କନକ ବ୍ୟୁରୋ : କଟକରୁ ପୁଣି ଜବତ ହୋଇଛି ନକଲି ମେଡିସିନ୍ । ଝାଡା ରୋଗ ନିୟନ୍ତ୍ରଣ ପାଇଁ ବହୁଳ ବ୍ୟବହାର ହେଉଥିବା ୨ ଲକ୍ଷ ନକଲି ‘ଓ-୨’ ଔଷଧ ଜବତ କରାଯାଇଛି । ପ୍ରାୟ ୧୨ ଶହ ଷ୍ଟ୍ରିପ୍ ନକଲି ‘ଓ-୨’ ମେଡିସନ୍ ଜବତ ହୋଇଛି । ପୂର୍ବରୁ ରକ୍ତଚାପ ଏବଂ ଗ୍ୟାସ୍ ନିୟନ୍ତ୍ରଣ ପାଇଁ ବ୍ୟବହୃତ ଔଷଧ ଜବତ ହୋଇଥିବା ବେଳେ ଏବେ ନକଲି ‘ଓ-୨’ ମେଡିସନ୍ ଜବତ ହେବା ପ୍ରଶାସନର ଚିନ୍ତା ବଢାଇଦେଇଛି । ଏକ ପ୍ରତିଷ୍ଠିତ ଔଷଧ ନିର୍ମାଣକାରୀ ସଂସ୍ଥା ‘ମେଡଲେ’ କମ୍ପାନୀର ଏହି ‘ଓ-୨ ଔଷଧକୁ ନକଲି ଭାବେ ପ୍ରସ୍ତୁତ କରି ବଜାରରେ ବିକ୍ରି କରାଯାଉଥିଲା ।

Advertisment

ଏ ନେଇ ସୂଚନା ମିଳିବା ପରେ ଡ୍ରଗ୍ସ କଣ୍ଟ୍ରୋଲରଙ୍କ ପକ୍ଷରୁ ଚୌଧୁରୀ ବଜାରରେ ଥିବା ଏକ ଡିଷ୍ଟ୍ରିବ୍ୟୁଟର ସଂସ୍ଥା ଉପରେ ଚଢାଉ କରାଯାଇଥିଲା । ତେବେ ଏ ନେଇ ଔଷଧ ନିୟନ୍ତ୍ରକଙ୍କ ପକ୍ଷରୁ କଟକ ଏସଡିଜେମଙ୍କ କୋର୍ଟରେ ଉକ୍ତ ଏଜେନ୍ସି ବିରୋଧରେ ମାମଲା ରୁଜୁ କରାଯାଇଛି । ଏଥିସହ ଅଧିକ ତଦନ୍ତ ପାଇଁ ପୁରୀଘାଟ ଥାନାରେ ଏତଲା ମଧ୍ୟ ଦିଆଯାଇଛି । ଅଭିଯୋଗ ପରେ ପୁଲିସ ଉକ୍ତ ଏଜେନ୍ସିର ମାଲିକ ବିଜୟ ଅଗ୍ରୱାଲଙ୍କୁ ଥାନାରେ ଅଟକ ରଖି ଅଧିକ ପଚରାଉଚରା କରୁଛି ସୂଚନାଯୋଗ୍ୟ, ଗତ ସେପ୍ଟେମ୍ବର ଏବଂ ଅକ୍ଟୋବର ମାମସରେ ରକ୍ତଚାପ ଏବଂ ଗ୍ୟାସ୍ ନିୟନ୍ତ୍ରଣ ପାଇଁ ବ୍ୟବହୃତ ଔଷଧ ଜବତ କରାଯାଇଥିଲା ।