ଚନ୍ଦ୍ରଗ୍ରହଣକୁ ନେଇ ସୋସିଆଲ ମିଡ଼ିଆରେ ବୁଲୁଛି ‘ମିଛ ଖବର’ । ଜାଣନ୍ତୁ ୧୫୦ ବର୍ଷ ପରେ ଚନ୍ଦ୍ରଗ୍ରହଣର ସତ କଣ ?

572

କନକ ବ୍ୟୁରୋ: ଆଜି ସାରା ଭାରତକୁ ଦୃଶ୍ୟମାନ ହେବ ଚନ୍ଦ୍ରଗ୍ରହଣ । ରାତି ପ୍ରାୟ ସାଢେ ଗୋଟାଏରେ ଚନ୍ଦ୍ରଗ୍ରହଣ ସ୍ପର୍ଶ ହେବ । ଏବଂ ରାତି ପ୍ରାୟ ସାଢେ ୪ଟାରେ ସର୍ବମୋକ୍ଷ ହେବ । ତେବେ ଚନ୍ଦ୍ରଗ୍ରହଣ ସ୍ପର୍ଶର ୯ ଘଣ୍ଟା ପୂର୍ବରୁ ପାକତ୍ୟାଗ ଓ ଦେବନୀତି ନିଷେଧ କରାଯାଇଛି ।

ସୋସିଆଲ ମିଡିଆରେ ୧୫୦ ବର୍ଷ ପରେ ଏହି ଚନ୍ଦ୍ରଗ୍ରହଣ ପଡୁଛି । ଏପରିକି ମଙ୍ଗଳବାର ତଥା ଗୁରୁ ପୂର୍ଣ୍ଣିମାରେ ପଡୁଥିବା ଏହି ଚନ୍ଦ୍ରଗ୍ରହଣ ଏକ ଦୁର୍ଲଭ ସଂଯୋଗ ଆଣିଥିବା ଖବର ଭାଇରାଲ ହେଉଛି । ତେବେ ଏଭଳି ଖବର ସମ୍ପୂର୍ଣ୍ଣ ବିଭ୍ରାନ୍ତିକର ଓ ଭୁଲ ବୋଲି କହିଛନ୍ତି ପଠାଣି ସାମନ୍ତ ପ୍ଲାନେଟାରିୟମର ଉପନିର୍ଦ୍ଦେଶକ ଶୁଭେନ୍ଦୁ ପଟ୍ଟନାୟକ । ଆଉ ଏହାସହ ବିଗତ ୧୫୦ ବର୍ଷ ମଧ୍ୟରେ ହୋଇଥିବା ଚନ୍ଦ୍ରଗ୍ରହଣ ଉପରେ ପୂରା ତଥ୍ୟ ଦେଇଛନ୍ତି ।

– ଗତ ୧୫୦ ବର୍ଷରେ ଅତିକମରେ ୧୨୦ଟି ପୂର୍ଣ୍ଣ ଓ ୯୦ଟି ଆଂଶିକ ଚନ୍ଦ୍ରଗ୍ରହଣ ହୋଇଛି ।
– ଗତ ୧୫୦ ବର୍ଷ ମଧ୍ୟରେ ଅତିକମରେ ୭ଟି ପୂର୍ଣ୍ଣ ଓ ୯ଟି ଆଂଶିକ ଚନ୍ଦ୍ରଗ୍ରହଣ ଗୁରୁ ପୂର୍ଣ୍ଣିମାରେ ସଙ୍ଗଠିତ ହୋଇଛି ।
– ଗତବର୍ଷ ଜୁଲାଇ ୨୭ ତାରିଖରେ ମଧ୍ୟ ଗୁରୁ ପୂର୍ଣ୍ଣିମା ଦିନ ଏକ ପୂର୍ଣ୍ଣ ଚନ୍ଦ୍ରଗ୍ରହଣ ଦେଖିବାକୁ ମିଳିଥିଲା ।
– ଗତ ୧୫୦ ବର୍ଷ ମଧ୍ୟରେ ଅତିକମରେ ୫ଟି ଚନ୍ଦ୍ରଗ୍ରହଣ ମଙ୍ଗଳବାର ସଙ୍ଗଠିତ ହୋଇଛି ।
– ୧୫୦ ବର୍ଷ ତଳେ ଅଥାର୍ତ ୧୮୬୯ ମସିହା ଜୁଲାଇ ୨୩ ତାରିଖରେ ଦେଖାଦେଇଥିବା ଆଂଶିକ ଚନ୍ଦ୍ରଗ୍ରହଣଟି ଶୁକ୍ରବାର ପଡିଥିଲା ।

ତେଣୁ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ୧୫୦ ବର୍ଷ ପରେ ପଡୁଥିବା ଚନ୍ଦ୍ରଗ୍ରହଣ ଖବର ସମ୍ପୂର୍ଣ୍ଣ ଭିତ୍ତିହୀନ । ଗ୍ରହଣ ଓ ପରାଗ ଏକ ସାଧାରଣ ମହାଜାଗତିକ ଘଟଣା ଓ ଏହାର କୌଣସି ପ୍ରଭାବ ପୃଥିବୀ ଉପରେ ପଡେନାହିଁ । ତେଣୁ ଚନ୍ଦ୍ରପରାଗର ଦୃଶ୍ୟକୁ ଉପଭୋଗ କରିବା ସହ ଏହାପଛରରେ ରହିଥିବା କାରଣ ଗୁଡିକ ଜାଣିବା ଆବଶ୍ୟକ । ଏହାସହ ଚନ୍ଦ୍ରଗ୍ରହଣକୁ ନେଇ ଯେଉଁ ଭୂଲ ଧାରଣା ରହିଛି ତାହାକୁ ମନରୁ ଦୂରେଇ ଦେବା ଦରକାର ବୋଲି କହିଛନ୍ତି ଶୁଭେନ୍ଦୁ ପଟ୍ଟନାୟକ ।