ବନ୍ଧାହେଲେ ନକଲି ଡାକ୍ତର । ସ୍ୱାସ୍ଥ୍ୟସେବା ନାଁରେ ଲୋକଙ୍କୁ ଠକୁଥିଲେ କଲିକତା ଯୁବକ ରାକେଶ ବିଶ୍ୱାସ ।

249

କନକ ବ୍ୟୁରୋ: ବନ୍ଧାହେଲେ ନକଲି ଡାକ୍ତର । ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ ବ୍ଲକ୍ରେ ସ୍ୱାସ୍ଥ୍ୟସେବା ନାଁରେ ଲୋକଙ୍କୁ ଠକୁଥିବା ଜଣେ ନକଲି ଡାକ୍ତରଙ୍କୁ ଉଠାଇ ନେଇଛି ପୋଲିସ । ଯୁବକ ଜଣକ କଲିକତାର ରାକେଶ ବିଶ୍ୱାସ ବୋଲି ଜଣାପଡିଛି । ବିନା ମେଡିକାଲ ଡିଗ୍ରୀ ଓ ସର୍ଟିଫିକେଟ୍ରେ ଲୋକଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇ ଆସୁଥିଲା ଯୁବକ ଜଣଙ୍କ । ନିଜେ ଔଷଧ ଦେବା ଠାରୁ ଆରମ୍ଭ କରି ଇଂଜେକ୍ସନ୍ ମଧ୍ୟ ଦେଉଥିଲା ।

ସବୁଠାରୁ ବଡ କଥା ହେଉଛି, ଏ ବିଷୟରେ ତଥ୍ୟ ପାଇ ଖବର ସଂଗ୍ରହ କରିବାକୁ ଯାଇଥିବା ସାମ୍ବାଦିକଙ୍କୁ ବି ଲାଂଚ ଦେବାକୁ ପଛାଇ ନଥିଲେ ଏହି ନକଲି ଡାକ୍ତର । ଆଉ ତାଙ୍କ ଡିଗ୍ରୀ ସଂକ୍ରାନ୍ତରେ ପ୍ରଶ୍ନ କରାଯିବାରୁ ବି ସଠିକ୍ ଭାବେ ଉତର ଦେଇ ପାରୁ ନଥିଲେ । ପରେ କଙ୍କଡାହାଡ଼ ଥାନା ଅଧିକାରିଣୀ କଳ୍ପନା ବେହେରାଙ୍କ ନେତୃତ୍ୱରେ ଏକ ଟିମ ନକଲି ଡାକ୍ତରଙ୍କ କ୍ଲିନିକ୍କୁ ଯାଇ ରାକେଶକୁ ଉଠାଇ ନେଇଛି । ସେହିପରି ରୋଡ଼ଙ୍ଗ ଗାଁରେ ଅନ୍ୟ ଜଣେ ନକଲି ଡାକ୍ତର ସ୍ୱାସ୍ଥ୍ୟ ସେବା କରୁଥିବା ପୋଲିସ ଖବର ପାଇ କ୍ଲିନିକ୍ ପାଖରେ ପହଁଚିଲା ବେଳକୁ ଉକ୍ତ ବ୍ୟକ୍ତି ଫେରାର ହୋଇ ଯାଇଥିବା ସୂଚନା ମିଳିଛି । ତେବେ ପୋଲିସର ସୂଚନା ଅନୁସାରେ କେଉଁ ଆଧାରରେ ରାକେଶ ବିଶ୍ୱାସ କ୍ଲିନିକ୍ କରି ସ୍ୱାସ୍ଥ୍ୟସେବା କରୁଥିଲା ଏହାର ସଠିକ୍ ତଥ୍ୟ ମିଳିବା ପରେ ଆଇନ୍ ଅନୁସାରେ ନିଆଯିବ କାର୍ଯ୍ୟାନୁଷ୍ଠାନ ।