ସାଟେଲାଇଟ୍ ସର୍ଭେ ଧରାଇଲା ଜାଲିଆତି । ଧାନ ବିକିବା ପାଇଁ ନକଲି ପଟ୍ଟା ଦେଇ ମଣ୍ଡିରେ କରିଥିଲେ ପଞ୍ଜିକରଣ । ତାଲିକାର ଉପରେ ରହିଛି ବରଗଡ ।

508

କନକ ବ୍ୟୁରୋ: ସ୍ୱଛତା ରଖି ଉଚି୍ତ୍ ଚାଷୀଙ୍କ ପାଖରୁ କେମିତି ଧାନ କିଣାଯିବ, ତାହାକୁ ନେଇ ସରକାର ପ୍ରସ୍ତୁତି ଆରମ୍ଭ କରିଛନ୍ତି । ପ୍ରକୃତ ଚାଷୀ ଯେମିତି ଧାନ ବିକ୍ରିରୁ ବଞ୍ଚିତ ନହେବେ, ଦଲାଲରାଜ ଓ ମଧ୍ୟସ୍ଥି ଉଛେଦକୁ ନେଇ ତନାଘନା ଭିତରେ ସାମନାକୁ ଆସିଛି ଜାଲିଆତିର ଚିତ୍ର । ସାଟେଲାଇଟ୍ ସର୍ଭେରୁ ଜଣାପଡିଛି, ଚାଷୀମାନେ ଧାନ ବିକ୍ରି ପାଇଁ ପଞ୍ଜିକରଣ କରିବାବେଳେ ଯେଉଁ ଜମିଜମା ସମ୍ପର୍କୀତ ତଥ୍ୟ ଦେଇଥିଲେ ସେଥିରେ ନକଲି ରହିଛି । ଅର୍ଥାତ ଅନେକ ଜିଲ୍ଲାରେ ଜାଲି ପଟ୍ଟା ଦେଇ, ସେଥିରେ ଧାନ ଚାଷ ହୋଇଥିବା ଦର୍ଶାଇଛନ୍ତି । ତାଲକାର ଉପରେ ରହିଛି, ବରଗଡ, ପଛକୁ ରହିଛି, କେନ୍ଦୁଝର । ଏହାକୁ ନେଇ ବିଜେପି ପକ୍ଷରୁ ଉଦବେଗ ପ୍ରକାଶ ପାଇଛି ।

  • ସାଟେଲାଇଟ୍ ସର୍ଭେ ଧରାଇଲା ଜାଲିଆତି
  • ନକଲି ଜମିରେ ନକଲି ଚାଷ 

କେବଳ ନକଲି ଜମି ନକଲି ଫସଲ ନୁହେଁ ଧାନ କିଣାରେ ବି ଦୁର୍ନୀତି ହେଉଥିବା ଅଭିଯୋଗ ଉଠିଛି । ଷ୍ଟାଣ୍ଡିଂ କମିଟି ବୈଠକରେ ଏନେଇ ଉଦବେଗ ପ୍ରକାଶ କରିଛନ୍ତି କମିଟି ଅଧ୍ୟକ୍ଷ ତଥା କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର । କହିଛନ୍ତି, ରାଜ୍ୟରେ ଧାନ କିଣାରେ ହଜାର ହଜାର କୋଟି ଟଙ୍କାର ଦୁର୍ନୀତି ହୋଇଛି । ଚାଷୀ ଯାହା ଉତ୍ପାଦନ କରୁଛି ତାର ମୂଲ୍ୟ ପାଉ ନାହାନ୍ତି । ଏହି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିବା ସହ ଉଦବେଗ ପ୍ରକାଶ କରିଛନ୍ତି ବିଜେପି ବିଧାୟକ ମୁକେଶ ମହାଲିଙ୍ଗ୍ । ତେବେ ଯୋଗାଣ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ କହିଛନ୍ତି, ମଣ୍ଡିରେ ଯେଉଁ ବ୍ୟବସ୍ଥା ଅଛି, ତାହା ସଠିକ ଭାବେ ଚାଲିଛି କି ନାହିଁ ତାହା ଅନୁଧ୍ୟାନ କରିବା ପାଇଁ ମଣ୍ଡି ବୁଲିବେ ସଚିବ ।

ଆଗକୁ ମଣ୍ଡି ଖୋଲିବାକୁ ଯାଉଥିବାବେଳେ ସାମନାକୁ ଆସିଥିବା ଏହି ଚିତ୍ର ଯୋଗାଣ ବିଭାଗର ସ୍ୱଛତା ପ୍ରଶ୍ନବାଚୀ ସୃଷ୍ଟି କରିଛି । ତେବେ ସଚିବ ଗ୍ରାଉଣ୍ଡ ଜିରୋରେ ସ୍ଥିତି ଅନୁଧ୍ୟାନ କରିବା ପରେ କଣ ହେଉଛି ତା ଉପରେ ସମସ୍ତଙ୍କ ନଜର ରହିଛି ।