କନକ ବ୍ୟୁରୋ : ଆକାଶ ପାଠକର କାହାଣି ଯେତେ ଲମ୍ବୁଛି ସେତେ ନୂଆ ନୂଆ କଥା ସାମନାକୁ ଆସୁଛି । ଏମିତି ତଥ୍ୟ ସାମନାକୁ ଆସୁଛି, ଯାହା ଶୁଣିଲେ ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗିବ । ଆଜି କନକ ନ୍ୟୁଜ୍ ହାତରେ ଆକାଶ ପାଠକର ଅନେକ ଗୁରୁତ୍ୱପୂର୍ଣ୍ଣ ଚିଠି ଲାଗିଛି । ଟାଟା କମ୍ପାନୀର ଏମଡି ଭାବେ ନିଜକୁ ପ୍ରମାଣିତ କରିବା ପାଇଁ କେମିତି ଷଡଯନ୍ତ୍ର ରଚିଥିଲେ, ଚିଠିରୁ ତାହା ସ୍ପଷ୍ଟ ହେଉଛି ।
ଠକେଇ, ଜାଲିଆତି, ଅନିୟମିତତା, ମିଛ । ଏମିତି ଯାହା ବି ଶବ୍ଦ ଅଛି, ଆକାଶ ପାଠକଙ୍କ ଚକ୍ରବ୍ୟୁହ ଆଗରେ ହୁଏତ ଏହିି ସବୁ ଶବ୍ଦ ଛୋଟ ଲାଗିବ । ଜଣେ ବ୍ୟକ୍ତି କେତେ ଧୁର୍ତ ହୋଇପାରେ ତାର ଗୋଟିଏ ପରେ ଗୋଟିଏ ତଥ୍ୟ ସାମ୍ନାକୁ ଆସିଛି । ନିଜକୁ ଟାଟା ମୋଟର୍ସର ପୁନେ ଡିଭିଜନର ପରିଚାଳନା ନିର୍ଦ୍ଦେଶକର ପରିଚୟ ଦେଉଥିବା ଆକାଶ ପାଠକଙ୍କ ନିଯୁକ୍ତି ଜାଲିଆତିର କିଛି ପ୍ରମାଣ ସାମ୍ନାକୁ ଆସିଛି ।
ନିଯୁକ୍ତି ପତ୍ର, ମେରିଟ୍ ଲିଷ୍ଟ, ନକଲି ଚିଠି । ଟାଟା କମ୍ପାନୀ ସହ ଦୂର ଦୂର ଯାଏଁ ସମ୍ପର୍କ ନଥିବା ଆକାଶ ପାଠକ୍, ନିଯୁକ୍ତି ନାଁରେ ଏଭଳି କେଳେଙ୍କାରୀ କରିଛନ୍ତି, ଯାହା ସାଧାରଣ ଲୋକ ଧରିବା ମୁସ୍କିଲ । ଅଫର୍ ଲେଟର, ଏପଏଂଟମେଂଟ ଲେଟର, ସିଲେକ୍ସନ୍ ଲିଷ୍ଟ, ଏମିତି ଅନେକ ଚିଠି ଦିଆଯାଇଛି । ଯେଉଁଥିରେ ଟାଟାର ଲୋଗୋ ଅଛି, ଟାଟା ପୁନେ କାର୍ଯ୍ୟାଳୟର ଆଡ୍ରେସ୍ ଅଛି ଏବଂ ଜିଏସଟି ନମ୍ବର ବି ରହିଛି ।
କେବଳ ସେତିକି ନୁହେଁ, ଆକାଶଙ୍କ ମିଛ ସାମ୍ରାଜ୍ୟର ଜାଲି ଦସ୍ତାବିଜ୍ ମଧ୍ୟ ସାମ୍ନାକୁ ଆସିଛି । ଟାଟା ଆଡମିନିଷ୍ଟ୍ରେଟିଭ୍ ସର୍ଭିସର ନିଯୁକ୍ତି ପତ୍ର, ଟାଟା ମୋଟରର୍ସ ପୁନେ ଡିଭିଜନର ଭାଇସ୍ ପ୍ରେସିଡେଂଟର ନିଯୁକ୍ତି ପତ୍ର, ବୋର୍ଡ ଅପ୍ ଡ୍ରାଇରେକ୍ଟରରେ ଆକାଶ ପାଠକଙ୍କ ଦାୟିତ୍ୱ । ଆଉ ଏହି ସବୁ କାଗଜପତ୍ର ପଛରେ ରହିଛି ଠକେଇର ମୂଳଦୂଆ ।
