ବ୍ୟାଙ୍କରେ ଜାଲ୍ ନୋଟ୍ । ୧୪ଟି ୫୦୦ ଟଙ୍କିଆ ନୋଟକୁ ନେଇ ବିବାଦ । ଉତ୍ତେଜନା ପରେ ଜାଲ୍ ନୋଟକୁ ନେଇ ଅସଲି ନୋଟ୍ ଦେଲେ ବ୍ୟାଙ୍କ କର୍ମଚାରୀ

417

କନକ ବ୍ୟୁରୋ: ନବରଙ୍ଗପୁର ସହର ଠାରେ ଥିବା ଆକ୍ସିସ୍ ବ୍ୟାଙ୍କର ମାଇକ୍ରୋ ଫାଇନାନ୍ସ କର୍ମଚାରୀଙ୍କ ଠାରେ ୧୪ ଗୋଟି ୫୦୦ ଟଙ୍କିଆ ନକଲି ନୋଟ ଦେଖିବାକୁ ମିଳିଛି । କିଛି ସମୟ ପାଇଁ ଆକ୍ସିସ୍ ବ୍ୟାଙ୍କ ସମ୍ମୁଖରେ ହଟହଟା ହେଲେ ବ୍ୟାଙ୍କ କର୍ମଚାରୀ ଓ ଗ୍ରାହକ । ସୂଚନା ଅନୁଯାୟୀ ବୁଧବାର ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ଅନ୍ତର୍ଗତ ପୋଡାଲଗୁଡା ଗ୍ରାମର ଏକ ଗ୍ରୁପ ପକ୍ଷରୁ ବ୍ୟାଙ୍କର ମାଇକ୍ରୋ ଫାଇନାନ୍ସ କମ୍ପାନୀର କର୍ମଚାରୀଙ୍କ ପାଖରେ ୧୩ହଜାର ୯୦ ଟଙ୍କା ଡିପୋଜିଟ କରିଥିଲେ ପି.ନରେଶ ରାଓ । କିନ୍ତୁ ପରଦିନ ମାଇକ୍ରୋ ଫାଇନାନ୍ସ କର୍ମଚାରୀ ପୋଡାଲଗୁଡା ଗ୍ରାମର ପି. ରାଜାରାଣୀ ରାଓଙ୍କୁ ଫୋନ କରି ଡିପୋଜିଟ କରିଥିବା ଟଙ୍କା ମଧ୍ୟରୁ ୧୪ଟି ୫୦୦ ଟଙ୍କା ନୋଟ୍ ନକଲି ବୋଲି ସୂଚନା ଦେଇଥିଲେ । ଫଳରେ ଗୁରୁବାର ପୋଡାଲଗୁଡା ଗ୍ରାମର ପି.ନରେଶ ରାଓଙ୍କୁ ନକଲି ୫୦୦ ଟଙ୍କା ନୋଟ ଫେରସ୍ତ କରିଦେଇଥିଲେ ଆକ୍ସିସ୍ ବ୍ୟାଙ୍କର ମାଇକ୍ରୋ ଫାଇନାନ୍ସ କର୍ମଚାରୀ । ତେବେ ଖବର ପ୍ରଘଟ ହେବା ପରେ ମାଇକ୍ରୋ ଫାଇନାନ୍ସ କର୍ମଚାରୀ ମାନେ ପୁଣି ନକଲି ଟଙ୍କାଙ୍କୁ ଫେରସ୍ତ ନେଇଯାଇଥିବା ସୂଚନା ମିଳିଛି । ତେବେ ଏଠି ପ୍ରଶ୍ନ ଉଠୁଛି, ୫୦୦ ଟଙ୍କିଆ ନକଲି ନୋଟ ଆସିଲା କେଉଁଠୁ? ଅନ୍ୟପଟେ ଆକ୍ସିସ୍ ବ୍ୟାଙ୍କ ପକ୍ଷରୁ ପୁଲିସକୁ କୌଣସି ସୂଚନା ଦିଆଯାଇନଥିବା ଜଣାପଡ଼ିଛି ।