ଆପଣ ଖାଉଥିବା ତେଲ ଅସଲି ନା ନକଲି ? ହଜାର ହଜାର ଲିଟର ନକଲି ତେଲ ଜବତ ପରେ ବଢୁଛି ଆଶଙ୍କା, ଅସଲି ବ୍ରାଣ୍ଡ ନାଁରେ ତିଆରି ହେଉଛି ନକଲି ଘିଅ ଓ ଖାଇବା ତେଲ ।

959

କନକ ବ୍ୟୁରୋ : ଦୈନନ୍ଦିନ ଜୀବନରେ ଆପଣ ଯେଉଁ ତେଲ ଖାଉଛନ୍ତି କିମ୍ବା କିଣୁଛନ୍ତି, ତାହା ଅସଲି ନା ନକଲି ? ଏମିତି ପ୍ରଶ୍ନ ଏଥିପାଇଁ ଉଠୁଛି, କାରଣ ବିଗତ କିଛି ଦିିନ ମଧ୍ୟରେ ଅନେକ ନକଲି ତେଲ କାରଖାନା ଠାବ କରାଯାଇଛି । ତେଲ ଏଭଳି ଏକ ସାମଗ୍ରୀ, ଯାହାକୁ ଆମେ ଦୈନନ୍ଦିନ ଜୀବନରେ ଖାଦ୍ୟ ସାମଗ୍ରୀରେ ବ୍ୟବହାର କରିଥାଉ । ଆଉ ଯେତେବେଳେ ଏହି ତେଲର ଶୁଦ୍ଧତାକୁ ନେଇ ପ୍ରଶ୍ନ ଉଠୁଛି, ସେତେବେଳେ ସମସ୍ତଙ୍କ ମନରେ ଭୟ ମଧ୍ୟ ସୃଷ୍ଟି ହେଉଛି ।

ସପ୍ତାହେ ତଳେ ସିଲଭର ସିଟି କଟକରେ ଠାବ ହୋଇଥିଲା ଏକ ନକଲି ତେଲ କାରଖାନା । ସଦର ପୋଲିସ ସେଠାରେ ଚଢଉ କରି ନକଲି କାରଖାନାକୁ ସିଲ୍ ମଧ୍ୟ କରାଯାଇଥିଲା । ସବୁଠାରୁ ବଡ କଥା ହେଉଛି, ଏହି କାରଖାନାରୁ ୩୦ ହଜାର ଲିଟର ନକଲି ଖାଇବା ତେଲ ଜବତ କରାଯାଇଥିଲା । ଏହି ଘଟଣାକୁ ମାତ୍ର ସପ୍ତାହେ ବିତିନଥିବା ବେଳେ ଏବେ ଖୋଦ୍ ରାଜଧାନୀ ଭୁବନେଶ୍ୱରରେ ନକଲି ତେଲ କାରଖାନା ଠାବ ହୋଇଛି ।

ଭୁବନେଶ୍ୱର ଲକ୍ଷ୍ମୀ ସାଗର ଅଂଚଳରୁ ନକଲି ତେଲ କାରଖାନା ଠାବ ହୋଇଛି । ଅସଲି ବ୍ରାଣ୍ଡରେ ନକଲି ତେଲ ତିଆରି କରି ବଜାରକୁ ଛଡାଯାଉଥିଲା । ଘିଅ, ଖାଇବା ତେଲ ଓ ରାଶି ତେଲର ଏଠାରେ ଅପମିଶ୍ରଣ ହେଉଥିଲା । ଏହି କାରଖାନାରୁ୨ ହଜାର ଲିଟର ନକଲି ତେଲ ଜବତ କରାଯାଇଛି । ପୁଲିସ ୪ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି । ଦୀର୍ଘ ଦିନ ଧରି ଭୁବନେଶ୍ୱର ଲକ୍ଷ୍ମୀସାଗର ଅଂଚଳରେ ଚାଲିଥିଲା ବେଆଇନ ନକଲି ଖାଇବା ତେଲ କାରଖାନା । ଖବର ପାଇ ପୁଲିସ ଆଜି ଅତର୍କିର୍ତ ଚଢାଉ କରିଥିଲା । ବିଭିନ୍ନ କଂପାନୀର ଲୋଗୋ ଥିବା ବିପୁଳ ପରିମାଣର ନକଲି ଖାଇବା ତେଲ ଓ ଘିଅ ଜବତ କରାଯାଇଛି ।