ନକଲି ଡାକ୍ତରଙ୍କ କଳା କାରନାମା: ଭୁବନେଶ୍ୱରରେ ବିଭିନ୍ନ ସୋରୁମ ବୁଲି ଲୁଟି ନେଉଥିଲେ ଲକ୍ଷାଧିକ ଟଙ୍କାର ସାମଗ୍ରୀ

485

କନକ ବ୍ୟୁରୋ: କେତେବେଳେ ରାହୁଲ । କେତେବେଳେ ନିର୍ମଳ ତ ପୁଣି କେତେବେଳେ ସାଜୁଛନ୍ତି ଡକ୍ଟର ବିକାଶ । ଏ ଠକର ଅସଲ ପରିଚୟ କ’ଣ, ତାକୁ ନେଇ ପୋଲିସ ବି ଦ୍ୱନ୍ଦ୍ୱରେ । ଏ ବାବୁ ଜଣକ ଏମିତି କାରନାମା କରିଛନ୍ତି, ଯାହା ଆପଣ କେବେ ଆଗରୁ ଶୁଣିନଥିବେ କି ଦେଖି ବି ନଥିବେ । ଲୋକଙ୍କ ଟଙ୍କା ଠକି ଫେରାର ଥିବା ଏହି ମୋଷ୍ଟ ୱାଂଟେଡ ଠକକୁ ପୋଲିସ ଖୋଜୁଛି । ପୁଅ ଠକିଥିବା ଲୋକଙ୍କୁ ଟଙ୍କା ଫେରାଇବାକୁ ଥାନାର ଦ୍ୱାରସ୍ଥ ହୋଇଛନ୍ତି ଜଣେ ବୃଦ୍ଧ । ସେହି ଠକ ଜଣକ ବୃଦ୍ଧଙ୍କ ପୁଅ ବୋଲି ଦାବି କରି ନିଜ ପରିଚୟପତ୍ର ଦେଖାଇଛନ୍ତି । ବୃଦ୍ଧ ଓ ତାଙ୍କ ପତ୍ନୀଙ୍କୁ ନନ୍ଦନକାନନ ଥାନାରେ ଅଟକ ରଖି ପଚରାଉଚରା କରାଯାଉଛି । ପୁଅର କାରନାମା ଯୋଗୁଁ ବାପା-ମାଆ ଏବେ ଥାନାରେ ।

ଡାକ୍ତରଙ୍କ ନାଁକୁ ବଦନାମ କରି ଇଏ କେଉଁ ପ୍ରକାରର କାଣ୍ଡ କରିଛନ୍ତି, ତାହା ସିସିଟିଭିରେ କଏଦ ହୋଇଛି । ମୁହଁରେ ମାସ୍କ ପିନ୍ଧି ଏ ଶୋ’ ରୁମରୁ ସେ ଶୋ’ ରୁମ୍ ଘୁରି ବୁଲୁଥିବା ଏହି ଭଦ୍ର ବ୍ୟକ୍ତି ଜଣକୁ ଟିକେ ଭଲକି ଦେଖନ୍ତୁ । ବେଶ, ପୋଷାକ ଦେଖିଲେ, ଏ ଜଣେ ସଂଭ୍ରାନ୍ତ ପରିବାରର ଏବଂ ଜଣେ କୋଟିପତି ଭଳି ଲାଗୁଛନ୍ତି । ଇଂରାଜୀ ଭାଷାରେ କଥାବାର୍ତା, ହାତରେ ଆପଲ୍ ବ୍ରାଣ୍ଡର ଲକ୍ଷେ ଟଙ୍କିଆ ଫୋନ୍ ଧରି ସୁନା ବ୍ରେସଲେଟ୍ ପକାଇ ନିଜକୁ ଡାକ୍ତରର ପରିଚୟ ମଧ୍ୟ ଦେଉଛନ୍ତି । କିନ୍ତୁ ଇଏ ଜଣେ ଭଦ୍ର ଚୋର ।