ମହଙ୍ଗା ପଡିଲା ନକଲି ଇଡି ଅଧିକାରୀ ପରିଚୟ ଦେଇ ଠକେଇ କରିବା । ଦୁଇ ଭାଇ ଶଙ୍କର ମହାପାତ୍ର ଓ ତାରିଣୀସେନ୍ ମହାପାତ୍ରଙ୍କୁ ଗିରଫ କଲା ଏସଟିଏଫ୍

88

କନକ ବ୍ୟୁରୋ: ଦୁଇ ଭାଇ ୩୦ ବର୍ଷୀୟ ତାରିଣୀସେନ ମହାପାତ୍ର ଏବଂ ୨୭ ବର୍ଷୀୟ ବ୍ରହ୍ମଶଙ୍କର ମହାପାତ୍ର । ଦେଖିବାକୁ ବେଶ ସମ୍ଭ୍ରାନ୍ତ କିନ୍ତୁ କାରନାମାରେ ସବୁ ସୀମା ପାର । ଏମିତି ସେମିତି ନୁହେଁ ନିଜକୁ ଇଡି ବା ପ୍ରବର୍ତ୍ତନ ନିର୍ଦେଶାଳୟର ଅଫିସରର ପରିଚୟ ଦେଉଥିଲେ । ଗୋଟିଏ ଫୋନ କଲରେ କୋଟିଏ କମାଇବାର ମାଷ୍ଟରପ୍ଲାନ ପ୍ରସ୍ତୁତ କରିଥିଲେ । ଟାର୍ଗେଟରେ ଥିଲେ ଆରଟିଓ, ସବ କଲେକ୍ଟର, ତହସିଲଦାର ।

  • ଚୋର ବନିଥିଲେ ଅଫିସର
  • ଇଡି ଅଧିକାରୀ କହି ମାଗୁଥିଲେ ଟଙ୍କା

ଟଙ୍କା ଦିଅ ନହେଲେ ଘରେ ପଶି ରେଡ କରିବୁ, ଇଡି ଅଫିସକୁ ଡାକି ଜେରା କରିବୁ କହି ଧମକ ଦେଉଥିଲେ । ପାଖାପାଖି ୩୦୦ ଜଣକର ତାଲିକା ପ୍ରସ୍ତୁତ କରି ରାତିରାତି କୋଟିପତି ହେବାର ସ୍ୱପ୍ନ ଦେଖିଥିଲେ । ଏହାରି ଭିତରେ ୧୬ରୁ ଅଧିକ ଅଫିସରଙ୍କୁ ଧମକ ଦେଇ ଲକ୍ଷ ଲକ୍ଷ ଟଙ୍କା ଲୁଟି ନେଇଥିବା ଜଣାପଡିଛି । ତେବେ ଛତ୍ରପୁରର ସବ କଲେକ୍ଟର ଦେବଦତ୍ତ ମହନ୍ତଙ୍କ ଠାରୁ ୬ ଲକ୍ଷ ମାଗିଥିବା ନେଇ ସ୍ପେଶାଲ ଟାକ୍ସଫୋର୍ସରେ ରିପୋର୍ଟ ହେବା ପରେ ଏହି ୨ ଦଲାଲଙ୍କୁ ଗିରଫ କରାଯାଇଛି ।

  • ଲାପଟପ୍ ଖୋଲିବ ଗୁମର
  • ବ୍ୟାଙ୍କ ଆକାଉଣ୍ଟରୁ ମିଳିବ ସୁରାକ

କୁହାଯାଉଛି ଦୁର୍ନୀତି ଖୋର ଅଫିସରଙ୍କ ତାଲିକା ପ୍ରସ୍ତତ କରି ସେମାନଙ୍କୁ ଟଙ୍କା ମାଗୁଥିଲେ ଏହି ଦୁଇ ଭାଇ । ଫୋନ ଟ୍ରୁ କଲରରେ ନିଜକୁ ସଞ୍ଜୟ ମିଶ୍ର ନାଁରେ ଫିଡ କରିଥିଲେ । ବରିଷ୍ଠ ଅଧିକାରୀଙ୍କ ପରିଚୟ ଦେଇ , ଟଙ୍କା ନେଇ ସାରିବା ପରେ, ଫେକ କାଗଜପତ୍ର ଦେଇ ଛୁ ମାରୁଥିଲେ । ତେବେ ସରକାରୀ ବାବୁ ମାନେ କାହିଁକି ଏହି ନକଲି ଇଡି ଅଫିସରଙ୍କୁ ଲକ୍ଷ ଲକ୍ଷ ଟଙ୍କା ଦେଇଥିଲେ ସେନେଇ ଖୁବଶୀଘ୍ର ଖୋଳତାଡ କରିବ ଏସଟିଏଫ । ଠକଙ୍କ ଠାରୁ ଜବତ ହୋଇଥିବା ଲାପଟପ୍, ମୋବାଇଲ ଫୋନ, ବ୍ୟାଙ୍କ ପାସବୁକ ଓ ୧୭ଟି ଏଟିଏମ କାର୍ଡକୁ ନେଇ ଖୋଳତାଡ କରାଯାଉଛି । ଏଠାରେ ପ୍ରଶ୍ନ ଉଠୁଛି…

  • କାହିଁକି ଅଫିସରମାନେ ଠକଙ୍କୁ ଦେଉଥିଲେ ଲକ୍ଷ ଲକ୍ଷ ଟଙ୍କା?
  • କେଉଁ କେଉଁ ଅଫିସର ଏହି ଠକଙ୍କୁ ଟଙ୍କା ଦେଇଛନ୍ତି?
  • କେଉଁ ଦୁର୍ନୀତିଖୋର ଅଫିସରମାନେ ଏହି ଠକଙ୍କୁ ଖୁସ୍ କରିଥିଲେ?

ଖୁବଶୀଘ୍ର ଏହି ଅଫିସର ମାନଙ୍କ ତାଲିକା ପ୍ରସ୍ତୁତ କରି ସେମାନଙ୍କୁ ସମନ୍ ଜାରି କରିବ ଏସଟିଏଫ ।