କଟକ ପରେ ଏବେ ଅନୁଗୁଳରେ ନକଲି ତେଲ କାରଖାନା ଠାବ: ଅନୁଗୁଳ ସଦର ଅଂଚଳରୁ ବିଭିନ୍ନ ବ୍ରାଣ୍ଡ ନାଁରେ ବଜାରକୁ ଯାଉଥିଲା ଅପମିଶ୍ରିତ ତେଲ

କୋଲକାତାରୁ ଆସୁଥିଲା ସାମଗ୍ରୀ । କାରଖାନା ସିଲ୍, ୪ ଅଟକ

269

କନକ ବ୍ୟୁରୋ: ଅନୁଗୁଳରୁ ନକଲି ତେଲ କାରାଖାନା ଠାବ । କୋଲକାତାରୁ ଆସୁଥିଲା ଏହି ଅପମିଶ୍ରିତ ତେଲ । ଅନୁଗୁଳ ସଦର ମହକୁମାରେ ଥିବା ଏକ ତେଲ କାରଖାନା ଉପରେ ପୋଲିସର ଚଢ଼ାଉ । ପୁଲିସର ସ୍ପେଶିଆଲ ସ୍କ୍ୱାର୍ଡ ଓ ଜନସ୍ୱାସ୍ଥ୍ୟ ବିଭାଗ ମିଳିତ ଚଢ଼ାଉ କରି ନକଲି ପାମୋଲିନ ତେଲକୁ ଜବତ କରିଛନ୍ତି । ଏହି ତେଲ ବିଭିନ୍ନ କମ୍ପାନୀର ବ୍ରାଣ୍ଡରେ ପ୍ୟାକିଂ କରାଯାଇ ବଜାରକୁ ଛଡା ଯାଉଥିଲା । ଚଢ଼ାଉ ବେଳେ ବିପୁଳ ପରିମାଣ ତେଲ, ଟିଣ, ପ୍ୟାକିଂ ଓ ଠିପି ଜବତ କରିଛି ପୋଲିସ । ଘଟଣାରେ ୪ଜଣଙ୍କୁ ଅଟକ ରଖି ପୁଲିସ ପଚରାଉଚରା କରୁଛି । ପ୍ରାଥମିକ ତଦନ୍ତ ବେଳେ ଏହି ତେଲ କୋଲକାତାର ହଳଦିଆରୁ ଟ୍ୟାଙ୍କର ଯୋଗେ ଆସିବା ପରେ ଏଠାରେ ଟିଣ ଡବାରେ ପ୍ୟାକିଂ ହେଉଥିଲା । ପରେ ବିଭିନ୍ନ କମ୍ପାନୀର ଠିପି ଓ ଲୋଗୋ ଲଗାଇ ବଜାରରେ ବିକ୍ରି କରାଯାଉଥିଲା । ଏହି କମ୍ପାନୀର କୌଣସି ପ୍ରକାର ସ୍ୱୀକୃତି ନଥିବା ବେଳେ ଫୁଡ଼ ଲାଇସେନ୍ସ ମଧ୍ୟ ନଥିଲା । ତେବେ ପ୍ରାୟ ୧ବର୍ଷ ପୂର୍ବରୁ ଏହି ତେଲ କାରଖାନା ବେଆଇନ ଭାବେ ଚାଲୁଥିବା ଜାଣି ପ୍ରଶାସନ ସିଲ୍ କରିଥିଲା । ପରେ ପୁଣି ଏହି କମ୍ପାନୀ ବିନା କୌଣସି ଲାଇସେନ୍ସରେ ଅବାଧ ଭାବେ ତେଲ ଟିଣ ପ୍ରସ୍ତୁତ କରି ବିକ୍ରି କରୁଥିଲା ।