ଗରିବ ଲୋକଙ୍କ ଟଙ୍କାଶାଳ ! ଜାଲନୋଟ୍ ମାୟାଜାଲରେ ଓଡିଶା

23

କନକ ବ୍ୟୁରୋ : ଜାଲ ନୋଟର ମାୟାଜାଲରେ ଓଡିଶା । ଆଉ ଏହାର ଚକ୍ରବ୍ୟୁହରେ ଛନ୍ଦି ହୋଇଯାଇଛନ୍ତି ଗରିବ, ଅଶିକ୍ଷିତ ଓ ନିଶାଖୋର ଲୋକ । ଏଭଳି ଏକ ଚାଂଚଲ୍ୟକର ତଥ୍ୟର ପର୍ଦ୍ଦାଫାଶ ହୋଇଛି । ବରଗଡରେ ନକଲି ନୋଟ୍ ଛାପା କାରଖାନା ଠାବ ହେବା ପରେ ଏହି ତଥ୍ୟ ପଦାକୁ ଆସିଛି । ନକଲି ନୋଟକୁ ରାକେଟର ବ୍ୟକ୍ତିମାନେ ଗରିବ, ଅଶିକ୍ଷିତ ଓ ନିଶାଖୋର ଲୋକଙ୍କ ମାଧ୍ୟମରେ ବଜାରକୁ ଛାଡି ଦେଉଥିଲେ ।

ଭୁବନେଶ୍ୱର ପରେ ବରଗଡରେ ଠାବ ହୋଇଛି ଟଙ୍କାଶାଳ । ସାଧାରଣ ଧଳାକାଗଜରେ କମ୍ପ୍ୟୁଟର ଓ କଲର୍ ଜେରକ୍ସ ମେସିନ ତିଆରି ହେଉଛି ପୁଳାପୁଳା ଟଙ୍କା । ନୂଆ ୨ ହଜାର ଓ ୫ ଶହ ଟଙ୍କିଆ ନୋଟ୍ ନକଲ କରିବା କଷ୍ଟକର ବୋଲି ସରକାରଙ୍କ ଘୋଷଣାକୁ ଚୁଟକିରେ ଭୁଲ ପ୍ରମାଣ କରିଛନ୍ତି ନକଲି ନୋଟ୍ କାରବାରର ସର୍ଦ୍ଦାର ।

ଉପାନ୍ତ ଅଂଚଳର ନିରିହ ଆଦିବାସୀ ଓ ନିଶାଖୋର ଲୋକଙ୍କୁ ଟାର୍ଗେଟ କରିଥାନ୍ତି ଜାଲନୋଟ୍ ବେପାରୀ । ନିଶାରେ ଚୁର୍ ଥିବା ଲୋକଟି କିଛି ଜାଣିବା ଆଗରୁ ନିଜ ଅସଲି ଟଙ୍କା ବଦଳରେ ତା ପକେଟକୁ ଚାଲିଯାଉଥିଲା ନକଲି ନୋଟ୍ ।

ବରଗଡରେ ନକଲି ନୋଟ କାରବାରରେ ସଂପୃକ୍ତ ୮ ଜଣଙ୍କ ମଧ୍ୟରେ ୨ ଜଣ ପୂର୍ବରୁ ଏହି କାରବାରରେ ଗିରଫ ହୋଇସାରିଥିଲେ । ଏହି କାରବାରରେ ସେମାନେ ସିଦ୍ଧହସ୍ତ ଥିବା ସ୍ପଷ୍ଟ । ଏପଟେ ରାଜ୍ୟର ଆଉ କେଉଁଠି ଜାଲ୍ ନୋଟ କାରବାର ହେଉଛି ତାହା ଏବେ ପୁଲିସ ପାଇଁ ଏକ ବଡ ଚ୍ୟାଲେଂଜ ।