ଆଉ ଯେତେବେଳେ ଟାଟା କମ୍ପାନୀ ନାଁରେ ନିଯୁକ୍ତି ଠକେଇର ଅଭିଯୋଗ ଆସିଥିଲା । ନିଜ ଆଡୁ ସଫେଇ ରଖି, କ୍ରାଇମବ୍ରାଂଚ୍ ଏଡିଜିଙ୍କୁ ଚିଠି ଲେଖିଥିଲେ ଆଇଏଫଏସ୍ ଅଭୟ ପାଠକଙ୍କ ପୁଅ ଆକାଶ ପାଠକ୍ । ଚିଠିରେ ଯେଉଁ ସବୁ କଥା ଲେଖିଛନ୍ତି ତାହା କାହାରିକୁ ବି ଆଶ୍ଚର୍ଯ୍ୟ କରିଦେବ ।
ଚିଠିରେ କ୍ରାଇମବ୍ରାଂଚକୁ ଲେଖିଥିଲେ, ଟାଟା ଟ୍ରଷ୍ଟର ଅଧ୍ୟକ୍ଷ ରତନ ଟାଟା ତାଙ୍କ କାମରେ ଖୁସି ହୋଇ ଅତିଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦେଇଥିଲେ । ଟାଟା ମୋଟର୍ସ ବାହାରେ ୨୦୧୯ ମସିହାରେ ପଲିଟିକାଲ ଫଣ୍ଡିଂ ପାଇଁ ନୋଡାଲ ଅଫିସର ନିଯୁକ୍ତ କରିଥିଲେ । ସେହିପରି ୨୦୧୯ରେ ସାଇରସ୍ ମିସ୍ତ୍ରୀ ଓ ନଟରାଜନ ଚନ୍ଦ୍ରଶେଖରନ ବିବାଦ ସମୟରେ ତାଙ୍କୁ ରତନ ଟାଟା ସ୍ୱତନ୍ତ୍ର ଦାୟିତ୍ୱ ଦେଇଥିଲେ । ଟାଟା ଟ୍ରଷ୍ଟର ସଦସ୍ୟ କରିବା ପାଇଁ ରତନ ଟାଟା ଚାହୁଁଥିଲେ ବୋଲି ଲେଖିଛନ୍ତି ଆକାଶ ପାଠକ ।
ବଡ଼ କଥା ହେଉଛି, ଉଣା ଅଧିକେ ଆକାଶ ପାଠକଙ୍କ କେଳେଙ୍କାରୀର ଖବର କ୍ରାଇମବ୍ରାଂଚ୍ ପାଖରେ ଥିଲା । ଯାହା ଏହି ଚିଠିରୁ ପ୍ରମାଣିତ ହେଉଛି । ତେବେ କାର୍ଯ୍ୟାନୁଷ୍ଠାନ ପାଇଁ ଏତେ ସମୟ କାହିଁକି ଲାଗିଲା, ତାହା ଆଉ ଏକ ବଡ଼ ପ୍ରଶ୍ନ ।
ଏସବୁ ଭିତରେ ସ୍କାଇ କିଙ୍ଗକୁ ୬୫ ଲକ୍ଷ ଟଙ୍କାର ଚୁନା ଲଗେଇ ଦେଇଛନ୍ତି ଆଇଏଫଏସ୍ ବାବୁଙ୍କ ପୁଅ । ଟ୍ରେନ୍, ବିମାନ ଓ ଚାର୍ଟର ପ୍ଲେନ୍ ଟିକେଟ୍ ବାବଦରେ ୬୫ ଲକ୍ଷ ୧୬ ହଜାର ଟଙ୍କା ଆକାଶ ପାଠକ ଠକିଥିବା ନେଇ ଅଭିଯୋଗ ହୋଇଛି । ସ୍କାଇ କିଙ୍ଗ ପକ୍ଷରୁ କୁହାଯାଇଛି, ଆକାଶ ପାଠକ ନିଜକୁ ଟାଟା ମୋଟର୍ସର ଏମଡି ନାଁରେ ଜାଲ କାଗଜପତ୍ର ଦେଇ ଚାର୍ଟର ଫ୍ଲାଇଟ୍ ଓ ହୋଟେଲ୍ ବୁକ୍ କରିଥିଲେ । ଜୁନ ମାସ ପରଠାରୁ ୨ କୋଟି ୭୮ ଲକ୍ଷ ୩୯ ହଜାର ଟଙ୍କାର ବିଲ୍ ହୋଇଥିଲା । ଆକାଶ ୨ କୋଟି ୧୩ ଲକ୍ଷ ୨୨ ହଜାର ଟଙ୍କା ପଇଠ କରିଥିଲେ । ବାକି ଥିବା ୬୫ ଲକ୍ଷ ୧୬ ହଜାର ଟଙ୍କା ଏବେ ବି ବାକି ରହିଛି ।