କନକ ବ୍ୟୁରୋ : ମୂଳରୁ ଜମି ନାହିଁ । ଘାସ, ବୁଦା, ଜଙ୍ଗଲ, ପାହାଡ ଓ ଅନାବାଦି ଜାଗାକୁ ଚାଷ ଜମି ଦର୍ଶାଇ ଧାନ ବିକ୍ରି ପାଇଁ ହୋଇଥିଲା ନାମ ପଞ୍ଜୀକରଣ । ବର୍ଷ ବର୍ଷ ଧରି ଚାଲିଥିବା ଏପରି କେଳେଙ୍କାରୀକୁ ଧରିଛି ସମବାୟ ବିଭାଗ । ଯୁଗ୍ମ କମିଟିର ଯାଞ୍ଚ ବେଳେ ପଦାରେ ପଡିଛି ଚଞ୍ଚକତା । ଚିହ୍ନଟ ହୋଇଛନ୍ତି, ୧ ହଜାର ୮୯୨ ଜଣ ଭୂତ ଚାଷୀ । ସେମାନଙ୍କ ଧାନ ବିକ୍ରି ଆବେଦନକୁ ନାକଚ କରିଛନ୍ତି ସରକାର ।
ଜମି ନଥାଇ ଧାନ ବିକିବାକୁ ନାମ ପଞ୍ଜୀକରଣ । ଭୂତ ଓ ଭାଗ ଚାଷୀଙ୍କୁ ଚିହ୍ନିଲା ସମବାୟ ବିଭାଗ । ମିଛ ଚାଷୀଙ୍କ ପଛରେ ଦଲାଲଙ୍କ ହାତ ଥିବା ସନ୍ଦେହ । ଧାନ ବିକ୍ରି କରିବାକୁ ହୋଇଥିଲା ମିଛ ପଞ୍ଜୀକରଣ । ଆବେଦନକାରୀ ଚାଷୀଙ୍କ ଜମିର ସ୍ଥିତାବସ୍ଥା ସମ୍ପର୍କରେ ଯାଞ୍ଚ ବେଳେ ସାମ୍ନାକୁ ଆସିଲା ସାଙ୍ଘାତିକ ସତ । ନାକଚ ହେଲା ପ୍ରାୟ ୨ ହଜାର ଭୂତ ଚାଷୀଙ୍କ ଧାନ ବିକ୍ରି ଆବେଦନ । ରାୟଗଡା ଜିଲ୍ଲାରେ ମିଛ ଚାଷୀଙ୍କ ଏଭଳି କେଳେଙ୍କାରୀକୁ ଧରିଛନ୍ତି ସମବାୟ ବିଭାଗର ଯୁଗ୍ମ କମିଟି ।
ତହସିଲଦାର, ସହକାରୀ ସମବାୟ ନିବନ୍ଧକ, ବ୍ଳକ କୃଷି ଅଧିକାରୀ, ଜଳସେଚନ ପ୍ରକଳ୍ପ ଯନ୍ତ୍ରୀ କ୍ଷେତ୍ର ଯାଞ୍ଚ ବେଳେ ଭୂତ ଓ ଭାଗ ଚାଷୀ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ଆବେଦନକୁ ନାକଚ କରାଯାଇଛି । ପ୍ରତିବର୍ଷ ଦଲାଲମାନେ ଭୂତ ଚାଷୀଙ୍କ ନାମ ପଞ୍ଜିକରଣ କରି କୋଟି କୋଟି ଟଙ୍କାର ମୁନାଫା କମାଉଥିବା ଚାଷୀ ଅଭିଯୋଗ କରିଛନ୍ତି ।
ରାୟଗଡା ଜିଲ୍ଲାରେ ଖରିଫ ଧାନ କିଣିବା ପାଇଁ ମଣ୍ଡି ଖୋଲିଛି । ଅଗଷ୍ଟ ୨୬ ସୁଦ୍ଧା ରାୟଗଡା ଜିଲ୍ଲାର ୧୭ ହଜାର ୪୭୫ ଜଣ ଚାଷୀ ନାମ ପଞ୍ଜିକରଣ କରିଛନ୍ତି । ସମବାୟ ସମିତିର ଯୁଗ୍ମ କମିଟି ଆବେଦନକାରୀଙ୍କ ଜମିର ସ୍ଥିତାବସ୍ଥା ଯାଞ୍ଚ କରିବା ପରେ ୧ ହଜାର ୮୯୨ ଜଣ ନକଲି ଚାଷୀ ଚିହ୍ନଟ ହୋଇଛନ୍ତି । ଗୁଣୁପୁର ବ୍ଳକରୁ ସର୍ବାଧିକ ୩୬୪ ଭୂତ ଚାଷୀ ଚିହ୍ନଟ ହୋଇଛନ୍ତି । ସେହିପରି ବିଷମକଟକରୁ ୨୪୦, ମୁନିଗୁଡାରୁ ୨୩୭, ରାୟଗଡା ବ୍ଳକରେ ୧୯୦ ଓ ରାୟଗଡା ଏମପିସିଏସରୁ ୧୨୯, ଗୁଡାରିରୁ ୧୨୬, କୋଲନରାରୁ ୧୦୪, ପଦ୍ମପୁରରୁ ୮୯, ଚନ୍ଦ୍ରପୁରରୁ ୯୬, କଲ୍ୟାଣସିଂହପୁରରୁ ୮୩, ଆମ୍ବଦଳାରୁ ୫୩, ଟିକିରିରୁ ୪୭, କାଶୀପୁରରୁ ୩୦, ରାମନାଗୁଡାରୁ ୩୦ ଜଣ ଚାଷୀ ଓ ୭୪ ଜଣ ଭାଗ ଚାଷୀ ଭାବେ ଚିହ୍ନଟ ହୋଇଛନ୍ତି । ଭୂତ ଓ ଭାଗ ଚାଷୀ ଚିହ୍ନଟ ହେବା ପରେ ରାୟଗଡା ଜିଲ୍ଲାରେ ୧୫ ହଜାର ୫୮୧ ଜଣ ଚାଷୀ ସରକାରୀ ମଣ୍ଡିରେ ଧାନ ବିକିବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି ।