ସରକାରୀ ଚାକିରି କରାଇଦେବାକୁ କହି ଠକି ନେଲେ ହଜାର ହଜାର ଟଙ୍କା । ଲୁଟେରା ଯୁବକଙ୍କୁ ଗିରଫ କଲା ପୋଲିସ ।

153

କନକ ବ୍ୟୁରୋ: ଟଙ୍କା ଦେଲେ ସରକାରୀ ଚାକିରି ହୋଇଯିବ । କିଛି ଏମିତି ଲୋଭ ଦେଖାଇ ଏକାଧିକ ଯୁବକଙ୍କୁ ଚୁନ ଲଗାଇଥିବା ଏକ ବଡ ଠକକୁ ଗିରଫ କରିଛି ପୋଲିସ । ପୋଲିସ ଏବଂ ରେଲୱେରେ ଚାକିରି କରାଇ ଦେବାକୁ କହି ଯୁବକ ଜଣଙ୍କ ଏପରି ଠକେଇ କରିଆସୁଥିଲା । ଆଉ ତାଙ୍କୁ ଏଥିରେ ସହଯୋଗ କରୁଥିଲେ ଆଉ ଜଣେ ଯୁବତୀ । ଏହି ଯୁବତୀ ଜଣଙ୍କ ଏବେ ଫେରାର ଥିବା ବେଳେ ଏହି ଗ୍ୟାଙ୍ଗର ଚେର କେଉଁ ଯାଏଁ ଲମ୍ବିଛି ପୋଲିସ ନେଇ ଅଧିକ ଛାନବିନ ଜାରି ରଖିଛି ।

ଆପଣ ସରକାରୀ ଚାକିରି କରିବାକୁ ଚାହୁଁଛନ୍ତି କି? ଟଙ୍କା ଦିଅନ୍ତୁ , ସରକାରୀ ଚାକିରି କରନ୍ତୁ । କିଛି ଏହିଭଳି ଲୋଭନୀୟ ଅଫର ଦେଖାଇ ବଡ ଠକେଇ କରୁଥିବା ଯୁବକ ଏବେ ପୋଲିସ କବଜାରେ । ଭୁବନେଶ୍ୱରରେ ଭଡାରେ ରହୁଥିବା ସରୋଜ ନାମକ ଜଣେ ବ୍ୟକ୍ତି ୨ଜଣ ଯୁବକ ବିଜୟ ପ୍ରଧାନ ଏବଂ ସତ୍ୟରଂଜନ ଜେନାଙ୍କୁ ପୋଲିସ ବିଭାଗ ଏବଂ ରେଲୱେରେ ଚାକିରି କରାଇଦେବାକୁ କହି ୧ଲକ୍ଷ ୧୮ ହଜାର ଏବଂ ୭ ଲକ୍ଷରୁ ଅଧିକ ଟଙ୍କା ହଡପ କରିଛି । ଫୋନ ପେ ଏବଂ ଗୁଗୁଲ ପେରେ ଟଙ୍କା ଦିଆଯିବାର ଏହି ସ୍କ୍ରିନସଟ ଗୁଡିକୁ ଦେଖନ୍ତୁ । ବିଭିନ୍ନ ପର୍ଯ୍ୟାୟରେ କେତେବେଳେ ୨୦ ହଜାର ତ ଆଉ କେତେବେଳେ ୩୦ ହଜାର ଟଙ୍କା ସରୋଜଙ୍କ ଆକାଉଂଟକୁ ଯାଇଛି । କେବଳ ଏହି ୨ଜଣ ଯୁବକ ନୁହନ୍ତି, ଏମିତି ଅନେକ ଯୁବକଙ୍କ ଠାରୁ ହଜାର ହଜାର ଟଙ୍କା ସରୋଜ ଲୁଟିଥିବା ସନ୍ଦେହ କରାଯାଉଛି ।

ଠକେଇ କରିବା ପାଇଁ କିଛି ଏମିତି ତରିକା ଆପଣାଉଥିଲା ସରୋଜ ...
-ନିଜ ଗ୍ୟାଙ୍ଗର ଲୋକଙ୍କୁ ପୋଲିସ ବେଶରେ ସଜାଇ ଚାକିରି ଦେଇଥିବା କଥା କହୁଥିଲା ସରୋଜ
-କୋଲକାତାରେ ଟ୍ରେନିଂ ଦିଆଯାଉଥିବା କହି କିଛି ଯୁବକଙ୍କୁ କୋଲକାତା ନେଇ ଟ୍ରେନିଂ ମଧ୍ୟ ଦିଆଯାଉଥିଲା
-ଯୁବକମାନଙ୍କୁ ମିଛ ନିଯୁକ୍ତି ପତ୍ର ମଧ୍ୟ ଦିଆଯାଇଥିବା ନେଇ ଅଭିଯୋଗ ରହିଛି ।

ଏହି ଅଭିଯୋଗ ଗୁଡିକ ପାଇବା ପରେ ପୋଲିସ ତନାଘନା ଆରମ୍ଭ କରିଦେଇଛି । ସରୋଜକୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । ଅଧିକ ତଥ୍ୟ ଜାଣିବା ପାଇଁ ସରୋଜକୁ ରିମାଣ୍ଡରେ ନେବାକୁ ଆବେଦନ କରିବ କମିଶନରେଟ ପୋଲିସ । ସରୋଜ ଏବଂ ଜଣେ ଯୁବତୀ ନିଜକୁ ସ୍ୱାମୀ ସ୍ତ୍ରୀର ପରିଚୟ ଦେଇ ଦୀର୍ଘଦିନ ଧରି ଏପରି ଚାକିରି ଦେବା ଆଳରେ ଠକେଇ କରିଆସୁଛନ୍ତି । ଯୁବତୀ ଜଣଙ୍କ ଏବେ ଫେରାର ଅଛନ୍ତି । ଏହି ଗ୍ୟାଙ୍ଗର ଚେର କୋଉ ଯାଏଁ ଲମ୍ବିଛି ଏବଂ ଏଥିରେ ଆଉ କେଉଁ କେଉଁମାନେ ସାମିଲ ଅଛନ୍ତି ସେନେଇ ପୋଲିସ ଛାନବିନ କରୁଛି ।