ରାଜଧାନୀରେ ଧରାପଡିଲେ ନକଲି ଗୋଲଡେନ୍ ବାବା। ରେଳଷ୍ଟେସନରୁ ଯାତ୍ରୀଙ୍କୁ ଲୁଟୁଥିବା ବେଳେ ଧରିଲା ରେଳବାଇ ପୋଲିସ

641

କନକ ବ୍ୟୁରୋ: ଭୁବନେଶ୍ୱର ଜିଆରପି ପୋଲିସ ହାତରେ ଧରାପଡିଛି ନକଲି ଗୋଲଡେନ ବାବା । ଦେହସାରା ଝୁଲୁଛି ମାଳମାଳ ଅଳଙ୍କାର । ସବୁ ସୁନାଭଳି ଚକ ଚକ କରୁଛି । ଏଭଳି ଜଣେ ଯୁବକ ନିଜକୁ ଗୋଲଡେନ ବାବା କହି ଭୁବନେଶ୍ୱର ରେଳଷ୍ଟେସନରେ ଯାତ୍ରୀଙ୍କୁ ଭୂଆଁ ବୁଲାଇ ଲୁଟୁଥିଲେ । ହେଲେ କେହି ତାଙ୍କୁ ସନ୍ଦେହ କରୁନଥିଲେ । ଶେଷରେ ଏହି ହାଇଟେକ ଦୁର୍ବୃତ୍ତତ୍ତଙ୍କୁ ଗିରଫ କରିଛି ରେଳବାଇ ପୋଲିସ ।

ଗିରଫ ଯୁବକ ହେଲେ ପିପିଲି ଅଂଚଳର ନବକିଶୋର ନାୟକ । ଅଭିଯୁକ୍ତ ନିକଟରୁ ପୋଲିସ ନକଲି ସୁନାଗହଣା, ମୋବାଇଲ ଓ ଟଙ୍କା ଜବତ କରିଛି । ନବ କିଶୋର ଷ୍ଟେସନ ଓ ଆଖପାଖ ଅଂଚଳ ଲୋକଙ୍କୁ ଭୁଆଁ ବୁଲାଇ ଚୋରି କରୁଥିଲେ । ସେ ଦୋକାନରୁ ନକଲି ଗହଣା କିଣି ଭଲ ସାର୍ଟ ପ୍ୟାଂଟ ପିନ୍ଧି ଷ୍ଟେସନରେ ବୁଲନ୍ତି । ଯାତ୍ରୀଙ୍କ ସହ ଭଲରେ ମିଶି କଥାବାର୍ତ୍ତା ହୁଅନ୍ତି । ତାଙ୍କ କଥାବାର୍ତ୍ତା ବେଶଭୂଷା କୋଟିପତିଙ୍କ ଭଳି ହୋଇଥିବାରୁ ଅନେକ ଯାତ୍ରୀ ତାଙ୍କ କଥାକୁ ବିଶ୍ୱାସ କରିନେଇଥାନ୍ତି । ଆଉ ବନ୍ଧୁତା ସ୍ଥାପନ ପରେ ସର୍ବସ୍ୱ ଲୁଟି ନେଇଥାନ୍ତି ।

ଗତକାଲି ନବକିଶୋର ଭୁବନେଶ୍ୱର ରେଳଷ୍ଟେସନର ୬ ନମ୍ବର ପ୍ଲାଟଫର୍ମରେ ଜଣେ ବିହାରୀ ଯାତ୍ରୀଙ୍କୁ ମିଠା କଥା କହି ଲୁଟ କରିଥିଲେ । ଏ ନେଇ ଜିଆରପି ଥାନାରେ ଅଭିଯୋଗ ହେବା ପରେ ସିସିଟିଭି ଫୁଟେଜ ଆଧାରରେ ପୋଲିସ ନବକିଶୋରଙ୍କୁ ଗିରଫ କରିଥିଲା । ଏପରିକି ଥାନାକୁ ଆଣିବା ପରେ ବି କୋଟିପତି ଭଳି କଥାବାର୍ତ୍ତା କରିଥିଲା । ପୋଲିସ ସହ ଯୁକ୍ତିତର୍କ କରି ଚକମା ଦେବାକୁ ଉଦ୍ୟମ କରିଥିଲା । ଏଭଳି ବ୍ୟକ୍ତିଙ୍କୁ ଶେଷରେ ଗିରଫ କରିଛି ଜିଆରପି ପୋଲିସ । ନବକିଶୋରଙ୍କ ଦେହରୁ ନକଲି ଇମିଟେସନ ଅଳଙ୍କାର ଜବତ କରିଛି ପୋଲିସ ।