ଖସିଗଲେ ମାଓବାଦୀ, ଗୁଳି ଖାଇଲେ ଗାଁ ଲୋକ । ମାଲକାନଗିରିରେ ମାଓ ଏନକାଉଣ୍ଟରକୁ ନେଇ ଉଠିଲା ପ୍ରଶ୍ନ । ନିରୀହ ଗ୍ରାମବାସୀଙ୍କ ମୃତ୍ୟୁ ପରେ ମିଥ୍ୟା ଏନକାଉଣ୍ଟର ଅଭିଯୋଗ ଆଣିଲେ ପରିବାର ।

112

କନକ ବ୍ୟୁରୋ : ମାଲକାନଗିରି ପୁଲିସର ମାଓ ଏନକାଉଣ୍ଟରକୁ ନେଇ ଉଠିଛି ପ୍ରଶ୍ନ । ପୁଲିସ ଗୁଳିରେ ଜଣେ ନିରୀହ ଗ୍ରାମବାସୀ ଟଳି ପଡିଥିବା ନେଇ ଅଭିଯୋଗ ଆଣିଛନ୍ତି ପରିବାର ଲୋକେ । ଜାନୁଆରୀ ୩୧ ତାରିଖରେ ମାଲକାନଗିରି ନୁନଖାରି ଜଙ୍ଗଲରେ ଏନକାଉଣ୍ଟର ହୋଇଥିଲା । ପୁଲିସ-ମାଓବାଦୀଙ୍କ ମଧ୍ୟରେ ହୋଇଥିବା ଗୁଳି ମାଡରେ ଜଣେ କ୍ୟାଡର ମାଓବାଦୀର ମୃତ୍ୟୁ ହୋଇଥିବା ବେଳେ ବନ୍ଧୁକ ଓ ଗୁଳି ଜବତ ହୋଇଥିବା ଦାବି କରିଥିଲା ମାଲକାନଗିରି ପୁଲିସ । କିନ୍ତୁ ଗ୍ରାଉଣ୍ଡ ଜିରୋର ସ୍ଥିତି କିଛି ଭିନ୍ନ କଥା କହୁଛିି । ମୃତକଙ୍କ ସ୍ତ୍ରୀ ଓ ଗାଁ ଲୋକେ କନକ ନ୍ୟୁଜ କ୍ୟାମେରାରେ ଯେଉଁ ଘଟଣା ବଖାଣିଛନ୍ତି, ତାହା ନୁନଖାରି ଏନକାଉଣ୍ଟର ଉପରେ ଅନେକ ପ୍ରଶ୍ନ ଚିହ୍ନ ଲଗାଇଛି ।

କୋରାପୁଟ ବୈପାରିଗୁଡା ଥାନା ଅନ୍ତର୍ଗତ ଗଡାବେଡା ଗାଁର ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଏବେ ଅନେକ ପ୍ରଶ୍ନ ଠିଆ କରିଛି । ଗତ ୩୦ ତାରିଖ ରାତିରେ ମାଓବାଦୀ ସନ୍ଦେହରେ ପୁଲିସ ଗୁଳିରେ ଟଳି ପଡିଥିଲେ ଗଡାବେଡା ଗାଁର ଦିନା ମାଣ୍ଡି । ହେଲେ ଅଭିଯୋଗ ଆସିଲା ମୃତ ଦିନା ମାଓବାଦୀ ନୁହଁନ୍ତି, ଜଣେ ନୀରିହ ଗ୍ରାମବାସୀ । ମାଓବାଦୀଙ୍କ ବୈଠକରେ ଯୋଗ ଦେବାକୁ ଯାଇ ଦିନା ମାଲକାନଗିରି ପୁଲିସର ଗୁଳି ଖାଇଛନ୍ତି ବୋଲି ଅଭିଯୋଗ କରିଛନ୍ତି ତାଙ୍କ ସ୍ତ୍ରୀ ।

ଜାନୁଆରୀ ୩୦ରେ ବୈପାରିଗୁଡା ଗଡାବେଡା ଗାଁରେ ବୈଠକ ଡାକିଥିଲେ ମାଓବାଦୀ । ମାଓ ବୈଠକ ଖବର ପାଇ ଘେରି ଯାଇଥିଲେ ଯବାନ । ସ୍ଥାନୀୟ ବାସିନ୍ଦାଙ୍କ କହିବା ଅନୁସାରେ, ସେଦିନ ବିଳମ୍ବିତ ରାତିରେ ବୈଠକ ଡକାଇଥିଲେ ୨୦ରୁ ୨୫ ମାଓବାଦୀ । ସେହି ବୈଠକରେ ଗାଁର ପିଲାରୁ ବୁଢା ସମସ୍ତେ ସାମିଲ ହୋଇଥିଲେ । ମୃତ ଦିନା, ତାଙ୍କ ସ୍ତ୍ରୀ ଓ ଝିଅ ବି ବୈଠକକୁ ଯାଇଥିଲେ । ମାଓବାଦୀଙ୍କ ବୈଠକ ଖବର ପାଇ ରାତି ପ୍ରାୟ ଗୋଟାଏ ବେଳକୁ ବୈଠକ ସ୍ଥଳକୁ ଘେରି ଯାଇଥିଲେ ଯବାନ ।

ନିଶବ୍ଦ ରାତିରେ ଟର୍ଚ ଆଲୁଅ ଦେଖି ଚିହିକି ଉଠିଥିଲେ ମାଓବାଦୀ । ଅନ୍ଧାର ରାତିରେ ହଠାତ ଗୁଳିର ଗର୍ଜନ ଶୁଣି ଗ୍ରାମବାସୀଙ୍କୁ ଢାଲ କରି ଖସି ଯାଇଥିଲେ ମାଓବାଦୀ । ଆରମ୍ଭ ହୋଇଥିଲା ଗୁଳି ବର୍ଷା । ଆଉ ଯବାନଙ୍କ କବଜାରେ ପଡିଯାଇଥିଲେ ୩୨ ବର୍ଷୀୟ ଦିନା ମାଣ୍ଡି । ପୁଲିସ ଦିନାଙ୍କୁ ନକ୍ସଲ ସନ୍ଦେହରେ ଗୁଳି କରି ହତ୍ୟା କରିଥିବା ବେଳେ ଗାଁର ଆଇବା ମାଣ୍ଡି, ଭୀମ ମାଣ୍ଡି, ସୁରି ମାଣ୍ଡି ଓ ଗୁତନ ଗୋଲରୀଙ୍କୁ ଉଠାଇ ନେଇଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ ।

ଘଞ୍ଚ ଜଙ୍ଗଲ ଭିତରେ ପୁଲିସ-ମାଓବାଦୀଙ୍କ ମଧ୍ୟରେ ହୋଇଥିବା ଗୁଳି ବିନିମୟରେ ଜଣେ ମାଓବାଦୀର ମୃତ୍ୟୁ ହୋଇଥିବା ଖବର ଦେଇଥିଲା ମାଲକାନଗିରି ପୁଲିସ । କିନ୍ତୁ ପରେ ଏହି ଘଟଣା ବିବାଦ ଭିତରକୁ ଟାଣି ହୋଇଯାଇଛି ।