲେ ଆପଣଙ୍କ ମାସ୍କ କାଇଁ ବୋଲି । ନିଜେ ମାସ୍କ ନପିନ୍ଧି ଲୋକଙ୍କୁ ନିୟମର ପାଠ ପଢାଉଥିବା ଫେକ୍ ପୋଲିସ ଉପରେ ସନ୍ଦେହ ହେବାରୁ ବ୍ୟକ୍ତି ଜଣଙ୍କ ତୁରନ୍ତ ସ୍ଥାନୀୟ ଥାନାରେ ଏବାବଦରେ କହିବା ପରେ ଖୋଳତାଡ ଆରମ୍ଭ ହୋଇଥିବା । ଆଉ ନକଲି ପୋଲିସର ଅସଲି ଚେହେରା ସାମ୍ନାକୁ ଆସିଥିଲ । ମାସ୍କ ପାଇଁ ଫାଇନ୍ କାଟୁଥିବା ମହିଳା ଜଣଙ୍କ ପୋଲିସ ନଥିଲେ ବରଂ ଥିଲା ଜଣେ ଲେଡି ଲୁଟେରା । ତେବେ ଆପଣ ବି ହୋଇଯାଆନ୍ତୁ ସତର୍କ, କାଳେ ଆପଣଙ୍କ ହାବୁଡରେ ପଡିଯାଇ ପାରନ୍ତି ଏମିତି ନକଲି ପୋଲିସ । ଆଉ ଫାଙ୍କା କରି ଦେଇ ପାରନ୍ତି ଆପଣଙ୍କ ପର୍ସ ।