ଓଡିଶାରେ ମାତିଛନ୍ତି ଛତିଶଗଡର ନକଲି ଡାକ୍ତର: ଚିକିତ୍ସା ନାଁରେ ଆଦିବାସୀଙ୍କ ଜୀବନ ସହ ଖେଳ; ନା ଅଛି କୌଣସି ପ୍ରମାଣପତ୍ର ତଥାପି ନିଜକୁ ଡାକ୍ତରର ପରିଚୟ ଦେଇ ଠକିଚାଲିଛନ୍ତି ନିରୀହ ଲୋକଙ୍କୁ

451

କନକ ବ୍ୟୁରୋ: ଓଡିଶାରେ ମାତିଛନ୍ତି ଛତିଶଗଡର ନକଲି ଡାକ୍ତର । ଚିକିତ୍ସା ନାମରେ ଆଦିବାସୀଙ୍କ ଜୀବନ ସହ ଖେଳ ଖେଳୁଛନ୍ତି । ଡାକ୍ତରୀ ପାଠ ପଢିଥିବାର କୌଣସି ପ୍ରମାଣପତ୍ର ନାହିଁ, ଅଥଚ ନିଜକୁ ଡାକ୍ତରର ପରିଚୟ ଦେଇ ନୀରିହ ଆଦିବାସୀଙ୍କୁ ଠକି ଚାଲିଛନ୍ତି । ସୁନ୍ଦରଗଡର ଆଦିବାସୀ ବହୁଳ ଅଂଚଳର ଏହି ଘଟଣା ଆପଣଙ୍କୁ ଚକିତ କରିପକାଇବ ।

ଆଦିବାସୀ ବହୁଳ ଏକ ଛୋଟିଆ ଘରେ ପସରା ମେଳିଛନ୍ତି ଏହି ଛତିଶଗଡର ନକଲି ଡାକ୍ତର । ଅଂଟା, ଆଣ୍ଠୁ ବ୍ୟଥା ରୋଗୀ ଆସିଲେ ଦୁଇ ଆଣ୍ଠୁରେ ୪ଟି ଓ ଅଂଟାରେ ଗୋଟିଏ ଇଞ୍ଜେକସନ ଫୋଡି ଦେଉଛନ୍ତି । ଆଉ ଜଣକ ପିଛା ୧୪ଶହରୁ ୧୫ ଶହ ଟଙ୍କା ନେଉଛନ୍ତି । ଏମିତି ଥରକରେ ୫ଟି ଇଂଜେକସନ ନେଉଥିବା ରୋଗୀଙ୍କ ଭବିଷ୍ୟତ କଣ ହେବ କହିବା ମୁସ୍କିଲ । ଲୋକଙ୍କୁ ଡାଇକ୍ଲେଫିନା ନାମକ ପେନକ୍ଲିୟର ଇଂଜେକ୍ସନ ଦେଉଥିବା କହିଛନ୍ତି ନକଲି ଡାକ୍ତର ।

ଯାହା ବଜାରରେ ୧୦ରୁ ୧୫ଟଙ୍କାରେ ମିଳୁଛି, ହେଲେ ସରଳ ଆଦିବାସୀଙ୍କ ଠାରେ ସେ ଆଦାୟ କରୁଛନ୍ତି ୧୪ରୁ ୧୫ ଶହ ଟଙ୍କା । ରୋଗୀ ଚିକିତ୍ସା କରୁଥିବା ଡାକ୍ତର ଛତିଶଗଡ ଖରସୁଆଁ ଅଂଚଳର ପ୍ରକାଶ କୁମାର ରାଠୋର । ସେ ନିଜକୁ ଆୟୁର୍ବେଦିକ ଡାକ୍ତର କହୁଛନ୍ତି, କିନ୍ତୁ ଏଲୋପ୍ୟାଥି ଚିକିତ୍ସା କରୁଛନ୍ତି । ଆଉ ସାଂଘାତିକ କଥା ହେଉଛି, ଆୟୁର୍ବେଦିକ ଡାକ୍ତରୀ ପାଠ ପଢିଥିବା ନେଇ ତାଙ୍କ ପାଖରେ କୌଣସି ପ୍ରମାଣ ନାହିଁ । ଯେଉଁ ଅଂଚଳରେ ସ୍ୱାସ୍ଥ୍ୟସେବା ପହଂଚି ପାରୁନାହିଁ, ସେହି ଅଂଚଳ ଛତିଶଗଡର ନକଲି ଡାକ୍ତରଙ୍କ ଚରାଭୂଇଁ ପାଲଟିଛି ।