ନକଲି ମୋବିଲ କାରଖାନା ଠାବ । ଯାଜପୁର ବାଲିଚନ୍ଦ୍ରପୁର ଥାନା ନିକଟରେ ଥିବା ବେଆଇନ ମୋବିଲ ତିଆରି କାରଖାନା ଉପରେ ପୁଲିସର ଚଢ଼ଉ

82

କନକ ବ୍ୟୁରୋ: ନକଲି ମୋବିଲ କାରଖାନାରେ ପୋଲିସ ଚଢାଉ । ଯାଜପୁର ଜିଲ୍ଳା ବାଲିଚନ୍ଦ୍ରପୁର ଥାନା ପାରାଦୀପ ରାସ୍ତା କଡରେ ବେଆଇନ ଭାବେ ଚାଲୁଥିବା ନକଲି ମୋବିଲ ତିଆରି କାରଖାନା ଉପରେ ପୋଲିସ ଚଢଉ କରିଛି । ଏନ.କେ କମ୍ପାନୀ ନାମରେ ଚାଲିଥିବା ଏହି ଚୋରା ମୋବିଲ କାରଖାନ ଦୀର୍ଘଦିନ ଧରି ଏଠାରେ କାରବାର କରୁଥିବା ବେଳେ ବର୍ଷକ ତଳେ ପୋଲିସ ଚଢଉ କରିଥିଲା । କିଛି ଦିନ ବନ୍ଦ ରହିବା ପରେ ପୁଣି ଏହି ଅଏଲ ପ୍ରସେସିଂ ୟୁନିଟ ବେଆଇନଭାବେ ଚାଲୁଥିବା ଖବର ପାଇ ଯାଜପୁର ରୋଡ ଏସଡିପିଓ ଚିନ୍ମୟ ନାୟକଙ୍କ ନେତୃତ୍ୱରେ ବାଲିଚନ୍ଦ୍ରପୁର ପୋଲିସ ମିଳିତ ଭାବେ ଚଢଉ କରିଛି । ତେବେ କମ୍ପାନୀର ଜିଏସଟି ନମ୍ବର ରହିଥିବା ବେଳେ ସମ୍ନାରେ ମୋବାଇଲ ନମ୍ବର ମଧ୍ୟ ଲେଖାଯାଇଛି । ତେବେ ଏଠାରେ ବେଆଇନଭାବେ ରିଜେକ୍ଟ ମୋବିଲକୁ ଆଉଥରେ ରିଫାଇନ କରି ବିକ୍ରି କରାଯାଉଥିବା ବେଳେ ପୋଲିସ ଏହାର ସାଇଂଟିଫିକ ଟେଷ୍ଟ ପାଇଁ ସାମ୍ପୁଲ ସଂଗ୍ରହ କରି ଫେରିଥିବା ସୂଚନା ମିଳିଛି ।

ସେପଟେ, ଯାଜପୁରରେ ଫୁଡ ପ୍ରସେସିଂ ୟୁନିଟକୁ ସିଲ କଲା ପୋଲିସ । ଲାଇସେନସ ଥାଇ ଅସ୍ୱାସ୍ଥ୍ୟକର ପରିବେଶରେ ନିମ୍ନମାନର ସସ୍ ଓ ଆଚାର ପ୍ରସ୍ତୁତ କରୁଥିବା ଯାଜପୁର ଜିଲ୍ଳା ବଡଚଣା ଥାନା କୁନ୍ଦଳର ନିହାରିକା ଫୁଡ ପ୍ରସେସିଂ ୟୁନିଟକୁ ସିଲ କରିଛି ପୁଲିସ । ଗତକାଲି ରାତିରେ ଯାଜପୁର ରୋଡ ଏସଡିପିଓ, ବଡଚଣା ପୁଲିସ ଓ ଦର୍ପଣ ତହସିଲଦାରଙ୍କ ମିଳିତ ଚଢଉରେ କୁନ୍ଦଳ ଛକରେ ଥିବା ନିହାରିକା ଫୁଡ ପ୍ରସେସିଂ ୟୁନିଟ ଉପରେ ଚଢାଉ କରାଯାଇ ଏହାକୁ ସିଲ କରାଯାଇଛି । ଏହାର ଲାଇସନସ ଥାଇ ମଧ୍ୟ ଅସ୍ୱାସ୍ଥ୍ୟକର ପରିବେଶରେ ବିଭିନ୍ନ ପ୍ରକାର ସସ୍, ଆଚାର ଓ ଅନ୍ୟାନ୍ୟ ଖାଦ୍ୟ ସମଗ୍ରୀ ପ୍ରସ୍ତୁତି ହେଉଥିବା ନେଇ ପୁଲିସ ନିକଟରେ ଅଭିଯୋଗ ହୋଇଥିଲା । ତେବେ ପୁଲିସ ଏହି ୟୁନିଟକୁ ସିଲ କରିବା ସହ ନମୁନା ସଂଗ୍ରହ କରି ତାର ମାନ ଯାଂଚ ପାଇଁ ପଠାଇଛି । ଘଟଣାରେ ଗିରଫ ହୋଇଥିବା କାରଖାନାର ମାଲିକଙ୍କୁ ବ୍ୟକ୍ତିଗତ ମୁଚାଲିକାରେ ଛାଡିଦିଆଯାଇଛି ।