କନକ ବ୍ୟୁରୋ: କରୋନା ଭୂତାଣୁ ସଂକ୍ରମଣକୁ ରୋକିବା ପାଇଁ ଏପ୍ରିଲ ୧୪ ଯାଏ ସାରା ଦେଶ ଲକଡାଉନ୍ ଘୋଷଣା ହୋଇଛି। ପରିସ୍ଥିତିକୁ ଦୃଷ୍ଟିରେ ରଖି ଯୁକ୍ତ୨ ପରୀକ୍ଷା ଅଧାରୁ ବାତିଲ ହୋଇଛି। କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ବିଭାଗର ୫ ଦିନର ପରୀକ୍ଷା ହୋଇପାରିନାହିଁ। ପରୀକ୍ଷା ସରିଥିବା ବିଷୟଗୁଡ଼ିକର ଉତ୍ତର ଖାତା ବି ମୂଲ୍ୟାୟନ ବନ୍ଦ ରହିଛି। ବାତିଲ ହୋଇଥିବା ବିଷୟଗୁଡ଼ିକର ପରୀକ୍ଷା ପୁଣି କେବେ ହେବ, ସେନେଇ ପରବର୍ତ୍ତୀ ସମୟରେ ସୂଚନା ଦିଆଯିବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସୂଚନା ଦେଇଛନ୍ତି।

Advertisment

ଏଭଳି ସମୟରେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ଏକ ବିଜ୍ଞପ୍ତି ଆଜି ସୋସିଆଲ ମିଡିଆରେ ଭାଇରାଲ୍ ହୋଇଛି। ଏଥିରେ ଉଲ୍ଲେଖ କରାଯାଇଛି ଯେ ଏପ୍ରିଲ ୧୫ରେ ଲକଡାଉନ୍ ଖୋଲିବା ପରେ ୧୮ତାରିଖରୁ ବାତିଲ ହୋଇଥିବା ବିଷୟଗୁଡ଼ିକର ପରୀକ୍ଷା କରାଯିବ। ୧୮ରେ ବିଜ୍ଞାନ ବିଭାଗର ଜୀବବିଜ୍ଞାନ ବିଷୟର ପରୀକ୍ଷା ଥିବା ବେଳେ ୧୯ରେ କଳା ବିଭାଗର ଅର୍ଥନୀତି, ୨୧ରେ ବାଣିଜ୍ୟ ବିଭାଗର ଇନଫରମେସନ୍ ସିଷ୍ଟମ୍, ୨୩ରେ କଳା ବିଭାଗର ଲଜିକ୍ ବିଷୟର ପରୀକ୍ଷା ରହିଛି।

ଏଭଳି ଏକ ବିଜ୍ଞପ୍ତି ଭାଇରାଲ ହେବା ପରେ ପରୀକ୍ଷାର୍ଥୀ ଓ ଅବିଭାବକ ଦ୍ଵନ୍ଦରେ ପଡ଼ିଥିଲେ। ଘଟଣାର ସତ୍ୟତା ଜିଣିବା ପାଇଁ ପରିଷଦକୁ ଯୋଗାଯୋଗ କରିଥିଲେ। ତେବେ ଏଭଳି କିଛି ବି ବିଜ୍ଞପ୍ତି ଜାରି ହୋଇନାହିଁ ବୋଲି ପରିଷଦ ସ୍ପଷ୍ଟ କରିଥିଲା। ପରିଷଦର ପରୀକ୍ଷା ନିୟନ୍ତ୍ରକ ବିଜୟ କୁମାର ସାହୁ କହିଛନ୍ତି ଯେ ଏଭଳି କିଛି ନିଷ୍ପତ୍ତି ହୋଇନି। ପରୀକ୍ଷାର୍ଥୀ ଦ୍ଵନ୍ଦରେ ନ ପଡ଼ି ପରୀକ୍ଷା ପାଇଁ ପ୍ରସ୍ତୁତ ରୁହନ୍ତୁ। ଲକଡାଉନ୍ ଖୋଲିବା ପରେ ଏନେଇ ଘୋଷଣା କରାଯିବ।