କେନ୍ଦ୍ରାପଡା ଆଳିରେ ବନ୍ଧା ହେଲା ନକଲି ଡାକ୍ତର ଦୀପକ ମହାନ୍ତି । ନିଜକୁ ଡାକ୍ତର କହି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ମହିଳା ରୋଗୀଙ୍କ ସମ୍ବେଦନଶୀଳ ଅଙ୍ଗକୁ କରୁଥିଲେ ସ୍ପର୍ଶ ।

1,105

କନକ ବ୍ୟୁରୋ: ମହିଳାଙ୍କ ସମ୍ବେଦନଶୀଳ ଅଙ୍ଗକୁ ସ୍ପର୍ଶ କରି ବନ୍ଦା ହେଲେ ନକଲି ଡାକ୍ତର ।  ଗିରଫ ଯୁବକ ଜଣଙ୍କ ହେଉଛନ୍ତି ଦିପକ ମହାନ୍ତି । କେନ୍ଦ୍ରାପଡ଼ା ଜିଲ୍ଲା  ଆଳି ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ରରେ ଘଟିଛି ଏଭଳି ଏକ ଅଘଟଣ । ଅର୍ଗଳ ଅଂଚଳର ଜଣେ ମହିଳାଙ୍କ ଦେହ ଅସୁସ୍ଥ ଥିବାରୁ ସ୍ୱାମୀଙ୍କ ସହ ସେ ଡାକ୍ତରଖାନା ଆସିଥିଲେ । ହେଲେ ଆଳି ବଡଆମ୍ବିଳା ଗାଁର ଦିପକ ମହାନ୍ତି ନିଜକୁ ଡାକ୍ତର ପରିଚୟ ଦେଇ ମହିଳାଙ୍କର ବିଭିନ୍ନ ସମ୍ବେଦନଶୀଳ ଅଙ୍ଗକୁ ସ୍ପର୍ଶ କରିବା ସହ ଅସଦାଚାରଣ କରିଥିଲେ । ତାଙ୍କ ସ୍ୱାମୀ ଏହାକୁ ବିରୋଧ କରି ନର୍ସଙ୍କୁ ଡାକିଥିଲେ । ସ୍ୱାସ୍ଥ୍ୟକର୍ମୀ ଆସିବା ପରେ ସଂପୃକ୍ତ ଯୁବକ ଜଣଙ୍କ ସେଠାରୁ ଖସି ଚାଲି ଯାଇଥିଲେ । ଏନେଇ ଥାନାରେ ଅଭିଯୋଗ ହେବା ପରେ ସିସିଟିଭି ଫୁଟେଜ ଆଧାରରେ ଆଳି ପୋଲିସ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି । ଏହି ଘଟଣା ଏବେ ଆଳି ଅଂଚଳରେ ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ ମେଡିକାଲର ସୁରକ୍ଷାକୁ ନେଇ ପ୍ରଶ୍ନ ଉଠିଛି ।