ବ୍ରହ୍ମପୁର ବଡ଼ ବଜାର ଅଞ୍ଚଳରେ ଚାଲିଥିଲା ନକଲି ଘିଅ କମ୍ପାନୀ । ଚଢାଉ କରି ଜଣକୁ ଗିରଫ କଲା ପୋଲିସ ।

110

କନକ ବ୍ୟୁରୋ: ବ୍ରହ୍ମପୁର ବଡ଼ ବଜାର ଅଞ୍ଚଳରେ ଚାଲିଥିଲା ନକଲି ଘିଅ କମ୍ପାନୀ । ମା ଦୁର୍ଗା ନାଁରେ ନକଲି ଘିଅ ପ୍ରସ୍ତୁତ କରାଯାଉଥିବା ଅଭିଯୋଗ ହେବା ପରେ ପୁଲିସ ଚଢ଼ାଉ କରି ଜଣଙ୍କୁ ଗିରଫ କରିଛି । ଯାଞ୍ଚ ବେଳେ ପୂରା କାରସାଦି ଧରାପଡ଼ିଥିଲା । ପୋଡ଼ା ତେଲ, ନିମ୍ନମାନର ପାମ୍ ତେଲ୍ ଓ ବିପଦଜନକ କେମିକାଲ୍ ମିଶ୍ରଣ କରି ନକଲି ଘିଅ ପ୍ରସ୍ତୁତ ହେଉଥିଲା । ଘିଅ ପ୍ୟାକେଟରେ ଟ୍ରେଡ୍ ଲାଇସେନ୍ସ ଉଲ୍ଲେଖ ନଥିବା ବେଳେ ମାନ୍ୟୁଫାକଚରିଂ ଡେଟ୍ ଓ ଏକ୍ସପାରୀ ଡେଟ୍ ମଧ୍ୟ ଉଲ୍ଲେଖ ନଥିବା ଜଣାପଡିଛି । ଗତ ୨ ବର୍ଷ ହେଲା ବ୍ରହ୍ମପୁର ସମେତ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଏହି ନକଲି ଘିଅ ବିକ୍ରି ହେଉଥିଲା । ନକଲି ଖାଦ୍ୟ ସାମଗ୍ରୀ ପ୍ରସ୍ତୁତି ଓ ବିକ୍ରି ଅଭିଯୋଗରେ ସଂସ୍ଥାର ମାଲିକ ଇପାରୀ ରାଜେଶ୍ୱର ପାତ୍ରଙ୍କୁ ଗିରଫ କରାଯାଇଥିବା ସୂଚନା ଦେଇଛନ୍ତି ବ୍ରହ୍ମପୁର ଏସପି । ପୂର୍ବରୁ ବେଆଇନ ଗୁଟଖା ବିକ୍ରି କରୁଥିବା ଅଭିଯୋଗରେ ମଧ୍ୟ ସେ ଗିରଫ ହୋଇଥିବା ଜଣାପଡିଛି । ବିପୁଳ ପରିମାଣର ନକଲି ଘିଅ ସହ ପ୍ରସ୍ତୁତି ସାମଗ୍ରୀ ମଧ୍ୟ ଜବତ କରିଛି ପୁଲିସ ।