କୋରାପୁଟରେ ଜବତ ହେଲା କୋଟି କୋଟି ଟଙ୍କାର ନକଲି ନୋଟ । ଛତିଶଗଡ ରାୟପୁରରୁ ବିଶାଖାପାଟଣା ଦେଇ କୋଲକାତା ହେଉଥିଲା ଚାଲାଣ । ନିର୍ବାଚନରେ ବଣ୍ଟାଯାଇଥାନ୍ତା କି ନକଲି ନୋଟ?

311

କନକ ବ୍ୟୁରୋ: ଚମକାଇ ଦେଲା କୋଟି କୋଟି ଟଙ୍କାର ନକଲି ନୋଟ । ୫୦୦ ଟଙ୍କିଆ ନକଲି ନୋଟର ପାହାଡ । ୭ କୋଟି ୯୦ଲକ୍ଷ ଟଙ୍କା । କୋରାପୁଟ ପୋଲିସ ହାତରେ ଧରାପଡିଛି ଏହି ବିଡା ବିଡା ନକଲି ନୋଟ । ନକଲି ନୋଟର କାରବାର କରୁଥିବା ଏହି ଗ୍ୟାଙ୍ଗ ଛତିଶଗଡ ରାଇପୁରରୁ ବାହାରି ବିଶାଖାପାଟଣା ଦେଇ କୋଲକାତା ଯିବାର ଥିଲା । କିନ୍ତୁ ଓଡିଶା-ଆନ୍ଧ୍ର ସୀମାନ୍ତ ସୁଙ୍କି ନିକଟରେ ପୋଲିସ ଚେକିଂ ବେଳେ ଧରା ପଡିଯାଇଥିଲା ଏହି ଗ୍ୟାଙ୍ଗ । ଏକ କାରରେ ୩ ଜଣ ବସିଥିଲେ । ସେମାନଙ୍କ ମଧ୍ୟରେ ଥିଲେ ଜଣେ ଇଞ୍ଜିନିୟର, ଜଣେ ହେଲପର ଏବଂ ଆଉ ଜଣେ ଡ୍ରାଇଭର । ଏହି ଚେକିଂ ସମୟରେ ପୋଲିସ ଯାଂଚ ବେଳେ ଧରାପଡିଥିଲେ ନକଲି ନୋଟର ଏହି ଗ୍ୟାଙ୍ଗ ।

ନକଲି ନୋଟ ତିଆରିର ତରିକା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ପୋଲିସର ସୂଚନା ଅନୁସାରେ ଏହି ନକଲି ନୋଟ ସବୁ ତିଆରି ହେଉଥିଲା ରାଇପୁରରେ । ଅସଲି ନୋଟକୁ ଆଣି କଲର ଜେରକ୍ସ ମେସିନ ସାହାଯ୍ୟରେ ହଜାର ହଜାର ଲକ୍ଷ ଲକ୍ଷ ନକଲି ନୋଟ ପ୍ରସ୍ତୁତ ହେଉଥିଲା । ଏଥିରେ ବ୍ୟବହାର ହେଉଥିଲା ଅସଲି ନୋଟ ପରି କାଗଜ । ନକଲି ନୋଟ ପ୍ରସ୍ତୁତ ହୋଇସାରିବା ପରେ ଏହା ଜାଣିବା ମୁସକିଲ ହୋଇପଡୁଥିଲା କୋଉଟା ଅସଲି କୋଉଟା ନକଲି । ଏହି ଗ୍ୟାଙ୍ଗରେ ୭ରୁ ୮ଜଣ ସଦସ୍ୟ ଥିବା ବେଳେ ମାଷ୍ଟରମାଇଣ୍ଡ ଜଣେ ଇଞ୍ଜିନିୟର ବୋଲି ଜଣାପଡିଛି ।

ବଡ କଥା ହେଲା ପଶ୍ଚିମବଙ୍ଗରେ ଆଗକୁ ଆସୁଛି ବିଧାନସଭା ନିର୍ବାଚନ । ଅନୁମାନ କରାଯାଉଛି ନିର୍ବାଚନ ପାଇଁ ଏହି ସବୁ ନକଲି ନୋଟ ବ୍ୟବହାର ହେବାର ଥିଲା । ଆଉ ସେଥିପାଇଁ ରାୟପୁରରୁ ଓଡିଶା ସୀମାନ୍ତ ସୁଙ୍କି ଦେଇ ବିଶାଖାପାଟଣା ଏବଂ ପରେ କୋଲକାତା ଯିବାର ଥିଲା ଏହି ନକଲି ନୋଟ । ପୋଲିସ ଏବେ ଏହି ଗ୍ୟାଙ୍ଗର ମାଷ୍ଟରମାଇଣ୍ଡ ପାଖରେ ପହଂଚିବା ପାଇଁ ଜାଲ ବିଛାଇଛି । ଏହି ନକଲି ନୋଟ ପ୍ରସ୍ତୁତ କରୁଥିବା ଗ୍ୟାଙ୍ଗର ଚେର ରାଜ୍ୟ ବାହାରକୁ ଲମ୍ବିଥିବା ବେଳେ ବାକି ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ପୋଲିସ ତନାଘନା ଆରମ୍ଭ କରିଦେଇଛି ।